‘ଆଇସୋଲେସନ୍‌’ ଓ୍ଵାର୍ଡ ଜେଲଖାନା ନୁହେଁ; ସଂପୂର୍ଣ୍ଣ ଆରୋଗ୍ୟ ଲାଭକରି ପଦାକୁ ବାହାରିବା ପରେ ନିଜର ଅନୁଭୂତି ବଖାଣିଲେ ଦେଶର ସର୍ବପ୍ରଥମ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ସଂପ୍ରତି କରୋନା ଭାଇରସ୍‌କୁ କେନ୍ଦ୍ରକରି ସମଗ୍ର ଦେଶରେ ଏକ ଅଜଣା ‘କୋକୁଆ ଭୟ’ ସୃଷ୍ଟି ହୋଇଥିବା ବେଳେ ଆଜି କରୋନାକୁ ନେଇ ସାମନାକୁ ଆସିଛି ଏକ ଭଲ ଖବର। ଦେଶର ସର୍ବପ୍ରଥମ କରୋନା ଆକ୍ରାନ୍ତ (କୋଭିଡ୍‌-୧୯) ରୋଗୀ ରୂପେ ଚିହ୍ନଟ ହୋଇଥିଲେ ରାଜଧାନୀ ନୂଆଦିଲ୍ଲୀ ମୟୂର ବିହାରର ଜନୈକ ବାସିନ୍ଦା। ତେବେ, ଡାକ୍ତରଖାନାରେ ୧୪ ଦିନ ରହି ଚିକିତ୍ସିତ ହେବା ପରେ କରୋନାରୁ ସଂପୂର୍ଣ୍ଣ ଆରୋଗ୍ୟ ଲାଭ କରି ସେ ଆଜି ସଂପୂର୍ଣ୍ଣ ସୁସ୍ଥ ମଣିଷ ସାଜି ବାହାରିଛନ୍ତି ପଦାକୁ।

କରୋନାରୁ ସଂପୂର୍ଣ୍ଣ ଆରୋଗ୍ୟ ଲାଭ କରି ପଦାକୁ ବାହାରିବା ପରେ ସେ ଆଜି ଗଣମାଧ୍ୟମ ସମ୍ମୁଖରେ ବଖାଣିଛନ୍ତି ତାଙ୍କର କରୋନା ଆକ୍ରାନ୍ତ ଅବସ୍ଥାରେ ଚିକିତ୍ସାଧୀନ ଥିବା କାଳର କାହାଣୀ। ବ୍ୟକ୍ତି ଜଣକ ହେଉଛନ୍ତି ଚମଡ଼ା ରପ୍ତାନିକାରୀ ଜଣେ ବ୍ୟବସାୟୀ। ୟୁରୋପ, ଇଟାଲି, ହଙ୍ଗେରି ଗସ୍ତ ସାରିବା ପରେ ଭିଏନାରୁ ଆସି ଫେବ୍ରୁଆରି ୨୫ ତାରିଖରେ ସେ ନୂଆଦିଲ୍ଲୀରେ ପହଞ୍ଚିବା ପରେ ତାଙ୍କୁ ଜ୍ୱର ହୋଇଥିଲା। ଥର୍ମୋମିଟରରେ ମାପି ଦେଖିଲେ ତାଙ୍କୁ ୯୯.୫ ଜ୍ୱର ଅଛି।

The Hindu

ପରଦିନ ସେ ଯାଇଥିଲେ ତାଙ୍କ ଘର ନିକଟସ୍ଥ ଜଣେ ଡାକ୍ତରଙ୍କ ପାଖକୁ। ସେ ତାଙ୍କୁ ୩ ଦିନ ପାଇଁ ଔଷଧ ଦେଇଥିଲେ। କିନ୍ତୁ ସେଥିରେ ତାଙ୍କ ଜ୍ୱର କମିଲା ନାହିଁ। ପରେ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ସେ ଫେବ୍ରୁଆରି ୨୯ ତାରିଖରେ ଗଲେ ଦିଲ୍ଲୀର ରାମମନୋହର ଲୋହିଆ ହସ୍ପିଟାଲକୁ। ପ୍ରାଥମିକ ପରୀକ୍ଷା ନିରୀକ୍ଷା ପରେ ସେ କରୋନା ଆକ୍ରାନ୍ତ ଥିବା ସନ୍ଦେହ କରି ଡାକ୍ତର ତାଙ୍କୁ ସଙ୍ଗେ ସଙ୍ଗେ ‘ଆଇସୋଲେସନ୍‌’ ଓ୍ଵାର୍ଡକୁ ପଠାଇଦେବା ସହ ତାଙ୍କ ସ୍ୱାବ ନମୁନାକୁ ପଠାଇଥିଲେ ପରୀକ୍ଷା ପାଇଁ। ମାର୍ଚ୍ଚ ୧ ତାରିଖ ଦିନ ତାଙ୍କ ପରୀକ୍ଷା ଆସିଲା ଓ ସେ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଥିଲା।

News Nation

ଏକଥା ଜଣାପଡ଼ିବା ପରେ ସମଗ୍ର ମୟୂର ବିହାର ଓ ନୋଇଡ଼ାରେ ହଇଚଇ ଖେଳିଗଲା। କାରଣ, ବିଦେଶରୁ ଫେରିବା ପରେ ସେ ଫେବ୍ରୁଆରି ୨୮ ତାରିଖରେ ତାଙ୍କ ପୁଅର ଜନ୍ମଦିନ ପାର୍ଟି ଏକ ପଞ୍ଚତାରକା ହେଟେଲରେ ଦେଇଥିଲେ ଏବଂ ଯେଉଁଥିରେ ତାଙ୍କ ପୁଅ ସ୍କୁଲର ଶତାଧିକ ସାଙ୍ଗ ସେମାନଙ୍କ ପରିବାର ସଦସ୍ୟଙ୍କ ସହ ଯୋଗ ଦେଇଥିଲେ। ଏହାପରେ ପରେ ସେ ଯେଉଁ ହେଟେଲରେ ପୁଅର ଜନ୍ମଦିନ ପାର୍ଟି ଦେଇଥିଲେ ସେ ହୋଟେଲର ସମସ୍ତ କର୍ମଚାରୀ ଓ ସେ ଯେଉଁ ବିମାନରେ ଭାରତ ଆସିଥିଲେ ସେ ବିମାନର ସମସ୍ତ କ୍ର୍ୟୁ ସଦସ୍ୟଙ୍କୁ କ୍ୱାରେଣ୍ଟିନ୍‌ରେ ପଠାଇ ଦିଆଗଲା। ସମସ୍ତଙ୍କର ସ୍ୱାବ ମଧ୍ୟ ପରିକ୍ଷା ହେଲା ହେଲେ ସବୁ ରିପୋର୍ଟ ନେଗେଟିଭ୍‌ ଆସିଲା।
ତେବେ, ‘ଆଇସୋଲେସନ୍‌’ ଓ୍ଵାର୍ଡକୁ ଜେଲଖାନା ବୋଲି ଯେଉଁମାନେ କହୁଛନ୍ତି ସେମାନଙ୍କ ସହ ଏକମତ ହୋଇନାହାନ୍ତି ଆରୋଗ୍ୟଲାଭ କରିଥିବା ଏହି ବ୍ୟକ୍ତି। ‘ଆଇସୋଲେସନ୍‌’ ଓ୍ଵାର୍ଡ ଓ ଏଥିରେ ନିୟୋଜିତ ଡାକ୍ତର ଓ ନର୍ସମାନଙ୍କର ପ୍ରଶଂସାରେ ଏବେ ଶତମୁଖ ଏହି ବ୍ୟକ୍ତି। ‘ଆଇସୋଲେସନ୍‌’ ଓ୍ଵାର୍ଡରେ ଅବସ୍ଥାନ କାଳରେ ମୋତେ ସବୁବେଳେ ଅନୁଭବ ହୋଇଛି ମୁଁ ଯେପରି ନିଜ ଘରେ ଅଛି। ମୋର ଚିକିତ୍ସା କରୁଥିବା ଡାକ୍ତର ଓ ନର୍ସମାନେ ମୋତେ ସବୁବେଳେ ଗୋଟେ ଅନୁଭବ ଦେଇଛନ୍ତି ସତେ ଯେମିତି ମୋର କିଛି ହୋଇନାହିଁ। ‘ଆଇସୋଲେସନ୍‌’ ଓ୍ଵାର୍ଡରେ ରହିବାର ଦୁଇଦିନ ପରଠାରୁ ହିଁ ମୁଁ ଆରୋଗ୍ୟ ଲାଭ କରିବାକୁ ଆରମ୍ଭ କଲି। କେବଳ ମାତ୍ର ସେମାନଙ୍କ ଠାରୁ ପାଇଥିବା ମନୋବଳ ଓ ସେମାନଙ୍କର ଆନ୍ତରିକତା ପୂର୍ଣ୍ଣ ଚିକିତ୍ସା ହିଁ ମୋତେ କରୋନାରୁ ଆରେଗ୍ୟ କରାଇଲା।

ସମ୍ବନ୍ଧିତ ଖବର