ପ୍ୟାରିସ୍‌: ବିଶ୍ବ ୨୦୨୫ରେ ପ୍ରବେଶ କରିବା ସହ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ପୁଣି ଥରେ ନୂଆବର୍ଷର   ଭବିଷ୍ୟତ ଜାଣିବା ପାଇଁ ଫରାସୀ ଭବିଷ୍ୟବକ୍ତା ନଷ୍ଟ୍ରାଦମସଙ୍କ ଆଡ଼କୁ ମୁହାଁଇଛନ୍ତି। ମିସେଲ ଡି ନଷ୍ଟ୍ରେଡେମ ନାମରେ ଜନ୍ମିତ ନଷ୍ଟ୍ରାଦମସ ୧୫୦୦ ଦଶକର ଜଣେ ଫ୍ରାନ୍ସ ଜ୍ୟୋତିଷୀ ଓ ଚିକିତ୍ସକ ଥିଲେ। ସେ ଆଡଲ୍ଫ ହିଟଲର କ୍ଷମତାକୁ ଆସିବା, ସେପ୍ଟେମ୍ବର ୧୧ ଆକ୍ରମଣ ଓ କୋଭିଡ୍-୧୯ ମହାମାରୀ ଭଳି ଆଧୁନିକ ଯୁଗର କିଛି ଯୁଗାନ୍ତକାରୀ ଘଟଣାର ପୂର୍ବାନୁମାନ କରିଥିଲେ। ସେ ୧୫୫୫ ମସିହାରେ ପ୍ରକାଶିତ ତାଙ୍କ ପୁସ୍ତକ ଲେସ୍ ପ୍ରଫେଟିକ୍ସ (ଦ ପ୍ରଫେସିସ୍) ପାଇଁ ଅଧିକ ଜଣାଶୁଣା, ଯେଉଁଥିରେ ୯୪୨ଟି ଚଉପଦୀ ରହିଛି ଯାହାକୁ ବିଶ୍ୱସ୍ତରୀୟ ଘଟଣା ପାଇଁ ବ୍ୟାପକ ଭାବରେ ବ୍ୟାଖ୍ୟା କରାଯାଏ। ତାଙ୍କ ଲେଖାକୁ ବିଶ୍ଳେଷଣ କରୁଥିବା ଗବେଷକମାନେ ସଙ୍କେତ ଦେଇଛନ୍ତି ଯେ ୨୦୨୫ରେ ଗ୍ରହାଣୁ ଧକ୍କାଠାରୁ ଆରମ୍ଭ କରି ବ୍ରିଟେନରେ ଅନ୍ୟ ଏକ ପ୍ଲେଗ୍ ଭଳି ମହାମାରୀ ବ୍ୟାପିବା ପର୍ଯ୍ୟନ୍ତ କିଛି କଠିନ ଘଟଣା ସାମ୍ନାକୁ ଆସିପାରେ। ଏହା ସହ ୟୁରୋପ ପାଇଁ ୨୦୨୫ ଅଧିକ ବିପର୍ଯ୍ୟୟ ଓ ଦୁର୍ଦ୍ଦିନ ଆଣିବ ଏବଂ ପଶ୍ଚିମ ଶକ୍ତିମାନଙ୍କର ପ୍ରଭାବ ହ୍ରାସ ପାଇବ ବୋଲି ନଷ୍ଟ୍ରାଦମସଙ୍କ ଭବିଷ୍ୟବାଣୀରେ ସଙ୍କେତ ମିଳିଛି। ଏହା ସହିତ ରୁଷ୍‌ର ଆଶ୍ଚର୍ଯ୍ୟଜନକ ଉତ୍‌ଥାନ ହେବ ବୋଲି ‌ମଧ୍ୟ ଏହି ଭବିଷ୍ୟବାଣୀ ଆକଳନରୁ ଜଣାପଡ଼ିଛି। 

Advertisment

ରୁଷ୍-ୟୁକ୍ରେନ ଯୁଦ୍ଧର ଅନ୍ତ?
ନଷ୍ଟ୍ରାଦମସଙ୍କ ଭବିଷ୍ୟବାଣୀରେ ୨୦୨୪ରେ ମହାଦେଶବ୍ୟାପୀ ଯୁଦ୍ଧ ଜାରି ରହିବାର ଇଙ୍ଗିତ ଥିଲା। କିନ୍ତୁ ତାଙ୍କ ଅସ୍ପଷ୍ଟ ଲେଖା ଅନୁଯାୟୀ, ୨୦୨୫ରେ ଦୀର୍ଘ କାଳ ଧରି ଚାଲିଥିବା ଯୁଦ୍ଧର ସମ୍ଭାବ୍ୟ ଅନ୍ତ ହୋଇପାରେ। ନଷ୍ଟ୍ରାଦମସ ଲେଖିଛନ୍ତି, ଦୀର୍ଘ ଯୁଦ୍ଧରେ ସୈନ୍ୟମାନେ ଥକିଯିବେ, ଯୁଦ୍ଧରତ ଦେଶଗୁଡ଼ିକ ସୈନିକମାନଙ୍କ ପାଇଁ ଅର୍ଥ ପାଇବେ ନାହିଁ। ସେମାନେ ସୁନା କିମ୍ବା ରୂପା ପରିବର୍ତ୍ତେ ଚମଡ଼ା, ଗାଲିକ୍ ପିତ୍ତଳ ଓ ଅର୍ଦ୍ଧଚନ୍ଦ୍ର ଚିହ୍ନକୁ ମୁଦ୍ରା କରିବାକୁ ଆଗେଇ ଆସିବେ। ‘ଗାଲିକ୍ ପିତ୍ତଳ’ ଓ ‘ଅର୍ଦ୍ଧଚନ୍ଦ୍ରର ଚିହ୍ନ’ ଉଲ୍ଲେଖ ଥିବାରୁ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ବିଶ୍ୱାସ କରୁଛନ୍ତି ଯେ ଫ୍ରାନ୍ସ ଓ ତୁର୍କୀ ଏହି ସଂଘର୍ଷରେ ସାମିଲ ହୋଇପାରନ୍ତି।
ପ୍ଲେଗ୍ ଓ ଯୁଦ୍ଧ
ନଷ୍ଟ୍ରାଦମସ ଭବିଷ୍ୟବାଣୀ କରିଛନ୍ତି ଯେ ନୂଆବର୍ଷ ଇଂଲଣ୍ଡ ଉପରେ ଅଧିକ ପ୍ରଭାବ ପକାଇବ ଯାହା ‘ନିଷ୍ଠୁର ଯୁଦ୍ଧ’ ଦ୍ୱାରା ପ୍ରଭାବିତ ହେବ ଏବଂ ଦେଶ ‘ପ୍ରାଚୀନ ପ୍ଲେଗ୍’ ମହାମାରୀର ସମ୍ମୁଖୀନ ହେବ। ତାଙ୍କର କୋଭିଡ୍-୧୯ ମହାମାରୀ ପୂର୍ବାନୁମାନ ସତ ହେବା ପରେ ବିଶେଷଜ୍ଞମାନେ ଏହି ଭବିଷ୍ୟବାଣୀ ଉପରେ ଗୁରୁତ୍ବ ଦେଉଛନ୍ତି।
ପୃଥିବୀ ସହ ଗ୍ରହାଣୁ ଧକ୍କା?
ନଷ୍ଟ୍ରାଦମସ ପୂର୍ବାନୁମାନ କରିଛନ୍ତି ଯେ, ୨୦୨୫ରେ ପୃଥିବୀ ସହିତ ଏକ ବିଶାଳ ଗ୍ରହାଣୁ ଧକ୍କା ହୋଇପାରେ କିମ୍ବା ଏହା ବିପଜ୍ଜନକ ଭାବେ ପୃଥିବୀର ଅତି ନିକଟତର ହୋଇପାରେ। ଯଦି ଏହା ପୃଥିବୀ ସହ ଧକ୍କା ହୁଏ ତେବେ ଅନେକ ଜୀବନ ନଷ୍ଟ ହୋଇପାରେ, ନ ହେଲେ ଗ୍ରହର ନିକଟତର ହେବା କୌଣସି ନୂଆ ଘଟଣା ନୁହେଁ। ପ୍ରତିବର୍ଷ ଶତାଧିକ ଗ୍ରହାଣୁ ପୃଥିବୀ ଅତିକ୍ରମ କରିଥାଏ ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ ସୁରକ୍ଷିତ ଦୂରତା ବଜାୟ ରଖିଥାନ୍ତି।
ବ୍ରାଜିଲରେ ପ୍ରାକୃତିକ ବିପର୍ଯ୍ୟୟ
ଭବିଷ୍ୟବାଣୀରେ ଏହା ମଧ୍ୟ କୁହାଯାଇଛି ଯେ ଦକ୍ଷିଣ ଆମେରିକୀୟ ଦେଶ ବ୍ରାଜିଲ, ଯାହାକୁ ନଷ୍ଟ୍ରାଦମସ ‘ବିଶ୍ୱର ବଗିଚା’ ବୋଲି କୁହନ୍ତି, ସେଠାରେ ବନ୍ୟା ଓ ଆଗ୍ନେୟଗିରି ଉଦ୍‌ଗିରଣ ହୋଇପାରେ, ଯାହା ଜଳବାୟୁ ପରିବର୍ତ୍ତନ ସହ ଜଡିତ।