‘ପଇସାଟିଏ ବି ଆସିନାହିଁ’, କହି ମାଲ୍ୟାଙ୍କ ମାମଲାରୁ ନିଜକୁ ଓହରାଇ ନେଲେ ସୁପ୍ରିମ୍ କୋର୍ଟର ବିଚାରପତି ଜଷ୍ଟିସ୍ ରୋହିନ୍ଟନ ନରିମାନ
ନୂଆଦିଲ୍ଲୀ: ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା ‘ପଇସାଟିଏ ବି ଫୋରାଇ ନାହାନ୍ତି’; ବୋଲି କହିବା ସହ ବିଜୟ ମାଲ୍ୟାଙ୍କ ପକ୍ଷରୁ ଆଗତ ଏକ ମାମଲାର ଶୁଣାଣିରୁ ନିଜକୁ ଓହରାଇ ନେଇଛନ୍ତି ସୁପ୍ରିମ୍ କୋର୍ଟର ଅନ୍ୟତମ ବରିଷ୍ଠ ବିଚାରପତି ଜଷ୍ଟିସ୍ ରୋହିନ୍ଟନ ନରିମାନ।
Sambad is now on WhatsApp
Join and get latest news updates delivered to you via WhatsApp
ଉଲ୍ଲେଖଯୋଗ୍ୟ, ବ୍ୟବସାୟୀ ବିଜୟ ମାଲ୍ୟା ଦେଶର ବିଭିନ୍ନ ବ୍ୟାଙ୍କ୍ରୁ ୯୦୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଋଣ ଆକାରରେ ନେଇ ଋଣ ପରିଶୋଧ ନକରି ଦେଶଛାଡ଼ି ପଳାତକ ସାଜିଛନ୍ତି ଏବଂ ଇଂଲଣ୍ଡରେ ଯାଇ ଆତ୍ମଗୋପନ କରିଛନ୍ତି। ଋଣ ଅର୍ଥ ଆଦାୟ ପାଇଁ ବ୍ୟାଙ୍କଗୁଡ଼ିକ ପକ୍ଷରୁ ବାରମ୍ବାର ନୋଟିସ୍ ଜାରି କରା ଯାଉଥିଲେ ମଧ୍ୟ ସେ କୌଣସି ଉତ୍ତର ମଧ୍ୟ ଦେଉ ନାହାନ୍ତି। ଏ ପରିସ୍ଥିତିରେ ତାଙ୍କୁ ଋଣ ଦେଇଥିବା ବ୍ୟାଙ୍କଗୁଡ଼ିକ ଦେଶରେ ରହିଥିବା ତାଙ୍କର ସଂପତ୍ତି ସବୁକୁ ବାଜ୍ୟାପ୍ତ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। ତେବେ, ଋଣ ଅନାଦାୟ ପରିପ୍ରେକ୍ଷୀରେ ବ୍ୟାଙ୍କ ପକ୍ଷରୁ ତାଙ୍କ ସଂପତ୍ତି ସବୁକୁ ବାଜ୍ୟାପ୍ତ ପାଇଁ ଯେଉଁ ପ୍ରୟାସ ଆରମ୍ଭ ହୋଇଛି, ତାହା ଉପରେ ରହିତାଦେଶ ଜାରି କରିବା ପାଇଁ ଆବେଦନ କରି ବିଜୟ ମାଲ୍ୟାଙ୍କ ପକ୍ଷରୁ ସୁପ୍ରିମ୍ କୋର୍ଟରେ ଏକ ଯାଚିକା ଆଗତ କରାଯାଇଥିଲା।
ସୁପ୍ରିମ୍ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏସ୍ ଏ ବୋବଡ଼େଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠରେ ଆଜି ଏହି ମାମଲାର ଶୁଣାଣି ଆରମ୍ଭ ହୋଇଥିଲା। ତେବେ, ଏହି ଖଣ୍ଡପୀଠରେ ଅନ୍ୟତମ ବିଚାରପତି ରହିଥିବା ଜଷ୍ଟିସ୍ ରୋହିନ୍ଟନ ନରିମାନ, ‘ବିଜୟ ମାଲ୍ୟା ଋଣ ଅର୍ଥରୁ ପଇସାଟିଏ ବି ଆସି ନାହିଁ’; ବୋଲି କହି ମାଲ୍ୟାଙ୍କ ପକ୍ଷରୁ ଆଗତ ଏହି ମାମଲାର ଶୁଣାଣିରୁ ନିଜକୁ ଓହରାଇ ନେଇଥିଲେ। ଫଳରେ ଏ ମାମଲାର ଶୁଣାଣି ଆଉ ଆଗେଇ ପାରି ନଥିଲା। ଆଉ ଏକ ନୂଆ ଖଣ୍ଡପୀଠ ଗଠନ ହେଲେ ଯାଇ ଏ ମାମଲାର ଶୁଣାଣି ଆରମ୍ଭ ହେବ।