ନୂଆଦିଲ୍ଲୀ: ଆସାମ-ମିଜୋରାମ ମଧ୍ୟରେ ବହୁ ଦଶନ୍ଧି ପୁରୁଣା ସୀମା ବିବାଦ ଏବେ ରକ୍ତାକ୍ତ ସଂଘର୍ଷର ରୂପ ନେଇଥିବାରୁ ସଠିକ୍‌ ସୀମା ନିର୍ଦ୍ଧାରଣ ପାଇଁ କେନ୍ଦ୍ର ସରକାର ତତ୍ପର ହୋଇଉଠିଛନ୍ତି। ଉପଗ୍ରହ ଛବି ମାଧ୍ୟମରେ ଉତ୍ତର ପୂର୍ବ ରାଜ୍ୟମାନଙ୍କର ସୀମା ନିର୍ଦ୍ଧାରଣ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଉତ୍ତର ପୂର୍ବ ମହକାଶ ଉପଯୋଗ କେନ୍ଦ୍ର (ଏନ୍‌ଇଏସ୍‌ଏସି)କୁ ଏହି ସୀମା ଚିହ୍ନଟ ଦାୟିତ୍ବ ଦିଆଯାଇଛି । ଏନ୍‌ଇଏସ୍‌ଏସି ମହାକାଶ ବିଭାଗ ଏବଂ ପୂର୍ବୋତ୍ତର ପରିଷଦ ସହିତ ତାଳମେଳ ରକ୍ଷା କରି ଆନ୍ତରାଜ୍ୟ ସୀମା ନିର୍ଦ୍ଧାରଣ କରିବ। ଏ ଦିଗରେ ପ୍ରାରମ୍ଭିକ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଛି।

Advertisment

ସୂଚନାଯୋଗ୍ୟ, ଏନ୍‌ଇଏସ୍‌ଏସି ଉନ୍ନତ ବୈଷୟିକ ଜ୍ଞାନକୌଶଳ ମାଧ୍ୟମରେ ପୂର୍ବାଞ୍ଚଳର ବିକାଶ ପ୍ରକ୍ରିୟାକୁ ଆଗକୁ ବଢ଼ାଇବା ଦିଗରେ ସହାୟତା କରୁଛି। ସିଲଂ ସ୍ଥିତ ଏନ୍‌ଇଏସ୍‌ଏସି ପୂର୍ବରୁ ବନ୍ୟା ପ୍ରଭାବିତ ଅଂଚଳ ପାଇଁ ମହକାଶ ଜ୍ଞାନକୌଶଳର ବ୍ୟାବହାର କରିଛି। ରାଜ୍ୟ ସୀମା ନିର୍ଦ୍ଧାରଣ କ୍ଷେତ୍ରରେ ଉପଗ୍ରହ ଛବି ଅତ୍ୟନ୍ତ ଉପଯୋଗୀ ହେବ ଏବଂ ସବୁ ବିବାଦର ସ୍ଥାୟୀ ସମାଧାନ ହୋଇପାରିବ ବୋଲି କୁହାଯାଇଛି। କିଛି ମାସ ପୂର୍ବରୁ ମଧ୍ୟ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଉପଗ୍ରହ ଛବି ମାଧ୍ୟମରେ ଅନ୍ତରାଜ୍ୟ ସୀମା ଚିହ୍ନଟ କରିବାକୁ ପରାମର୍ଶ ଦେଇଥିଲେ।

ମମମମ: ଆସାମ ସହିତ ଥିବା ସୀମା ବିବାଦ କଥାବାର୍ତ୍ତା ମାଧ୍ୟମରେ ଶାନ୍ତିପୂର୍ଣ୍ଣଭାବେ ସମାଧାନ ହେବ ବୋଲି ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା ଆଜି ଗୃହମନ୍ତ୍ରୀ ଅମିତ ଶାହ ଏବଂ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ସହ ଟେଲିଫୋନ୍ ଆଲୋଚନା ପରେ କହିଛନ୍ତି। କୌଣସି ପ୍ରକାର ଗଣ୍ଡଗୋଳ ନ ବଢ଼ାଇବା ପାଇଁ ସେ ମିଜୋରାମବାସୀଙ୍କୁ ନିବେଦନ କରିଛନ୍ତି।

ମିଜୋରାମ ମୁଖ୍ୟମନ୍ତ୍ରୀ ଟୁଇଟରରେ ଜଣାଇଛନ୍ତି ଯେ କେନ୍ଦ୍ର ଗୃହମନ୍ତ୍ରୀ ତଥା ଆସାମ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ଅନୁଯାୟୀ ମିଜୋରାମ-ଆସାମ ସୀମା ବିବାଦକୁ କଥାବାର୍ତ୍ତା ମାଧ୍ୟମରେ ସମାଧାନ କରିବାକୁ ନିଷ୍ପତ୍ତି ହୋଇଛି। ଉତ୍ତେଜନା ଦୂର କରିବା ପାଇଁ ଦୁଇ ସରକାରଙ୍କ ମଧ୍ୟରେ ପୁନଃ ଆଲୋଚନା ଆରମ୍ଭ ହୋଇଛି ଏବଂ ଆସାମ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ରୁଜୁ ମାମଲା ପ୍ରତ୍ୟାହାର କରାଯାଇଛି। କେନ୍ଦ୍ର ଉଭୟ ରାଜ୍ୟକୁ କହିଛି ଯେ ବର୍ତ୍ତମାନ କେନ୍ଦ୍ରୀୟ ବାହିନୀ ବିବାଦୀୟ ଅଞ୍ଚଳର ସୁରକ୍ଷାରେ ରହିବ। ତେଣୁ ସେ ଅଞ୍ଚଳକୁ ପରିଦର୍ଶନ କରିବା ସମୟରେ ଉଭୟ ରାଜ୍ୟର ଅଧିକାରୀ ଏବଂ ସୁରକ୍ଷା ବଳକୁ ଅସ୍ତ୍ରଶସ୍ତ୍ର ନେବାକୁ ଅନୁମତି ଦିଆଯିବ ନାହିଁ। ଉଲ୍ଲେଖନୀୟ ଯେ, ଜୁଲାଇ ୨୬ରେ ମିଜୋରାମ-ଆସାମ ସୀମାରେ ସଂଘର୍ଷ ଘଟି ୬ଜଣ ଆସାମ ପୁଲିସ କର୍ମଚାରୀଙ୍କ ସମେତ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଥିଲେ।