ନୂଆଦିଲ୍ଲୀ: ସେ ଜଣେ ସୁବକ୍ତା ନୁହନ୍ତି ଏବଂ ଅଷ୍ଟମ ଶ୍ରେଣୀରେ ଇଂରାଜୀ ଶିଖିଛନ୍ତି ବୋଲି ଶନିବାର ଦିନ ଭାରତର ପ୍ରଧାନ ବିଚାରପତି ଏନ୍. ଭି. ରମନା କହିଛନ୍ତି।
ଜାତୀୟ ରାଜଧାନୀ ଅଞ୍ଚଳ ଦିଲ୍ଲୀରେ ବାୟୁ ପ୍ରଦୂଷଣ ନିମନ୍ତେ କେବଳ କୃଷକମାନେ ହିଁ ଦାୟୀ ବୋଲି ତିଳେ ମାତ୍ର କହି ନାହାନ୍ତି ବୋଲି ସଲିସିଟର୍ ଜେନେରାଲ୍ ତୁଷାର ମେହେଟା ଦେଇଥିବା ସ୍ପଷ୍ଟିକରଣର ଉତ୍ତର ଦେଇ ପ୍ରଧାନ ବିଚାରପତି ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ, ସଲିସିଟର୍ ଜେନେରାଲ୍ କହିଥିଲେ, ପ୍ରଦୂଷଣର ଅନ୍ୟତମ ପ୍ରମୁଖ ସମସ୍ୟା ହେଉଛି ନଡ଼ାପୋଡ଼ି। ଏହାର ପ୍ରତ୍ୟୁତ୍ତର ଦେଇ ପ୍ରଧାନ ବିଚାରପତି କହିଥିଲେ, ଆପଣ ଯେମିତି କଥା ଉପସ୍ଥାପନ କରୁଛନ୍ତି, ସେଥିରୁ ଜଣାପଡୁଛି କେବଳ କୃଷକମାନେ ହିଁ ପ୍ରଦୂଷଣ ପାଇଁ ଦାୟୀ। କିନ୍ତୁ, ନଡ଼ାପୋଡ଼ିଜନିତ ପ୍ରଦୂଷଣର ମାତ୍ରା ମାତ୍ର ୪୦%। ବାଣ କଥା କୁଆଡ଼େ ଗଲା? ଯାନାବାହନ ପ୍ରଦୂଷଣ କଥା କୁଆଡ଼େ ଗଲା?
କେନ୍ଦ୍ର ସରକାରଙ୍କ ତରଫରୁ ପ୍ରତିନିଧିତ୍ବ କରୁଥିବା ସଲିସିଟର୍ ଜେନେରାଲ୍ ତୁଷାର ମେହେଟାଙ୍କୁ ସେ କହିଲେ, ଦୁଃଖର ବିଷୟ, ମୁଁ ଜଣେ ସୁବକ୍ତା ନୁହେଁ। ୮ମ ଶ୍ରେଣୀରେ ଇଂରାଜୀ ଭାଷା ଶିକ୍ଷା କରିଥିବାରୁ ମୋର ଏଭଳି ଅସୁବିଧା ରହିଗଲା। ଭାବ ପ୍ରକାଶ ପାଇଁ ମୁଁ ଉତ୍ତମ ଇଂରାଜୀ ଶବ୍ଦ ଜାଣେ ନାହିଁ। ମୁଁ ଇଂରାଜୀ ଭାଷାରେ ଆଇନ ପଢ଼ିଛି।
ସଲିସିଟର୍ ଜେନେରାଲ୍ କହିଥିଲେ ଯେ, ଓକିଲ ଭାବେ ଆମେ ଯେଉଁ ଭାଷାରେ ଉତ୍ତର ଦେଉଛୁ ତାହା ବୋଧହୁଏ ଭୁଲ୍ ବାର୍ତ୍ତା ଦେଉଛି, କିନ୍ତୁ ତାହା ଆମର ଉଦ୍ଦେଶ୍ୟ ନୁହେଁ।
ତୁଷାର ମେହେଟା ଆହୁରି ମଧ୍ୟ କହିଛନ୍ତି ଯେ, ସେ ମଧ୍ୟ ୮ମ ଶ୍ରେଣୀରେ ଇଂରାଜୀ ଶିଖିଛନ୍ତି ଏବଂ ଗୁଜୁରାଟୀ ମାଧ୍ୟମରେ ସ୍ନାତକ ପର୍ଯ୍ୟନ୍ତ ପଢ଼ିଛନ୍ତି। ସେ କହିଛନ୍ତି, ଆମେ ଉଭୟ ଅକଳିଆ ପରିସ୍ଥିତିରେ ପଡ଼ିଯାଇଛନ୍ତି। ମୁଁ ବି ଇଂରାଜୀ ମାଧ୍ୟମରେ ଆଇନ ପଢ଼ିଛି।
ଦିଲ୍ଲୀରେ ବାୟୁ ପ୍ରଦୂଷଣ ମାତ୍ରା ବୃଦ୍ଧି ବିଷୟରେ ଚିନ୍ତାକୁଳ ହୋଇ ଆଦିତ୍ୟ ଦୁବେ ନାମରେ ଜଣେ ୧୭ ବର୍ଷିୟ ଛାତ୍ର ସୁପ୍ରିମ୍ କୋର୍ଟରେ ଉକ୍ତ ପିଟିସସନ୍ ଦାଏର କରିଥିଲେ। ଭାରତର ପ୍ରଧାନ ବିଚାରପତି ଏନ୍ଭି ରମନା, ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡ଼ ଏବଂ ସୂର୍ଯ୍ୟକାନ୍ତ ଆଜି ଉକ୍ତ ପିଟିସନ୍ର ଶୁଣାଣି କରୁଥିବା ବେଳେ ପ୍ରଧାନ ବିଚାରପତି ଏବଂ ସଲିସିଟର୍ ଜେନେରାଲ୍ଙ୍କ ମଧ୍ୟରେ ଏ ଭଳି କଥାବାର୍ତ୍ତା ହୋଇଥିଲା।