କେରଳ କମ୍ୟୁନିଷ୍ଟ ଦଳ ପାଇଁ କିମ୍‌ ଜଙ୍ଗ୍‌ ୟୁନ ଜଣେ ହିରୋ !

ନୂଆଦିଲ୍ଲୀ: ଉତ୍ତର କୋରିଆର ସ୍ୱେଚ୍ଛାଚାରୀ ଶାସକ କିମ୍‌ ଜଙ୍ଗ ୟୁନଙ୍କୁ ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା। ତାଙ୍କର ସ୍ୱେଚ୍ଛାଚାରୀ କାର୍ଯ୍ୟଶୈଳୀ ହେଉ ବା ସେ ପ୍ରଚଳନ କରିଥିବା ଅଜବ ପ୍ରକାରର ନିୟମମାନ ହେଉ କିମ୍ବା ଅନ୍ତର୍ଜାତୀୟ ନିୟମକୁ ବେଖାତିର କରି ପରମାଣୁ ପରୀକ୍ଷା କରିବା ହେଉ । ତାଙ୍କର ଏସବୁ କାରନାମା ଯୋଗୁଁ ବିଶ୍ୱରେ ସେ ନିଜ ପାଇଁ ଏକ ଭିନ୍ନ ସ୍ଥାନ ତିଆରି କରିଛନ୍ତି । କିନ୍ତୁ ଭାରତରେ ଯେ ତାଙ୍କର ପ୍ରସଂଶକ ଥିବେ ତାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ ନିଶ୍ଚୟ ।

କିନ୍ତୁ ଏହା ସତ । କମ୍ୟୁନିଷ୍ଟ ଦଳ କ୍ଷମତାରେ ଥିବା ରାଜ୍ୟ କେରଳରେ ତାଙ୍କର ଅନେକ ପ୍ରସଂଶକ ଅଛନ୍ତି ତାହା ଜଣାପଡିଯାଇଛି । କେରଳର ଇଡୁକି ଜିଲ୍ଲାର ଏକ ଦୋକାନରେ ଲାଗିଛି ତାଙ୍କର ଏକ ବଡ଼ ପୋଷ୍ଟର, ନିକଟରେ ଲେଖାଅଛି ସିପିଆଇଏମ୍‌ । ଏହାକୁ ନେଇ ସାରା ଦେଶରେ ରାଜନୀତି ସରଗରମ ହୋଇଉଠିଛି । ବିଶ୍ୱ ପାଇଁ ବିପଦ ରୂପେ ଦେଖାଦେଇଥିବା ଜଣେ ଶାସକଙ୍କୁ ଯେ କିଛି ଲୋକ ହିରୋ ଭାବରେ ଦେଖନ୍ତି ତାହାକୁ ବିଭିନ୍ନ ମହଲରୁ ସମାଲୋଚନା କରାଯାଉଛି ।

ଏହି ଚର୍ଚ୍ଚାରେ ଘିଅ ଢାଳିଛନ୍ତି ବିଜେପି ମୁଖପାତ୍ର ସଂବିତ ପାତ୍ର । ଏକ ଟ୍ଵିଟ୍‌ କରି ସେ ଲେଖିଛନ୍ତି ଯେ “ କିମ ଜଙ୍ଗ ୟୁନ କେରଳ ସିପିଆଇ(ଏମ)ର ପୋଷ୍ଟରରେ ସ୍ଥାନ ପାଇଛନ୍ତି । ଏହା ଆଶ୍ଚର୍ଯ୍ୟର କଥା ନୁହେଁ ଯେ ସେମାନେ କେରଳକୁ ନିଜ ବିରୋଧୀମାନଙ୍କ କବରସ୍ଥଳୀରେ ପରିଣତ କରିସାରିଲେଣି । ଆଶା କରେ ବାମପନ୍ଥୀମାନେ ବିଜେପି ଆରଏସଏସ ଅଫିସରେ କ୍ଷେପଣାସ୍ତ୍ର ନ ପକାନ୍ତୁ ।”

ତେବେ ବିଭିନ୍ନ ମହଲରୁ ସମାଲୋଚନାର ଶିକାର ହେବା ପରେ ସିପିଆଇ (ଏମ) ପକ୍ଷରୁ ଏହି ପୋଷ୍ଟରଠାରୁ ନିଜକୁ ଦୂରେଇ ରଖାଯାଇଛି । ଏପରି କୌଣସି ପୋଷ୍ଟର ପାର୍ଟି ପକ୍ଷରୁ ମରାଯାଇନାହିଁ । କେତେକ ସ୍ଥାନୀୟ ଲୋକ ଏହା କରିଥାଇ ପାରନ୍ତି । ଦଳର ଏହା ସହିତ କୌଣସି ସମ୍ପର୍କ ନାହିଁ ବୋଲି ଦଳ ପକ୍ଷରୁ କୁହାଯାଇଛି ।

ସମ୍ବନ୍ଧିତ ଖବର