ଦାଉଦ କରାଚୀରେ ନାହିଁ : ପାକିସ୍ତାନ ସରକାରଙ୍କ ବୟାନକୁ ଛୋଟା ସକିଲର ଅସ୍ୱୀକାର

ନୂଆଦିଲ୍ଲୀ : ଅଣ୍ଡରଓ୍ଵାର୍ଲଡ ଡନ ଦାଉଦ ଇବ୍ରାହିମ ପାକିସ୍ତାନର କରାଚୀରେ ଥିବା ଖୋଦ ପାକିସ୍ତାନ ସରକାର ସ୍ୱୀକାର କରିଥିବାବେଳ ଦାଉଦର ଡାହାଣ ହାତ କୁହାଯାଉଥିବା ଛୋଟା ସକିଲ ତାହାକୁ ଅସ୍ୱୀକାର କରିଛି । କୌଣସି ସରକାର ପ୍ରତି ସେମାନେ ଜବାବଦେହୀ ନାହାନ୍ତି ବୋଲି ସେ କହିଛି ।
ଭାରତୀୟ ଟିଭି ଚ୍ୟାନେଲ ସିଏନଏନ-ନ୍ୟୁଜ୧୮କୁ ଟେଲିଫୋନ ଯୋଗେ ସେ କହିଛି ଯେ ଆମେ କରାଚୀରେ ନାହୁଁ । ଯଦି ଆମେ କରାଚୀରେ ଅଛୁ ବୋଲି ଭାରତୀୟ ଗଣମାଧ୍ୟମ କହୁଛି, ଉକ୍ତ ଖବର ପାଇଁ ଗଣମାଧ୍ୟମ ଦାୟୀ ରହିବା ଉଚିତ । ଗଣମାଧ୍ୟମ ଯେକୌଣସି ଏକ କୋଠାକୁ ଦାଉଦର କୋଠା ବୋଲି କହୁଛି, ଯେକୌଣସି ଏକ କାରକୁ ଦାଉଦର କାର ବୋଲି କହୁଛି, ଏପରି ଖବର ପ୍ରକାଶ କରିବା ପାଇଁ ଗଣମାଧ୍ୟମ ଦାୟୀ ।
ବର୍ଷ ବର୍ଷ ଧରି ଅସ୍ୱୀକାର କରିବା ପରେ କିଛିଦିନ ତଳେ ପାକିସ୍ତାନ ସରକାର ଦାଉଦ ଇବ୍ରାହିମ କରାଚୀରେ ଥିବା ସ୍ୱୀକାର କରିଥିଲେ । ଏହା ସହିତ କେତେକ କୁଖ୍ୟାତ ଆତଙ୍କବାଦୀ ଯଥା ମାସୁଦ ଆଝାର, ହାଫିଜ ସଇଦ ସମେତ ଦାଉଦର ସଂପତ୍ତିକୁ ମଧ୍ୟ ଅଚଳ କରିଦେଇଥିଲେ । ଏହି କାର୍ଯ୍ୟାନୁଷ୍ଠାନ ବେଳେ ଦାଉଦର ଠିକଣା ହ୍ଵାଇଟ ହାଉସ, ସାଉଦି ମସଜିଦ ନିକଟ, କ୍ଲିଫଟନ , କରାଚୀ ବୋଲି ଲେଖାଯାଇଥିଲା । ସେହିପରି କରାଚୀର ଡିଫେନ୍ସ ହାଇସିଂ କଂପ୍ଲେକ୍ସରେ ଥିବା ଆଉ ଏକ କୋଠାକୁ ତାହାର ବୋଲି ଦର୍ଶାଯାଇଥିଲା ।

ସମ୍ବନ୍ଧିତ ଖବର