‘ସିଏଏ’ ବିରୋଧୀ ପ୍ରତିବାଦରେ ଯୋଗ ଦେଇଥିବା ନରୱେର ମହିଳା ପର୍ଯ୍ୟଟକଙ୍କୁ ଭାରତ ଛାଡ଼ିବାକୁ ଆଦେଶ
ତିରୁବନନ୍ତପୁରମ: କେରଳର କୋଚି ଠାରେ ନାଗରିକତା ଆଇନ ବିରୋଧରେ ହୋଇଥିବା ପ୍ରତିବାଦରେ ଅଂଶ ଗ୍ରହଣ କରିଥିବା ନରୱେର ମହିଳା ପର୍ଯ୍ୟଟକଙ୍କୁ ଭାରତ ଛାଡ଼ି ଚାଲିଯିବାକୁ ଆଦେଶ ଦିଆଯାଇଛି। ଦୁଇ ମାସ ତଳେ ଟୁରିଷ୍ଟ୍ ଭିସାରେ ଜେନ୍ ମେଟ୍-ଜୋହାନ୍ସନ୍ ନାମକ ସେ ମହିଳା ପର୍ଯ୍ୟଟକ ନରୱେରୁ ଆସିଥିଲେ।
ଭାରତରେ ବିଦେଶୀ ନାଗରିକମାନଙ୍କ ପଞ୍ଜିକରଣ, ଚଳାଚଳ ଏବଂ ରହଣି ଆଦି ନିୟନ୍ତ୍ରଣ କରୁଥିବା ‘ଫରେନ୍ ରିଜିଓନାଲ୍ ରେଜିଷ୍ଟ୍ରେସନ୍ ଅଫିସ୍’ (ଏଫ୍ଆର୍ଆର୍ଓ) କହିଛି- ତଦନ୍ତରୁ ଜଣାପଡ଼ିଛି ଯେ ଜୋହାନ୍ସନ୍ ଭିସା ନିୟମ ଉଲ୍ଲଂଘନ କରିଥିବାରୁ ତାଙ୍କୁ ଭାରତ ଛାଡ଼ି ଚାଲିଯିବାକୁ କୁହାଯାଇଛି।
ଗୁରୁବାର ଦିନ ‘ଏଫ୍ଆର୍ଆର୍ଓ’ ୭୪ ବର୍ଷୀୟ ଜୋହାନ୍ସନ୍ଙ୍କୁ ଡକାଇ ପଚରା ଉଚୁରା କରିଥିଲା। ସେ କହିଥିଲେ କି, ପ୍ରତିବାଦ ରାଲିରେ ଯୋଗ ଦେବାକୁ ଇଚ୍ଛା କରି ସେ କୋଚିସ୍ଥିତ ଏକ ସ୍ଥାନୀୟ ଥାନାରେ ପହଞ୍ଚି ନିଜର ଅଭିପ୍ରାୟ ଜଣାଇଥିଲେ। ରାଲିରେ ଭାଗ ନେବାକୁ ପୁଲିସ ତାଙ୍କୁ ମୌଖିକ ଅନୁମତି ଦେଇଥିଲେ।

ଫେସ୍ବୁକ୍ରେ ଜେନ୍ ତାଙ୍କର ପ୍ରତିବାଦ ସମୟର ଫଟୋ ପୋଷ୍ଟ୍ କରି ଲେଖିଥିଲେ: ପ୍ରତିବାଦ ଯାତ୍ରା ଏର୍ଣ୍ଣାକୁଲମ୍ର ଗାନ୍ଧୀ ଗୋଲେଇରୁ ଆରମ୍ଭ ହେଲା। ଆମେ ପତାକା ଧରି ସ୍ଲୋଗାନ୍ ଦେଇ କୋଚିନ୍ର ଭାସ୍କୋ ଡା ଗାମା ଛକ ପର୍ଯ୍ୟନ୍ତ ଗଲୁ। ପ୍ରତିବାଦକାରୀମାନେ ହାତମୁଠା ଉପରକୁ କରି ଗୀତ ଗାଇ, ନାରା ଲଗାଇ ଚାଲୁଥିଲେ।
ଏହି ୧୨ କିଲୋମିଟର ଯାତ୍ରାରେ ଆମେ ଦୁଇଟି ସ୍ଥାନରେ ଲୁଣ-ଚିନି ପାଣି ଓ କମଳା ରସ ପିଇଲୁ। ଦଙ୍ଗା ହୋଇ ନ ଥିଲା, ଲୋକେ ସ୍ୱରତ୍ତୋଳନ କରି ପ୍ରତିବାଦ କରୁଥିଲେ। ପ୍ରତିବାଦ ଯାତ୍ରା ସମୟରେ ପୁଲିସ ସହାୟକ ହେଉଥିଲା।