ମୋଦୀଙ୍କୁ ଭୟ କରୁନି: ରାହୁଲ

ଗା‌ନ୍ଧି ପରିବାର ଆଇନରୁ ଊର୍ଦ୍ଧ୍ବରେ ନୁହନ୍ତି: ବିଜେପି

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗତକାଲି ନେସନାଲ ହେରାଲଡ ଅଫିସ୍‌ର ୟଙ୍ଗ ଇଣ୍ଡିଆନ୍‌ ଅଫିସ ସିଲ୍‌ କରିବାପରେ କଂଗ୍ରେସ ନେତା‌ ରାହୁଲ ଗାନ୍ଧି ଆଜି ମୋଦୀ ସରକାର ବିରୋଧରେ ବର୍ଷିଛନ୍ତି। ରାହୁଲ କହିଛନ୍ତି, ତାଙ୍କ ଦଳ ନରେନ୍ଦ୍ର ମୋଦୀଙ୍କୁ ଭୟ କରୁନାହିଁ ଏବଂ କେନ୍ଦ୍ରର ଭୟ ସୃଷ୍ଟିକାରୀ ପଦକ୍ଷେପକୁ ବି ଡରୁନାହିଁ। ନେସନାଲ ହେରାଲଡ ମାମଲାରେ ସାମ୍ବାଦିକମାନଙ୍କର ଏକ ପ୍ରଶ୍ନର ଉତ୍ତର ଦେଇ ରାହୁଲ କହିଛନ୍ତି, ସେମାନେ ଆମ ଉପରେ ଚାପ ପକାଇ ପାଟି ବନ୍ଦ କରିବାକୁ ଭାବୁଛନ୍ତି। କିନ୍ତୁ ଆମେ ନରେନ୍ଦ୍ର ମୋଦୀଙ୍କୁ ଭୟ କରୁନା ବୋଲି ରାହୁଲ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଉପରେ ସିଧାସଳଖ ଆକ୍ରମଣ କରି ରାହୁଲ କହିଛନ୍ତି, ସେମାନେ ଗଣତନ୍ତ୍ର ବିରୋଧରେ କାମ କରୁଛନ୍ତି। କଂଗ୍ରେସ ଲଗାତାର ସେମାନଙ୍କୁ ବିରୋଧ କରିବ। ଦେଶରେ ସଦ୍‌ଭାବ ବଜାୟ ରଖିବା ପାଇଁ ଏବଂ ଗଣତନ୍ତ୍ରର ସୁରକ୍ଷା ପାଇଁ ମୁଁ ଅହରହ କାମ କରିବି ବୋଲି ରାହୁଲ କହିଛନ୍ତି। ବାସଭବନ ଓ କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖ ବ୍ୟାରିକେଡ ପ୍ରସଙ୍ଗରେ ରାହୁଲ କହିଛନ୍ତି, ସତକୁ କେବେହେଲେ ବ୍ୟାରିକେଡ୍‌ କରିହେବନି।

ଅନ୍ୟପକ୍ଷେ ବିଜେପି ଆଜି ଏହି ପ୍ରସଙ୍ଗରେ କଂଗ୍ରେସ ଏବଂ ଗାନ୍ଧି ପରିବାରକୁ କଡ଼ା ସମାଲୋଚନା କରିଛି। ବିଜେପି ମୁଖପାତ୍ର ସମ୍ବିତ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ସମ୍ବିଧାନ ଏବଂ ଆଇନ ସମସ୍ତଙ୍କ ପାଇଁ ସମାନ। ସେ କଂଗ୍ରେସ ସଭାପତି ହୁଅନ୍ତୁ କି ଦଳର ପୂର୍ବତନ ସଭାପତି ହୁଅନ୍ତୁ କିମ୍ବା ଅନ୍ୟ କୌଣସି ସାଧାରଣ ବ୍ୟକ୍ତି ହୁଅନ୍ତୁ ଆଇନ ସମସ୍ତଙ୍କ ପାଇଁ ସମାନ। ପାତ୍ର କହିଛନ୍ତି, ଆଇନ ସହ ଲଢ଼େଇ କରିବା ଅସମ୍ଭବ ଏବଂ ଆଇନ ଓ ସମ୍ବିଧାନରୁ ଖସିଯିବା ମଧ୍ୟ ସମ୍ଭବନୁହେଁ। ବିଜେପି ଜାତୀୟ ମୁଖପାତ୍ର ଗୌରବ ଭାଟିଆ ମଧ୍ୟ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ପ୍ରଥମେ ତୁମେ (ଗାନ୍ଧି ପରିବାର) ଦେଶକୁ ଲୁଟିଲ ଏବଂ ପରେ ସମଗ୍ର ଦେଶରେ ଅରାଜକତା ସୃଷ୍ଟି କରିବାକୁ ଚେଷ୍ଟା କରୁଛ। ଗାନ୍ଧି ପରିବାର ଆଇନରୁ ଊର୍ଦ୍ଧ୍ବ‌ରେ ନୁହନ୍ତି। ରାହୁଲ ଏବଂ ସୋନିଆ କିଛି ଉଚିତ ପ୍ରଶ୍ନର ଉତ୍ତର ଦେବା ଉଚିତ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର