ନୂଆଦିଲ୍ଲୀ: କେମିତି କଟିଲା ପାକିସ୍ତାନରେ ୨୧ ଦିନ ? କେମିତି କଟିଲା ଦିନ, କେମିତି ବିତିଲା ରାତି ? ଶତ୍ରୁ ଦେଶରେ ୩ ସପ୍ତାହ କେମିତି ବିତାଇଲେ ବିଏସଏଫ ଯବାନ ପୂର୍ଣ୍ଣମ୍ କୁମାର ସ ? କେତେ କଷ୍ଟକର ଥିଲା ପାକିସ୍ତାନ କବଜାରେ ରହିବା ? ପାକିସ୍ତାନ କବଳରୁ ମୁକୁଳି ସ୍ବଦେଶ ଫେରିବା ପରେ ଅଙ୍ଗେନିଭା କଥା ବଖାଣିଛନ୍ତି ବିଏସଏଫ ଯବାନ ପୂର୍ଣ୍ଣମ କୁମାର ସ’ ।
ଏପ୍ରିଲ ୨୩ ତାରିଖରେ ପାକ୍ ରେଞ୍ଜରମାନଙ୍କ ଦ୍ୱାରା ଧରାପଡ଼ିଥିବା ବିଏସଏଫ୍ ଯବାନ ପୂର୍ଣ୍ଣମ ସ’ଙ୍କୁ ପାକିସ୍ତାନ ଭାରତକୁ ହସ୍ତାନ୍ତର କରିଛି । ଅଟାରୀ-ଓ୍ବାଘା ସୀମା ଦେଇ ସେ ଭାରତ ଫେରିଛନ୍ତି । ପୂର୍ଣ୍ଣମ ଭାରତ-ପାକିସ୍ତାନ ସୀମାରେ ପଞ୍ଜାବର ଏକ କ୍ଷେତ ନିକଟରେ ଡ୍ୟୁଟିରେ ଥିଲେ। ଭୁଲବଶତଃ ସେ ଭାରତୀୟ ସୀମା ପାର୍ କରି ପାକିସ୍ତାନରେ ପ୍ରବେଶ କରିଥିଲେ । ଯେଉଁଠାରେ ପାକିସ୍ତାନ ରେଞ୍ଜରମାନେ ତାଙ୍କୁ ଅଟକ ରଖିଥିଲେ।
ତେବେ ପାକିସ୍ତାନରେ କେମିତି ଥିଲେ ସେସବୁ ଦିନ ସବୁ କହିଛନ୍ତି ଯବାନ । ଯବାନଙ୍କ ଆଖିରେ ପଟି ବାନ୍ଧି ରଖାଯାଇଥିଲା । ତାଙ୍କୁ ଶୋଇବାକୁ ଦିଆଯାଉନଥିଲା । ସବୁ ରାତିରେ ତାଙ୍କୁ ପଚରା ଉଚରା କରାଯାଉଥିଲା । ସୀମାରେ ମୁତୟନ ଭାରତୀୟ ସେନା ବାବଦରେ ତଥ୍ୟ ବାରମ୍ବାର ମଗାଯାଉଥିଲା । ପୂର୍ଣ୍ଣମଙ୍କ ସହ ଜଣେ ଯବାନ ଭାବେ ନୁହେଁ ବରଂ ଏକ ଗୁପ୍ତଚର ଭଳି ବ୍ୟବହାର କରାଯାଉଥିଲା । ତାଙ୍କୁ ଏକ ଗୁପ୍ତ ଜାଗାରେ ରଖାଯାଇଥିଲା । ବାରମ୍ବାର ସ୍ଥାନ ବଦଳାଯାଉଥିଲା । ତାଙ୍କୁ ଏମିତି ଏକ ଜାଗାରେ ରଖିଥିଲେ ଯେଉଁଠି ବିମାନର ଶବ୍ଦ ସବୁ ଶୁଭୁଥିଲା । ହୁଏତ ତାହା ଏୟାର ବେସ୍ ହୋଇପାରେ ବୋଲି ପୂର୍ଣ୍ଣମ କହିଛନ୍ତି । ତେବେ ତାଙ୍କୁ ଶାରୀରିକ ନିର୍ଯାତନା ସିନା ଦିଆଯାଇନି, କିନ୍ତୁ ବାରମ୍ବାର ମାନସିକ ନିର୍ଯାତନା ଦିଆଯାଉଥିଲା । ସବୁଠାରୁ ବଡ଼ କଥା ତାଙ୍କୁ ଦାନ୍ତଘଷିବାକୁ ଦିଆଯାଉନଥିଲା । ବିନା ଦାନ୍ତ ଘଷାରେ ତାଙ୍କୁ ଖାଦ୍ୟ ଦିଆଯାଉଥିଲା ।