ନୂଆଦିଲ୍ଲୀ: ମହାମାରୀ କୋଭିଡ୍-୧୯ରୁ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରିବା ପାଇଁ ଅଦ୍ୟାବଧି କୌଣସି ପ୍ରକାର ଉପଚାର ଉପଲବ୍ଧ ହୋଇପାରିନାହିଁ। ଏକଥା ସମସ୍ତେ ଜାଣି ସୁଦ୍ଧା ପ୍ଲାଜ୍ମା ଚିକିତ୍ସା ପରି ଅଭିନବ ପରୀକ୍ଷାମୂଳକ ଉପଚାର ପ୍ରକ୍ରିୟା ଦିନକୁ ଦିନ ଲୋକପ୍ରିୟ ହେବାରେ ଲାଗିଛି। ଭାରତରେ ମଧ୍ୟ ଏହି ପ୍ଲାଜ୍ମା ଚିକିତ୍ସା ଆରମ୍ଭ ହୋଇଥିବା ବେଳେ ଏଥିପାଇଁ ଭିନ୍ନ ଆହ୍ବାନର ମଧ୍ୟ ସମ୍ମୁଖୀନ ହେବାକୁ ପଡୁଛି। କାରଣ ଏହି ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ସାଧନ ପାଇଁ ଆମେ ଯାହାଠୁ ଚାହିଲେ ତାହାଠୁ ପ୍ଲାଜ୍ମା ସଂଗ୍ରହ କରିପାରିବା ନାହିଁ। ଏପରିକି ଜଣେ ସୁସ୍ଥ ସବଳ ସ୍ବେଚ୍ଛାସେବୀଠାରେ ପ୍ରଭୂତ ପ୍ଲାଜ୍ମା ରହିଥିଲେ ବି ତାହା ଏହି ପ୍ଲାଜ୍ମା ଚିକିତ୍ସାରେ ବିନିଯୋଗ ହୋଇପାରିବ ନାହିଁ।
ଏହି ଚିକିତ୍ସା ପଦ୍ଧତିରେ ସାଧାରଣତଃ ଜଣେ କୋଭିଡ୍-୧୯ ପୀଡ଼ିତ ଆରୋଗ୍ୟ ଲାଭ କଲା ପରେ ତା' ରକ୍ତରୁ ଆରୋଗ୍ୟଶୀଳ ପ୍ଲାଜ୍ମା ସଂଗୃହ କରାଯାଇ ନୂଆ କୋଭିଡ୍ ରୋଗୀ ଦେହରେ ପ୍ରୟୋଗ କରାଯାଉଛି। ଅବଶ୍ୟ ଏପରି ଚିକିତ୍ସା ଦ୍ବାରା ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ କିଛି ଗୁରୁତର କୋଭିଡ୍ ରୋଗୀ ମଧ୍ୟ ସୁସ୍ଥ ହୋଇଥିବା ନଜିର ରହିଛି। ତେବେ ଏହି ଚିକିତ୍ସାର ମୁଖ୍ୟ ଉପାଦାନ ହେଉଛି କେବଳ ଜଣେ ସୁସ୍ଥ କୋଭିଡ୍ ରୋଗୀର ରକ୍ତରେ ଥିବା ଆରୋଗ୍ୟଶୀଳ ପ୍ଲାଜ୍ମା। ତେବେ ଆବଶ୍ୟକ ପ୍ଲାଜ୍ମା ସଂଗ୍ରହ କରିବା ଏବେ ଦୁରୂହ ବ୍ୟାପାର ହୋଇଛି। କାରଣ ମିଳିଥିବା ଏକ ସଦ୍ୟ ରିପୋର୍ଟ ଅନୁସାରେ, କୋଭିଡ୍ରୁ ଭଲ ହୋଇଥିବା ରୋଗୀମାନଙ୍କ ଭିତରୁ ୩୦ ପ୍ରତିଶତଙ୍କ ରକ୍ତରେ ଆବଶ୍ୟକ ପରିମାଣର ଆରୋଗ୍ୟଶୀଳ ପ୍ଲାଜ୍ମା ରହୁନାହିଁ।
ସୁତରାଂ କୋଭିଡ୍ରୁ ଆରୋଗ୍ୟଲାଭ କରିଥିବା ପ୍ରତ୍ୟେକ ରୋଗୀ ଅନ୍ୟ ପାଇଁ ପ୍ଲାଜ୍ମା ଦାନ କରିବାକୁ ଯୋଗ୍ୟ ନୁହଁନ୍ତି। ଅପରପକ୍ଷେ, ଜଣେ କୋଭିଡ୍ ରୋଗୀର ଉପଚାର ପାଇଁ କେତେ ପରିମାଣର ପ୍ଲାଜ୍ମା ଆବଶ୍ୟକ, ତାହା ମଧ୍ୟ ଏଯାଏ ଜଣାନାହିଁ। ସୁତରାଂ ଜଣଙ୍କ ଶରୀରରେ ଅଳ୍ପ ପରିମାଣର ପ୍ଲାଜ୍ମା ଥିଲେ, ସେ ପୁଣି ସଂକ୍ରମିତ ହେବାର ଆଶଙ୍କା ରହିଛି କି ନାହିଁ ତାହା ମଧ୍ୟ ସ୍ପଷ୍ଟ ଭାବେ କହିହେବ ନାହିଁ ବୋଲି ସକେତ ସ୍ଥିତ ମାକ୍ସ ହସ୍ପିଟାଲର ଅନ୍ତର୍ଭେଷଜ ବିଭାଗ ସହନିର୍ଦ୍ଦେଶକ ଡା. ରୋମେଲ୍ ଟିକ୍କୂ କହିଛନ୍ତି।