ଆମେରିକାକୁ ଉତ୍ତର କୋରିଆର ଚେତାବନୀ: ଉତ୍ତେଜନା ବଢ଼ାଅ ନାହିଁ

ପୋଙ୍ଗୟାଙ୍ଗ୍‌: ଉତ୍ତର କୋରିଆ ଶାସକ କିମ୍‌ ଜଙ୍ଗ୍‌ ଉନ୍‌ ପରମାଣୁ ପରୀକ୍ଷଣ ବନ୍ଦ କରିବାକୁ ନିଷ୍ପତ୍ତି ନେବା ସହ ଏକ ପରମାଣୁମୁକ୍ତ ରାଷ୍ଟ୍ର ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି। କିମ୍‌ଙ୍କ ଏଭଳି ପଦକ୍ଷେପ ଯୋଗୁଁ ଏବେ କୋରିଆ ଉପଦ୍ୱୀପରେ ଶାନ୍ତି ଫେରିଛି ଏବଂ ଦକ୍ଷିଣ କୋରିଆ ସହିତ ଐତିହାସିକ ଶାନ୍ତି ଚୁକ୍ତି ସ୍ୱାକ୍ଷରିତ ହୋଇଛି। ତେବେ ଗୋଟିଏ ପଟେ କୋରିଆ ଉପଦ୍ୱୀପ ଏବେ ଶାନ୍ତି ଆଡ଼କୁ ମୁହାଁଉଥିବାବେଳେ ଅନ୍ୟପଟେ ଆମେରିକା ଉତ୍ତର କୋରିଆର ଏହି ପ୍ରୟାସକୁ ଗୌଣ କରିବାକୁ ଚେଷ୍ଟା କରୁଛି ଓ ଅଯଥା ଉତ୍ତେଜନା ବଢ଼ାଉଛି ବୋଲି ଉତ୍ତର କୋରିଆ କହିଛି। ଶାନ୍ତି ପ୍ରକ୍ରିୟାକୁ ଭଣ୍ଡୁର କରିବାକୁ କୌଣସି ପ୍ରୟାସ ନ କରିବା ନିମନ୍ତେ ଉତ୍ତର କୋରିଆ ଆମେରିକାକୁ ଚେତାଇ ଦେଇଛି। ଉତ୍ତର କୋରିଆ କହିଛି ଯେ କାହାର ଚାପ କି ଧମକକୁ ଆମେ କେବେ ବି ଡରି ନାହୁଁ କି ଡରିବୁ ନାହିଁ। କୋରିଆ ଉପଦ୍ୱୀପକୁ ସୁରକ୍ଷିତ ରଖିବା ଓ ବିଶ୍ୱ ଶାନ୍ତି ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବାକୁ ଉତ୍ତର କୋରିଆ ତା’ର ଆଭିମୁଖ୍ୟ ବଦଳାଇଛି ବୋଲି ଏହାର ସେନାମୁଖ୍ୟ କହିଛନ୍ତି।

ଆମେରିକା ଗତକାଲି ଦାବି କରିଥିଲା ଯେ ଉତ୍ତର କୋରିଆ ଉପରେ କଠୋର କଟକଣା ଲାଗୁ କରାଯିବାରୁ ଏହି ରାଷ୍ଟ୍ର ଅନ୍ୟ ଉପାୟ ନପାଇ ଶେଷରେ ଶାନ୍ତି ପନ୍ଥାକୁ ଆପଣାଇ ନେଇଛି ଏବଂ ନିରସ୍ତ୍ରୀକରଣ ପାଇଁ ରାଜି ହୋଇଛି। କିନ୍ତୁ ଉତ୍ତର କୋରିଆ ଆମେରିକାରର ଏଭଳି ବୟାନକୁ ଖଣ୍ଡନ କରିବା ସହ ଏହା ଅତ୍ୟନ୍ତ ଅନର୍ଥ ସୃଷ୍ଟିକାରୀ ବୋଲି କହିଛି। ଉତ୍ତର କୋରିଆର ଶାନ୍ତି ପଦକ୍ଷେପକୁ ଆମେରିକା ଦୁର୍ବଳତା ବୋଲି ଭାବିବା ସମ୍ପୂର୍ଣ୍ଣ ଭୁଲ୍‌। ଆମେରିକା ଏଭଳି ଆଭିମୁଖ୍ୟ ଶାନ୍ତି ଏବଂ ସ୍ଥିରତା ପ୍ରତି ବିପଦର କାରଣ ହେବ ବୋଲି ଉତ୍ତର କୋରିଆ କହିଛି। ଗତ ମାସରେ ଶାସକ୍‌ ଉନ୍‌ ଦକ୍ଷିଣ କୋରିଆ ଗସ୍ତ କରି ତାଙ୍କର ପ୍ରତିପକ୍ଷ ମୁନ୍‌ ଜାଏ ଇନ୍‌ଙ୍କ ସହ ଆଲୋଚନା କରିଥିଲେ। ଉଭୟ ରାଷ୍ଟ୍ରମୁଖ୍ୟ କୋରିଆ ଉପଦ୍ୱୀପକୁ ସମ୍ପୂର୍ଣ୍ଣ ପରମାଣୁ ମୁକ୍ତ କରିବା ଦିଗରେ ଏକ ଚୁକ୍ତି ସ୍ୱାକ୍ଷର କରି ଦୁଇ କୋରିଆ ମଧ୍ୟରେ ଶାନ୍ତି ଫେରାଇ ଆଣିବାପାଇଁ ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି ଏବଂ ଏନେଇ ଏକ ମିଳିତ ଘୋଷଣାନାମା ସ୍ୱାକ୍ଷର କରିଛନ୍ତି। ଅନ୍ୟପକ୍ଷରେ ଏହି ଐତିହାସିକ ଶାନ୍ତି ପ୍ରୟାସକୁ ବିଶ୍ୱର ସମସ୍ତ ରାଷ୍ଟ୍ର ସ୍ୱାଗତ କରିଥିବା ବେଳେ ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କୁ ଏଥିପାଇଁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯିବାକୁ ରିପବ୍ଲିକାନ ପାର୍ଟି ସାଂସଦମାନେ ପ୍ରସ୍ତାବ ଆଗତ କରିଛନ୍ତି।

ସମ୍ବନ୍ଧିତ ଖବର