ଆମେରିକା-ଦକ୍ଷିଣ‌ କୋରିଆ ମିଳିତ ସମରାଭ୍ୟାସ ଦେଖି ଆଣବିକ ଆକ୍ରମଣ ପାଇଁ ପ୍ରସ୍ତୁତ ରହିବାକୁ କହିଲେ କିମ୍‌ ଜୋଙ୍ଗ୍‌ ଉନ୍‌

ସିଓଲ୍‌: ଯୁଦ୍ଧ ଏଡ଼ାଇବା ଲାଗି ଆମେରିକା ଓ ଦକ୍ଷିଣ କୋରିଆ ବିପକ୍ଷରେ ଆଣବିକ ଆକ୍ରମଣ ପାଇଁ ପ୍ରସ୍ତୁତ ରହିବା ଲାଗି ଉତ୍ତର କୋରିଆ ନେତା କିମ୍‌ ଜୋଙ୍ଗ୍‌ ଉନ୍‌ କହିଥିବା କଥା ଆଜି ରାଷ୍ଟ୍ରାୟତ ଗଣମାଧ୍ୟମ ‘କେସିଏନ୍‌ଏ’ ରିପୋର୍ଟ କରିଛି।

ଆମେରିକୀୟ ଆଣବିକ ଅସ୍ତ୍ରଶସ୍ତ୍ର ସହିତ ଉଭୟ ଦେଶ ସମରାଭ୍ୟାସ ସମ୍ପ୍ରସାରଣ କରୁଛନ୍ତି ବୋଲି କିମ୍‌ ଅଭିଯୋଗ କରିଛନ୍ତି।

‘କେସିଏନ୍‌ଏ’ କହିଛି ଯେ, ନକଲି ଆଣବିକ ଅସ୍ତ୍ର-ଖଚିତ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ନିକ୍ଷେପ କରିବା ସମେତ ଆଣବିକ ପ୍ରତ୍ୟାକ୍ରମଣ ପାଇଁ ପ୍ରସ୍ତୁତି ନିମନ୍ତେ ଉତ୍ତର କୋରିଆ ୨ଦିନିଆ ସମରାଭ୍ୟାସ ଶେଷ କରିବା ପରେ କିମ୍‌ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି।

Image Courtesy of France24

ଯୁଦ୍ଧ ଏଡ଼ାଇବା ଏବଂ ପ୍ରତିଆକ୍ରମଣ କରିବା ସାମର୍ଥ୍ୟ ଅଛି ବୋଲି ବିରୋଧୀ ରାଷ୍ଟ୍ରମାନଙ୍କୁ କଡ଼ା ଚେତାବନୀ ଦେବା ନିମନ୍ତେ ଉତ୍ତର କୋରିଆ ଏଭଳି ସମରାଭ୍ୟାସ ଆୟୋଜନ କରିଥିଲା ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି।

ଏହି ସମରାଭ୍ୟାସରେ ନକଲି ଆଣବିକ ଅସ୍ତ୍ର ଖଞ୍ଜାଯାଇଥିବା ଗୋଟାଏ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ୮୦୦ ମିଟର୍‌ ଉଚ୍ଚରେ ଉଡ଼ି ୮୦୦ କିଲୋମିଟର୍‌ ଦୂରରେ ଥିବା ଲକ୍ଷ୍ୟ ଭେଦ କରିଥିଲା ବୋଲି ‘କେସିଏନ୍‌ଏ’ ରିପୋର୍ଟ କରିଛି।

‘ରଏଟର୍ସ’ ରିପୋର୍ଟ ଅନୁସାରେ, ଉକ୍ତ କ୍ଷେପଣାସ୍ତ୍ର ପରୀକ୍ଷଣକୁ ପ୍ରତ୍ୟକ୍ଷଭାବେ ପର୍ଯ୍ୟବେକ୍ଷଣ କରିଥିବା କିମ୍‌ କହିଥିଲେ ଯେ, ଏହି ସମରାଭ୍ୟାସ ସେନାର ବାସ୍ତବ ଯୁଦ୍ଧ ସାମର୍ଥ୍ୟ ଉନ୍ନତ କରିବା ସହିତ ବ୍ୟାପକ ଆଣବିକ ଆକ୍ରମଣର ପ୍ରତିଆକ୍ରମଣ ପ୍ରସ୍ତୁତିକୁ ସୁନିଶ୍ଚିତ କରିବ।

ସମ୍ବନ୍ଧିତ ଖବର