ଉତ୍ତର-କୋରିଆକୁ ନେଇ ବିସ୍ଫୋରକ ସ୍ଥିତି, ନୌଭେଳା ପଠାଇଲା ଆମେରିକା

ସିଓଲ : ତାଇଓ୍ବାନକୁ ନେଇ ପୂର୍ବ ଏସିଆରେ ଉତ୍ତେଜନା କମିନଥିବାବେଳେ ଉତ୍ତର କୋରିଆକୁ ନେଇ ଉତ୍ତେଜନା ଆରମ୍ଭ ହୋଇଯାଇଛି । ଉତ୍ତରକୋରିଆର ବାରମ୍ବାର କ୍ଷେପଣାସ୍ତ୍ର ପରୀକ୍ଷଣ ଓ ଉକ୍ତ ଅଂଚଳରେ ଆମେରିକା ଯୁଦ୍ଧ ଜାହାଜର ପ୍ରବେଶ ସ୍ଥିତିକୁ ବିସ୍ଫୋରକ କରିଦେଇଛି ।

ଦକ୍ଷିଣ କୋରିଆର ଜଣେ ସାମରିକ ଅଧିକାରୀ କହିଛନ୍ତି ଯେ ଉତ୍ତର କୋରିଆ ପକ୍ଷରୁ ଗତ ଦୁଇ ସପ୍ତାହ ମଧ୍ୟରେ ଏକାଧିକ କ୍ଷେପଣାସ୍ତ୍ର ପରୀକ୍ଷଣ ପରେ କୋରିଆ ଉପଦ୍ବୀପ ଅଂଚଳରେ ଉତ୍ତେଜନା ବୃଦ୍ଧି ପାଇଛି । ପୁଣି ଏହା ମଧ୍ୟରେ ଆମେରିକା ନୌସେନାର ବିମାନବାହୀ ଯୁଦ୍ଧପୋତ ୟୁଏସଏସ ରୋନାଲ୍ଡ ରେଗାନ ପ୍ରବେଶ କରିବା ଉତ୍ତେଜନାକୁ ବଢାଇଛି ।

ଆମେରିକାର ଯୁଦ୍ଧପୋତ କୋରିଆ ସାଗରରେ ପ୍ରବେଶ କରିବା ପରେ ଉତ୍ତର କୋରିଆ ପକ୍ଷରୁ ବିମାନରୁ ବୋମାବର୍ଷଣ ପରୀକ୍ଷଣ କରାଯାଇଛି । ଗୁରୁବାରଦିନ ୧୨ଟି ଉତ୍ତରକୋରିଆ ଲଢୁଆ ବିମାନ ଏହି ଅଭ୍ୟାସରେ ଭାଗ ନେଇଥିଲେ ।  ଏହାର ଜବାବରେ ଦକ୍ଷିଣ କୋରିଆର ଲଢୁଆ ବିମାନଗୁଡ଼ିକ ଆକାଶରେ ଉଡ଼ି ଉତ୍ତରକୋରିଆକୁ ସତର୍କ କରାଇଦେଇଛନ୍ତି ।

ଆମେରିକାର ଯୁଦ୍ଧ ଜାହାଜ ପ୍ରବେଶ କରିବାକୁ ଉତ୍ତରକୋରିଆ ନିନ୍ଦା କରିଛି । ଆମେରିକାର ଏହି ପଦକ୍ଷେପ ଉତ୍ତେଜନାକୁ ବଢାଇଦେଇଛି ବୋଲି ଉତ୍ତର କୋରିଆ କହିଛି ।

ଉତ୍ତର କୋରିଆର ଦୂରଗାମୀ କ୍ଷେପଣାସ୍ତ୍ର ପରୀକ୍ଷଣ ପରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦ  ବୈଠକ ବସିଥିଲା । ଏହା ସତ୍ତ୍ବେ ପ୍ୟୋଙ୍ଗୟାଙ୍ଗ ଗୁରୁବାର ଦିନ ଜାପାନ ଆଡକୁ ଦୁଇଟି ସ୍ୱଳ୍ପ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରିଛି ।

ସମ୍ବନ୍ଧିତ ଖବର