କେରଳ ପ୍ରଳୟ: ବିଦେଶ ସହାୟତା ନେବନି ଭାରତ

ୟୁଏଇର ୭୦୦ କୋଟି ସହାୟତାକୁ ପ୍ରତ୍ୟାଖ୍ୟାନ

ନୂଆଦିଲ୍ଲୀ: କେରଳ ବନ୍ୟା ବିଭୀଷିକାରେ ଯେଉଁ ଅକଳ୍ପନୀୟ କ୍ଷୟକ୍ଷତି ଘଟିଛି, ତାହାର ଭରଣା ଭାରତ ନିଜେ କରିବ। ଘରୋଇ କ୍ଷେତ୍ରରେ ଯେତିକି ପରିମାଣର ସମ୍ବଳ ରହିଛି, ତାହାର ଉପଯୋଗ କରି ପୁଣି କେରଳକୁ ପୂର୍ବଭଳି ଠିଆ କରାଇବ। ରାଜ୍ୟ ଓ କେନ୍ଦ୍ର ପରସ୍ପର ସହ ହାତ ମିଳାଇବେ। ଅନ୍ୟ ରାଜ୍ୟ ମଧ୍ୟ ଏଥିରେ ଭାଗୀଦାର ହେବେ। କିନ୍ତୁ ଏଥିପାଇଁ ବର୍ତମାନ କୌଣସି ବିଦେଶୀ ସହାୟତା ନିଆଯିବ ନାହିଁ। କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ୨୦୦୪ ନୀତିକୁ ଅପରିବର୍ତ୍ତିତ ରଖି କେନ୍ଦ୍ର ସରକାର କେରଳର ଚିତ୍ର ବଦଳାଇବାକୁ ପ୍ରୟାସ କରିବେ।

ଏ ସଂକ୍ରାନ୍ତରେ କେନ୍ଦ୍ର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ବିଦେଶରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତମାନଙ୍କୁ ଇମେଲ୍‌ ଜରିଆରେ ଅବଗତ କରାଯାଇଛି। କେରଳ ପାଇଁ କୌଣସି ରାଷ୍ଟ୍ର ଆର୍ଥିକ ବା ଅନ୍ୟପ୍ରକାର ସହାୟତା ଦେବାକୁ ଚାହିଲେ ସେମାନଙ୍କୁ କେବଳ ଧନ୍ୟବାଦ ଜଣାଇବାକୁ କୁହାଯାଇଛି। ରାଜ୍ୟର ଲୋକମାନଙ୍କ ଆବଶ୍ୟକତା ପୂରଣ ପାଇଁ ଭାରତ ନିକଟରେ ସାମର୍ଥ୍ୟ ରହିଛି ବୋଲି ମଧ୍ୟ ସେମାନଙ୍କୁ କହିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଏମିତି କି ଭାରତ ମଧ୍ୟ ସେମାନଙ୍କ ପ୍ରତି କୃତଜ୍ଞ ରହିବ ଏବଂ ଭବିଷ୍ୟତରେ ଆବଶ୍ୟକ ପଡ଼ିଲେ ସହାୟତାର ହାତ ବଢ଼ାଇବ ବୋଲି ଚିଠିରେ କୁହାଯାଇଛି। ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ନିକଟରେ କେରଳ ପାଇଁ ୭୦୦ କୋଟି ଟଙ୍କାର ସହାୟତା ଦେବାକୁ ପ୍ରସ୍ତୁତ ବୋଲି କହିଥିଲା। ତେଣୁ ଭାରତ ସରକାର ଚାହିଲେ ଏହି ଅର୍ଥ ପ୍ରଦାନ କରାଯିବ ବୋଲି ୟୁଏଇ ପ୍ରଧାନମନ୍ତ୍ରୀ ଶେଖ୍‌ ମହମ୍ମଦ ଅଲ୍‌ ମକ୍‌ତୁମ୍‌ ଟ୍ଵିଟ୍‌ କରି କହିଥିଲେ। ତେବେ ଦେଶର ଏହି ସହାୟତାକୁ ସରକାର ଗ୍ରହଣ କରିବେ କି ନାହିଁ ସେ ନେଇ ସ୍ପଷ୍ଟ ହୋଇପାରି ନଥିଲା। ୟୁଏଇ ସହାୟତା ପ୍ରସଙ୍ଗରେ କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ କହିଛନ୍ତି ୟୁଏଇକୁ ଅନ୍ୟ ରାଷ୍ଟ୍ର ସହିତ ତୁଳନା କରିହେବ ନାହିଁ। ତେଣୁ ୟୁଏଇର ସହାୟତା ପ୍ରସ୍ତାବକୁ ଗ୍ରହଣ କରିବା ଠିକ ହେବ ବୋଲି ସେ କହିଛନ୍ତି।

ଉଦ୍ଧାର ଶେଷ, ରାଜନୀତି ଆରମ୍ଭ
କେରଳ ବନ୍ୟା କୃତ୍ରିମ: କଂଗ୍ରେସ
ଡ୍ୟାମ୍‌ ଗେଟ୍‌ ପରିଚାଳନାରେ ଢିଲା: ବିଜେପି

ଥିରୁଅନନ୍ତପୁରମ୍‌: ବନ୍ୟା ପ୍ରପୀଡ଼ିତ କେରଳରେ ଉଦ୍ଧାର କାର୍ଯ୍ୟ ସରିଆସୁଥିବା ବେଳେ ଏବେ ଏହି ବିତ୍ପାତକୁ ନେଇ ରାଜନୈତିକ ଲଢ଼େଇ ଆରମ୍ଭ ହୋଇଯାଇଛି। ବିରୋଧୀ ଦଳଗୁଡ଼ିକ ପିନାରାୟୀ ବିଜୟନ୍‌ ସରକାରଙ୍କୁ ଚାରିପଟୁ ଘେରିବା ଆରମ୍ଭ କରିଛନ୍ତି। କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ୍‌ (ୟୁନାଇଟେଡ୍‌ ଡେମୋକ୍ରାଟିକ୍‌ ଫ୍ରଣ୍ଟ) ବିରୋଧୀ ଦଳ ବନ୍ୟା ବିପତ୍ତିକୁ କୃତ୍ରିମ ଦୁର୍ବିପାକ ବୋଲି ଦର୍ଶାଇଛି। ରାଜ୍ୟ ପ୍ରତି ସବୁବେଳେ ପ୍ରାକୃତିକ ଦୁର୍ବିପାକ ଆଶଙ୍କା ରହିଥିଲେ ହେଁ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରସ୍ତୁତି କରାଯାଇ ନଥିଲା ବୋଲି ବିଧାନସଭାରେ ବିରୋଧୀ ଦଳ ନେତା ରମେଶ ଚେନ୍ନିଥଲା କହିଛନ୍ତି। ଘଟଣା ଉପରେ ଏକ ବିଚାର ବିଭାଗୀୟ ତଦନ୍ତ ହେବା ଆବଶ୍ୟକ ବୋଲି ସେ ଦାବି କରିଛନ୍ତି। ରାଜ୍ୟରେ କେଉଁ ପରିସ୍ଥିତିରେ ଏକାଥରେ ୪୦ଟି ଡ୍ୟାମ୍‌ର ଗେଟ୍‌ ଖୋଲିବାକୁ ପଡ଼ିଲା, ତାହାର ତଦନ୍ତ ହେବା ଜରୁରି ବୋଲି ସେ କହିଛନ୍ତି। ତାଙ୍କ କହିବାନୁଯାୟୀ ରାଜ୍ୟର କେଉଁ ଅଞ୍ଚଳ ଜଳମଗ୍ନ ହେବ, ସେ ନେଇ ସରକାରଙ୍କର ଆଦୌ ଧାରଣା ନଥିଲା।

ବିଜେପି ରାଜ୍ୟ ସଭାପତି ପି ଏସ୍‌ ଶ୍ରୀଧରନ୍‌ ପିଲାଇ ମଧ୍ୟ ବାମଦଳ ଅଧୀନ ରାଜ୍ୟ ସରକାରଙ୍କୁ ଦୋଷ ଦେଇଛନ୍ତି। ସେ କହିଛନ୍ତି, ସରକାରଙ୍କର ଦୂରଦୃଷ୍ଟି ଅଭାବ ରହିଛି। ଆଗୁଆ ପଦକ୍ଷେପ ନିଆଯାଇଥିଲେ ଏତେବଡ଼ ବନ୍ୟା ବିତ୍ପାତର ପ୍ରଭାବକୁ କମ୍‌ କରାଯାଇ ପାରିଥାନ୍ତା। କଂଗ୍ରେସ ନେତା ତଥା ରାଜ୍ୟର ପୂର୍ବତନ ଶକ୍ତି ମନ୍ତ୍ରୀ ଆର୍ଯ୍ୟାଦାନ୍‌ ମହମ୍ମଦ କହିଛନ୍ତି, ବିଭିନ୍ନ କର୍ତ୍ତୃପକ୍ଷମାନେ ଠିକଣା ଭାବେ ପଦକ୍ଷେପ ନେଇଥିଲେ ଏତେ କ୍ଷୟକ୍ଷତି ଘଟିନଥାନ୍ତା। ୨୦୧୩ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସିବା ବେଳେ ଇଡୁକି ଡ୍ୟାମ୍‌ ଜଳପୂର୍ଣ୍ଣ ହୋଇଯାଇଥିଲା। ସେତେବେଳେ ଆଗୁଆ ପଦକ୍ଷେପ ସ୍ୱରୂପ ଡ୍ୟାମ୍‌ ଗେଟ୍‌ଗୁଡ଼ିକୁ ଖୋଲାଯାଇଥିଲା। ଫଳରେ ସମ୍ଭାବ୍ୟ ବନ୍ୟା ବିତ୍ପାତ ଟଳିଯାଇଥିଲା। କିନ୍ତୁ ସଦ୍ୟତମ ବିପର୍ଯ୍ୟୟରେ ୧୧ ଘଣ୍ଟା ବିଳମ୍ବରେ ପଦକ୍ଷେପ ନିଆଗଲା ଏବଂ ସବୁ ଡ୍ୟାମ୍‌ ଗେଟ୍‌ ଏକାବେଳକେ ଖୋଲିଦିଆଗଲା। ଏହା ହିଁ ବନ୍ୟା ବିତ୍ପାତ ଆଣିବାରେ ମୁଖ୍ୟ କାରଣ ସାଜିଲା ବୋଲି ମହମ୍ମଦ ଦର୍ଶାଇଛନ୍ତି। ସମସ୍ତ ଅଭିଯୋଗକୁ ରାଜ୍ୟ ସରକାର ଖଣ୍ଡନ କରିଛନ୍ତି। ସବୁକିଛି ଠିକଣା ଭାବେ କରାଯାଇଛି। ଡ୍ୟାମ୍‌ ପରିଚାଳନାରେ ଆଦୌ ତ୍ରୁଟି କରାଯାଇ ନାହିଁ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର