ଚୀନ୍‌ର କରୋନାଭାଇରସ୍ ଦମନ ସଫଳତା ଲାଗି ଜି ଜିନ୍‌ପିଙ୍ଗ୍‌ଙ୍କୁ ପ୍ରଶଂସା କଲେ ଉତ୍ତର କୋରିଆର କିମ୍ ଜଙ୍ଗ୍-ଉନ୍

ବ୍ୟାଙ୍ଗ୍‌କକ୍: କରୋନାଭାଇରସ୍ ମହାମାରୀକୁ ନିୟନ୍ତ୍ରଣ କରିବାରେ ଚୀନ୍‌ର ସଫଳତା ଲାଗି ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ଙ୍କୁ ପ୍ରଶଂସା କରି କିମ୍ ଜୋଙ୍ଗ୍-ଉନ୍ ଏକ ବ୍ୟକ୍ତିଗତ ବାର୍ତ୍ତା ପଠାଇଛନ୍ତି ବୋଲି ଉତ୍ତର କୋରିଆ କହିଛି।

ଏ ପ୍ରସଙ୍ଗ ରିପୋର୍ଟ କରିଛି ରାଷ୍ଟ୍ରାୟତ ‌‘କୋରିଆନ୍ ସେଣ୍ଟ୍ରାଲ୍‌ ନିଉଜ୍ ଏଜେନ୍ସି’। ରିପୋର୍ଟ ଅନୁସାରେ, ଉକ୍ତ ବାର୍ତ୍ତାରେ କିମ୍ ଜି’ଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଅଭୂତପୂର୍ବ ମହାମାରୀ ବିପକ୍ଷ ଯୁଦ୍ଧରେ ସେ ଜିତାପଟ୍‌ ହାସଲ କରିଥିବାରୁ ତାଙ୍କୁ କିମ୍ ଭୂୟସୀ ପ୍ରଶଂସା କରିଛନ୍ତି। କିନ୍ତୁ, କେବେ ଏ ବାର୍ତ୍ତା ପ୍ରେରଣ କରାଯାଇଛି, ସେ ବିଷୟରେ ନିଉଜ୍ ଏଜେନ୍‌ସି କିଛି କହିନାହିଁ।

Image Source: The Daily Item

ଦକ୍ଷିଣ କୋରିଆ ଗୁଇନ୍ଦା ରିପୋର୍ଟ କରିଛି ଯେ ମହାମାରୀ ଯୋଗୁଁ ଉତ୍ତର କୋରିଆର ଅର୍ଥନୀତି କ୍ଷତିଗ୍ରସ୍ତ ହୋଇଛି। ଏହାଛଡ଼ା ଦଶନ୍ଧି ଦଶନ୍ଧି ଧରି ଯୋଜନା ବିଫଳ ହେବା ଏବଂ ଆଣବିକ ଅସ୍ତ୍ରଶସ୍ତ୍ର କାର୍ଯ୍ୟକ୍ରମ ପାଇଁ ଆମେରିକା ନେତୃତ୍ବାଧୀନ ଅନ୍ତର୍ଜାତୀୟ କଟକଣା ଯୋଗୁଁ ମଧ୍ୟ ଉତ୍ତର କୋରିଆର ଅର୍ଥନୀତି ପଙ୍ଗୁ ହୋଇଯାଇଥିଲା।

ଚୀନ୍ ହେଉଛି ଉତ୍ତର କୋରିଆ ପରମ ମିତ୍ର ଏବଂ ଆର୍ଥିକ ଜୀବନ‌ଧାରା। ଉତ୍ତରର ୯୦% ବାହ୍ୟ ବାଣିଜ୍ୟ ଚୀନ୍‌ ଦ୍ବାରା ଚାଲେ। ସମ୍ପ୍ରତି ଚୀନ୍‌ରେ କଟକଣା କୋହଳ ହୋଇଯାଇଥିବାରୁ ସୀମାପାରି ବାଣିଜ୍ୟ ଲାଗି ଉତ୍ତର କୋରିଆ ପୁଣି ଚୀନ୍‌ ସହ ଯୋଗାଯୋଗ କରୁଛି ବୋଲି ବିଶେଷଜ୍ଞମାନେ କହୁଛନ୍ତି।

 

ସମ୍ବନ୍ଧିତ ଖବର