ପ୍ୟୋଙ୍ଗ୍‌ୟାଙ୍ଗ୍‌: ଦେଶରେ ହ୍ରାସ ପାଉଥିବା ଜନ୍ମହାର ମୁକାବିଲା କରିବା ଲାଗି ଅଧିକ ସନ୍ତାନସନ୍ତତି ଜନ୍ମ କରିବା ଲାଗି ନାରୀମାନଙ୍କୁ ନିବେଦନ କରିବା ବେ‌ଳେ ଉତ୍ତର କୋରିଆ ନେତା କିମ୍‌ ଜୋଙ୍ଗ୍‌ ଉନ୍‌ କାନ୍ଦି ପକାଇ ଥିବା କଥା କ‌େତେକ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।

Advertisment

ରିପୋର୍ଟରେ ଉଲ୍ଲେଖ ଅଛି, ରବିବାର ଦିନ ରାଜଧାନୀ ପ୍ୟୋଙ୍ଗ୍‌ୟାଙ୍ଗ୍‌ରେ ଆୟୋଜିତ ‘ନ୍ୟାସ୍‌ନାଲ୍‌ ମଦର୍ସ ମିଟିଙ୍ଗ୍‌’ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ୩୯ ବର୍ଷିୟ କିମ୍‌ କହିଛନ୍ତି ଜାତୀୟ ଶକ୍ତିକୁ ସୁଦୃଢ଼ କରିବା ନାରୀମାନଙ୍କର କର୍ତ୍ତବ୍ୟ ଅଟେ।

ନାରୀମାନଙ୍କ ଉଦ୍ଦେଶ୍ୟରେ ଏହା କହିବା ବେଳେ କିମ୍‌ଙ୍କ ଆଖି ଲୁହ ଛଳ ଛଳ ହୋଇଯାଉଥିବା ଓ ସେ ରୁମାଲ ନେଇ ଆଖି ଉପରେ ଥାପୁଥିବାର ଭିଡିଓ ମଧ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି। ଏଥିରେ କିମ୍‌ କହୁଛନ୍ତି, ଜନ୍ମହାର ହ୍ରାସ ଅଟକାଇବା ଓ ଭଲ କରି ପିଲାମାନଙ୍କର ଲାଳନପାଳନ କରିବା ହେଉଛି ଆମର ଘରକରଣା କର୍ତ୍ତବ୍ୟ। ମାଆମାନଙ୍କ ସହିତ ଆମେମାନେ ବି ପିଲାମାନଙ୍କର ଦେଖାଶୁଣା କରିବା ଆବଶ୍ୟକ।

publive-image Image Courtesy of Quora

କେବଳ କିମ୍‌ ନୁହନ୍ତି, ଶ୍ରୋତାମଣ୍ଡଳୀରେ ଉପସ୍ଥିତ ଥିବା ନାରୀମାନେ ବି କାନ୍ଦି ପକାଇଥିଲେ। ପରେ ପରେ ସେମାନେ କରତାଳି ଦେଇ କିମ୍‌ଙ୍କୁ ପ୍ରଶଂସା କରିଥିଲେ।

୨୦୨୩ରେ ଉତ୍ତର କୋରିଆରେ ଜନ୍ମହାର ୧.୮ ହୋଇଥିବା କଥା ‘ଜାତିସଂଘ ଜନସଂଖ୍ୟା ପାଣ୍ଠି’ ଆକଳନରୁ ଜଣାପଡ଼ିବା ପରେ କିମ୍‌ ଏକଥା କହିଛନ୍ତି। ଉତ୍ତର କୋରିଆରେ ଚଳିତ ବର୍ଷର ଜନ୍ମହାର ବିଗତ ବର୍ଷମାନଙ୍କଠାରୁ ହଠାତ୍‌ କମିଯାଇଛି। କେବଳ ଉତ୍ତର କୋରିଆ ନୁହେଁ, ଦକ୍ଷିଣ କ‌ୋରିଆରେ ବି ଜନ୍ମହାର ଗତବର୍ଷ ଅପେକ୍ଷା ୦.୭୮ ଓ ଜାପାନର ଜନ୍ମହାର ୧.୨୬କୁ ହ୍ରାସ ପାଇଛି ବୋଲି ଉକ୍ତ ଆକଳନରେ ଉଲ୍ଲେଖ ଅଛି।