ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରି ୨୫ ପ୍ରତିଶତ ଶୁଳ୍କ (ଟାରିଫ୍) ଲଗାଇଛନ୍ତି। ଆସନ୍ତା ଅଗଷ୍ଟ ୧ରୁ ତାହା ଲାଗୁ କରାଯିବ ବୋଲି ସେ ଘୋଷଣା କରିଛନ୍ତି। କେବଳ ସେତିକି ନୁହେଁ, ରୁଷ୍ ସହ ସମ୍ପର୍କ ରଖିଥିବାରୁ ଭାରତକୁ ଅତିରିକ୍ତ ଜରିମାନା ଦଣ୍ଡ ମଧ୍ୟ ଦିଆଯାଇଛି। ଟ୍ରମ୍ପଙ୍କ ଏହି ଆଭିମୁଖ୍ୟ ପାଇଁ ଆଗାମୀ ଦିନରେ ଆମେରିକାକୁ ଭାରତର ରପ୍ତାନି ଗୁରୁତର ପ୍ରଭାବିତ ହେବା ଆଶଙ୍କା ସୃଷ୍ଟି ହୋଇଛି। ଟ୍ରମ୍ପଙ୍କ ଶୁଳ୍କ ଉପରେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ପ୍ରତିକ୍ରିୟା ଦେଇ କହିଛି ଯେ ଦ୍ବିପାକ୍ଷିକ ବାଣିଜ୍ୟ କାରବାର ଉପରେ ଆମେରିକା ରାଷ୍ଟ୍ରପତିଙ୍କ ବୟାନର ପ୍ରଭାବକୁ ସରକାର ଅନୁଧ୍ୟାନ କରୁଛନ୍ତି। ଏକ ଉଚିତ, ସନ୍ତୁଳିତ ଓ ଉଭୟ ପକ୍ଷ ପାଇଁ ଲାଭଦାୟକ ଦ୍ବିପାକ୍ଷିକ ରାଜିନାମା ଲାଗି ଭାରତ ଓ ଆମେରିକା କିଛି ମାସ ଧରି ଆଲୋଚନା କରୁଛନ୍ତି। ସେହି ଲକ୍ଷ୍ୟ ପ୍ରତି ଆମେ ପ୍ରତିବଦ୍ଧ ରହିଛୁ। ଆମ ଚାଷୀ, ଉଦ୍ୟୋଗୀ, ଏମଏସ୍ଏମ୍ଇର ସୁରକ୍ଷା ଓ ପ୍ରସାରକୁ ସରକାର ସର୍ବାଧିକ ଗୁରୁତ୍ବ ଦେଉଛନ୍ତି। ଜାତୀୟ ସ୍ବାର୍ଥର ସୁରକ୍ଷା ପାଇଁ ସରକାର ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
ରୁଷ୍ ସହ ସମ୍ପର୍କ ପାଇଁ ଜରିମାନା
ଅଗଷ୍ଟ ୧ରୁ ଲାଗୁ ହେବ
ଜାତୀୟ ସ୍ବାର୍ଥ ରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନେବୁ: ଭାରତ
ବୁଧବାର ନିଜ ସୋସିଆଲ୍ ମିଡିଆ ସଂସ୍ଥା ‘ଟ୍ରୁଥ୍ ସୋସିଆଲ୍’ରେ ଟ୍ରମ୍ପ ଭାରତର ବାଣିଜ୍ୟ ଓ ବୈଦେଶିକ ନୀତିକୁ କଡ଼ା ସମାଲୋଚନା କରିଛନ୍ତି। ବିଶେଷ କରି ରୁଷ୍ ସହ ଭାରତର ସମ୍ପର୍କକୁ ସେ ନିନ୍ଦା କରିଛନ୍ତି। ୟୁକ୍ରେନ୍ ସହ ଯୁଦ୍ଧ କରୁଥିବା ରୁଷ୍କୁ କୋଣଠେସା କରିବା ଲାଗି ସାରା ବିଶ୍ବ କରୁଥିବା ଉଦ୍ୟମ ବିରୋଧରେ ଭାରତ କାମ କରୁଛି। ତେଣୁ ଏହାକୁ ଅତିରିକ୍ତ ଜରିମାନା ଦେବାକୁ ପଡ଼ିବ ବୋଲି ଟ୍ରମ୍ପ ରୋକ୍ଠୋକ୍ ଶୁଣାଇଛନ୍ତି। ଭାରତ ଏକ ବନ୍ଧୁ ହୋଇଥିଲେ ମଧ୍ୟ ଚଢ଼ା ଶୁଳ୍କ କାରଣରୁ ଏହା ସହ ଆମେରିକାର ବ୍ୟବସାୟ କମ୍ ରହିଛି। ଅନ୍ୟତମ ସର୍ବୋଚ୍ଚ ଶୁଳ୍କ ଲଗାଇଥିବା ଦେଶ କହି ସେ ଭାରତକୁ ସମାଲୋଚନା କରିଛନ୍ତି। ଚଳିତ ବର୍ଷ ଏପ୍ରିଲ୍ ୨ରେ ‘ମୁକ୍ତି ଦିବସ’ ଅଧୀନରେ ଟ୍ରମ୍ପ ବିଭିନ୍ନ ଦେଶ ଉପରେ ପାଲଟା ଶୁଳ୍କ ଲଗାଇଥିଲେ। ଭାରତ ଉପରେ ୨୬ ପ୍ରତିଶତ ଶୁଳ୍କ ଲଗାଯାଇଥିଲା। ଗତ ଏପ୍ରିଲ୍ ୯ରୁ ତାହା ଲାଗୁ କରିବାକୁ ଟ୍ରମ୍ପ ଘୋଷଣା କରିଥିଲେ ମଧ୍ୟ ଶେଷ ମୁହୂର୍ତ୍ତରେ ସ୍ଥଗିତ ରହିଥିଲା। ଆମେରିକା ସହ ବାଣିଜ୍ୟ ରାଜିନାମା କରିବା ଲାଗି ସେ ବିଭିନ୍ନ ଦେଶକୁ ୯୦ ଦିନ ସମୟ ଦେଇଥିଲେ। ଶୀଘ୍ର ବାଣିଜ୍ୟ ରାଜିନାମା କରିବା ଲାଗି ଯେଉଁ ପାଞ୍ଚଟି ଦେଶ ଉଦ୍ୟମ ଆରମ୍ଭ କରିଥିଲେ, ସେଥିରେ ଭାରତ ଥିଲା। ଏହାସତ୍ତ୍ବେ ନିର୍ଦ୍ଧାରିତ ସମୟ ସୀମା ଭିତରେ ଆମେରିକା ସହ ବାଣିଜ୍ୟ ରାଜିନାମା ଚୂଡ଼ାନ୍ତ ହୋଇପାରିଲା ନାହିଁ।
କିଛି ଦିନ ପୂର୍ବେ ନିଜେ ଟ୍ରମ୍ପ କହିଥିଲେ ଯେ ଭାରତ ସହ ବାଣିଜ୍ୟ ରାଜିନାମା ଚୂଡ଼ାନ୍ତ ପର୍ଯ୍ୟାୟରେ ରହିଛି। କିନ୍ତୁ ଗତକାଲି ସେ ସଙ୍କେତ ଦେଇଥିଲେ ଯେ ଅଗଷ୍ଟ ୧ ପୂର୍ବରୁ ଭାରତ ସହ ରାଜିନାମା ହେବାର ସମ୍ଭାବନା କମ୍। ତେଣୁ ୨୦-୨୫% ଶୁଳ୍କ ଲଗାଯାଇପାରେ ବୋଲି ସେ ସଂକେତ ଦେଇଥିଲେ। ଆଜି ସେ ତାହା ଘୋଷଣା କରିଦେଲେ। ବାଣିଜ୍ୟ ରାଜିନାମାକୁ ନେଇ ଭାରତ ଓ ଆମେରିକା ପ୍ରତିନିଧିଙ୍କ ମଧ୍ୟରେ ଏକାଧିକ ଥର ଆଲୋଚନା ହୋଇଛି। କିନ୍ତୁ ଭାରତକୁ ଚାପରେ ରଖି ତାହାର କୃଷିଜାତ ଓ ଦୁଗ୍ଧଜାତ ବଜାରକୁ ଖୋଲା କରିବା ପାଇଁ ଆମେରିକା ଜିଦ୍ ଧରିବାରୁ ଆଲୋଚନା ଅଧା ବାଟରେ ଅଟକି ଯାଇଛି। ନିଜ ଚାଷୀ ଓ ଦେଶର ସ୍ବାର୍ଥ ସହ କୌଣସି ପ୍ରକାର ସାଲିସ କରାଯାଇନାହିଁ ବୋଲି ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ୍ କହିଥିଲେ।
ମୋଦୀଙ୍କ ବନ୍ଧୁତାର ମୂଲ୍ୟ ଦେଶକୁ ଦେବାକୁ ପଡ଼ୁଛି: କଂଗ୍ରେସ
ନୂଆଦିଲ୍ଲୀ: ଟ୍ରମ୍ପ ଶୁଳ୍କ ଘୋଷଣା କରିବା ପରେ କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରଙ୍କୁ କଡ଼ା ସମାଲୋଚନା କରାଯାଇଛି। କଂଗ୍ରେସ କହିଛି ଯେ ମୋଦୀଙ୍କ ବନ୍ଧୁତାର ମୂଲ୍ୟ ଦେଶକୁ ଦେବାକୁ ପଡ଼ୁଛି। ସେ ଟ୍ରମ୍ପଙ୍କ ପାଇଁ ନିର୍ବାଚନ ପ୍ରଚାର କରିଥିଲେ ଓ ତାଙ୍କୁ କୁଣ୍ଢାଇ ଫଟୋ ଉଠାଇ ସୋସିଆଲ୍ ମିଡିଆରେ ଭାଇରାଲ୍ କରିଥିଲେ। କିନ୍ତୁ ଫଳ କ’ଣ ହେଲା, ଟ୍ରମ୍ପ ଭାରତ ଉପରେ ଟିକସ ଲଗାଇଲେ। ଭାରତର ବୈଦେଶିକ ନୀତି ସମ୍ପୂର୍ଣ୍ଣ ବିଫଳ ହୋଇଥିବା କଂଗ୍ରେସ କହିଛି। ଅନ୍ୟପକ୍ଷରେ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ ଆମେରିକା ବାରମ୍ବାର ଲଜ୍ଜିତ କରିବା ସତ୍ତ୍ବେ ପ୍ରଧାନମନ୍ତ୍ରୀ ମୋଦୀ ଭାବୁଥିଲେ ନିରବ ରହିଲେ ଟ୍ରମ୍ପ କିଛିଟା ସ୍ବତନ୍ତ୍ର ରିହାତି ଦେବେ।