ମା’କୁ ରଖିବା ପାଇଁ ବଡ଼ଘର ନୁ‌ହେଁ, ବଡ଼ ହୃଦୟ ଦରକାର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ମା’ର ଦେଖାଶୁଣା କରିବା ଏବଂ ମା’କୁ ରଖିବା ପାଇଁ ବଡ଼ ଘର ଦରକାର ନାହିଁ, ବରଂ ଏଥିପାଇଁ ବଡ଼ ହୃଦୟ ଦରକାର। ସୁପ୍ରିମକୋର୍ଟ ସୋମବାର ଦିନ ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ଓ ହୃଦୟସ୍ପର୍ଶୀ ଟିପ୍ପଣୀ ଦେଇଛନ୍ତି। ଏକ ପାରିବାରିକ ବିବାଦ ମାମଲାର ଶୁଣାଣି କରିବା ସମୟରେ କୋର୍ଟ ଏହି ଟିପ୍ପଣୀ ରଖିଛନ୍ତି। ୮୯ ବର୍ଷୀୟା ବୈଦେହୀ ସିଂହ ନାମକ ଜଣେ ବୃଦ୍ଧା ଡିମେନ୍‌ସିଆରେ ପୀଡ଼ିତ। ଅସୁସ୍ଥତା ସତ୍ତ୍ବେ ତାଙ୍କ ବଡ଼ ପୁଅ କ୍ରୀଷ୍ଣା କୁମାର ସିଂହ ତାଙ୍କର ଚିକିତ୍ସା କରୁନାହାନ୍ତି। ବରଂ ତାଙ୍କର ସମସ୍ତ ସମ୍ପତ୍ତିକୁ ସେ ନିଜ ନାଁରେ କରିବାରେ ବ୍ୟସ୍ତ। କେବଳ ସମ୍ପତ୍ତି ଲୋଭରେ ଝିଅମାନଙ୍କଠାରୁ ମା’ଙ୍କୁ ଅପହଞ୍ଚ ରଖିଥିଲେ। କିନ୍ତୁ ବୈଦେହୀଙ୍କର ୨ ଝିଅ ପୁଷ୍ପା ତିୱାରୀ ଏବଂ ଗାୟତ୍ରୀ କୁମାର ମା’ଙ୍କୁ ପାଖରେ ରଖିବାପାଇଁ କୋର୍ଟରେ ଆବେଦନ କରିଛନ୍ତି। କୋର୍ଟ ଏହି ମାମଲାରେ ଆଜି ଶୁଣାଣି କରିବା ସହ ‌ବୃଦ୍ଧାଙ୍କ ପୁଅଙ୍କଠାରୁ ଉକ୍ତ ମାମଲାରେ ମଙ୍ଗଳବାର ସୁଦ୍ଧା ଜବାବ ମାଗିଛନ୍ତି। ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୂଡ଼ ଏବଂ ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ କହିଛନ୍ତି ଯେ ଝିଅମାନଙ୍କୁ ସେମାନଙ୍କ ମା’ଙ୍କର ଯତ୍ନ ନେବାପାଇଁ ଦିଅ। ଆମେ ତୁମକୁ ମଧ୍ୟ ଏହି ସୁଯୋଗ ‌ଦେବୁ। ଏହାର ଉତ୍ତରରେ କ୍ରୀଷ୍ଣା କୁମାର ସିଂହଙ୍କ ପକ୍ଷରୁ ଆଇନଜୀବୀ କହିଥିଲେ, ଝିଅମାନେ ନିଜ ପରିବାର ସହ ରହୁଛନ୍ତି। ସେମାନଙ୍କ ପାଖରେ ମା’ଙ୍କୁ ରଖିବା ପାଇଁ ଜାଗା ନାହିଁ। ଏହାର ଉତ୍ତରରେ କୋର୍ଟ କହିଥିଲେ, ମା’କୁ ରଖିବା ପାଇଁ ବଡ଼ ଘର ନୁହେଁ, ବରଂ ବଡ଼ ହୃଦୟ ଦରକାର। ବୈଦେହୀ ଡିମେନ୍‌ସିଆରେ ପୀଡ଼ିତ ଥିବା କୋର୍ଟ‌ ହୃଦ୍‌ବୋଧ ହେବାପରେ ତାଙ୍କର ସମସ୍ତ ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତିର କ୍ରୟବିକ୍ରୟ ଉପରେ କଟକଣା ଲଗାଇଛନ୍ତି।

ବୈଦେହୀ ସିଂହଙ୍କ ୨ ଝିଅ ପୁଷ୍ପା ଏବଂ ଗାୟତ୍ରୀ ଗତ ମାର୍ଚ୍ଚରେ କୋର୍ଟରେ ଏକ ହେବିୟସ କର୍ପସ୍‌ ପିଟିସନ୍‌ କରିଥିଲେ। ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲ୍‌ରେ ପୂର୍ବରୁ ଚିକିତ୍ସାଧୀନ ଥିବା ମା’ଙ୍କୁ ଭାଇ କେଉଁଠି ଲୁଚାଇ ରଖିଥିବା ସେମାନେ ଅଭିଯୋଗ କରିଥିଲେ। କୋର୍ଟ ଏନେଇ ନୋଟିସ୍‌ କରିବାପରେ ବିହାରର ମୁଜାଫରପୁରରେ ବୈଦେହୀ ସିଂହଙ୍କୁ ତାଙ୍କ ପୁଅଙ୍କ ବାସଭବନରେ ଦେଖିବାକୁ ମିଳିଥିଲା। ବୈଦେହୀଙ୍କ ସ୍ବାସ୍ଥ୍ୟାବସ୍ଥା ସଂକ୍ରାନ୍ତରେ ଜାଣିବା ପାଇଁ କୋର୍ଟ ପାଟନାର ମେଦାନ୍ତ ହସ୍ପିଟାଲ୍‌କୁ ଏକ ମେଡିକାଲ ବୋର୍ଡ ଗଠନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏପ୍ରିଲ ୨୮ରେ ଏହି ମେଡିକାଲ ବୋର୍ଡ କୋର୍ଟରେ ଦାଖଲ କରିଥିବା ରିପୋର୍ଟ ଅନୁଯା‌ୟୀ ବୈଦେହୀ ସିଂହ ଆଡଭାନ୍ସ ଡିମେନସିଆରେ ପୀଡ଼ିତ। ତେବେ ମା’ଙ୍କ ଏଭଳି ସ୍ଥିତିରେ ପୁଅ ସମ୍ପତ୍ତି ବିକିବାରେ ବ୍ୟସ୍ତ ରହିବା ଘଟଣାରେ କୋର୍ଟ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ଖଣ୍ଡପୀଠ କହିଛନ୍ତି, ଆମ ଦେଶରେ ବୟସ୍କ ମାନଙ୍କର ଏଭଳି ଦୁର୍ଦ୍ଦଶା। ଜଣେ ଅତି ସାଂଘାତିକ ମାନସିକ ରୋଗରେ ପୀଡ଼ିତ ଥିବାବେଳେ ତାଙ୍କର ସମସ୍ତ ସମ୍ପତ୍ତିକୁ ବିକ୍ରି କରାଯାଉଛି। ପୁଅ ମା’ଙ୍କ ଟିପଚିହ୍ନ ପାଇଁ ତାଙ୍କୁ ଜିଲ୍ଲାପାଳ ଅଫିସ୍‌ ନେଇ ଯାଉଛି। କୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଶୁକ୍ରବାର ଦିନ ରଖିଛନ୍ତି।

ସମ୍ବନ୍ଧିତ ଖବର