ମସଜିଦରେ ଲାଉଡସ୍ପିକର ଲଗାଇବା ମୌଳିକ ଅଧିକାର ନୁହେଁ : ଆହ୍ଲାବାଦ ହାଇକୋର୍ଟ

ବାଙ୍ଗାଲୋର : ମସଜିଦରେ ଲାଉଡସ୍ପିକର ଲଗାଇବା ଲାଗି ଆଗତ ଏକ ପିଟିସନକୁ ଖାରଜ କରିଦେଇଛନ୍ତି ଆହ୍ଲାବାଦ ହାଇକୋର୍ଟ । ଏହା ଏକ ମୌଳିକ ଅଧିକାର ନୁହେଁ ବୋଲି ହାଇକୋର୍ଟ ନିଜ ରାୟରେ କହିଛନ୍ତି ।

ଇରଫାନ ନାମକ ବ୍ୟକ୍ତିଙ୍କ ଆବେଦନର ଶୁଣାଣି କରି ଜଷ୍ଟିସ ବିବେକ କୁମାର ବିରଳା ଓ ଜଷ୍ଟିସ ବିକାଶଙ୍କୁ ନେଇ ଗଠିତ ଆହ୍ଲାବାଦ ହାଇକୋର୍ଟଙ୍କ ଏକ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି ।

ଉତ୍ତରପ୍ରଦେଶର ବଦାୟୁଁ ଜିଲ୍ଲାର ବିସାଉଲିର ଉପ-ଜିଲ୍ଲାପାଳ ମସଜିଦରେ ଲାଉଡସ୍ପିକର ଲଗାଇବା ଅନୁମତି ଦେବାକୁ ମନା କରିବାରୁ ତାହାକୁ ଚ୍ୟାଲେଞ୍ଜ କରି ଇରଫାନ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ନିଜ ଆବେଦନରେ ସେ ଦର୍ଶାଇଥିଲେ ଯେ ଏହା ତାଙ୍କ ମୌଳିକ ଅଧିକାରର ହନନ । ଧୋରନପୁର ଗାଁରେ ଥିବା ନୁରୀ ମସଜିଦରେ ଲାଉଡସ୍ପିକର ଲଗାଇବା ଉପରେ ଉପ-ଜିଲ୍ଲାପାଳ କଟକଣା ଜାରି କରିଥିଲେ ।

ମସଜିଦରେ ଲାଉଡସ୍ପିକର ଲଗାଇବା ବିବାଦ ଏବେ କେବଳ ଉତ୍ତରପ୍ରଦେଶ ଓ କର୍ଣ୍ଣାଟକ ନୁହେଁ, ଦେଶରେ ଆଉ କେତେକ ରାଜ୍ୟରେ ଦେଖାଦେଇଛି । ନିକଟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ନିର୍ଦ୍ଦେଶ ଜାରି କରି ଧର୍ମାନୁଷ୍ଠାନରେ ଲାଗିଥିବା ଲାଉଡସ୍ପିକରର ଶବ୍ଦ ପରିସର ବାହାରକୁ ନ ଯିବାକୁ କଟକଣା କରିଥିଲେ ।

ସମ୍ବନ୍ଧିତ ଖବର