ନିର୍ବାଚନ କମିଶନଙ୍କ ଘୋଷଣା ପୂର୍ବରୁ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ତାରିଖ ସଂପର୍କରେ ଟୁଇଟ୍‌ ଘଟଣାର ତଦନ୍ତ ହେବ: ନିର୍ବାଚନ କମିଶନ

ଖାଲି ବିଜେପି ନୁହେଁ କଂଗ୍ରେସର ବି ସୋସିଆଲ ମିଡିଆ ସେଲ୍‌ର ମୁଖ୍ୟ କରିଥିଲେ ଟୁଇଟ୍‌

ନୂଆଦିଲ୍ଲୀ: ଆସନ୍ତା କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ କମିଶନ ଆନୁଷ୍ଠାନିକ ଭାବେ ତାରିଖ ଘୋଷଣା କରିବା ପୂର୍ବରୁ ସୋସିଆଲ ମିଡିଆ ଟୁଇଟରରେ ନିର୍ବାଚନ ତାରିଖ ପ୍ରକାଶ ପାଇବା ଘଟଣାକୁ କେନ୍ଦ୍ରକରି ଏବେ ଦେଶରେ ହଇଚଇ ସୃଷ୍ଟି ହୋଇଛି। ଏହି ଘଟଣା ନିର୍ବାଚନ କମିଶନଙ୍କୁ ଏକ ଅଡୁଆ ପରିସ୍ଥିତରେ ପକାଇବା ସହ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟର ଗୋପନୀୟତା ଉପରେ ମଧ୍ୟ ପ୍ରଶ୍ନବାଚୀ ଲଗାଇଛି।

ଉଲ୍ଲେଖଯୋଗ୍ୟ, ନିର୍ବାଚନ କମିଶନ ଆଜି କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଆନୁଷ୍ଠାନିକ ଭାବେ ତାରିଖ ଘୋଷଣା କରିବାର ଅବ୍ୟବହିତ ପୂର୍ବରୁ ଭାରତୀୟ ଜନତା ପାର୍ଟି (ବିଜେପି)ର ଆଇଟି ସେଲ୍‌ ମୁଖ୍ୟ ଅମିତ୍‌ ମାଲବ୍ୟ ନିର୍ବାଚନ ତାରିଖ ସମେତ ଫଳାଫଳ ଘୋଷଣାର ତାରିଖ ସଂପର୍କରେ ଟୁଇଟ୍‌ କରି ଦେଇଥିଲେ। ମାଲବ୍ୟଙ୍କର ଏହି ଟୁଇଟ୍‌କୁ କେନ୍ଦ୍ର କରି ଦେଶବ୍ୟାପି ଆଲୋଡ଼ନ ପ୍ରକାଶ ପାଇଥିଲା।

ତେବେ, ଏବେ ଜାଣିବାକୁ ମିଲିଛି ଯେ କେବଳ ମାତ୍ର ବିଜେପିର ଆଇଟି ସେଲ୍‌ ମୁଖ୍ୟ ଅମିତ୍‌ ମାଲବ୍ୟ କର୍ଣ୍ଣାଟକ ନିର୍ବାଚନ ତାରଖ ସଂପର୍କରେ ନିର୍ବାଚନ କମିଶନଙ୍କ ପୂର୍ବରୁ ଟୁଇଟ କରି ନଥିଲେ; କର୍ଣ୍ଣାଟକ କଂଗ୍ରେସର ସୋସିଆଲ ମିଡିଆର ମୁଖ୍ୟଥିବା ଶ୍ରୀବାସ୍ତବ ମଧ୍ୟ ଏପ୍ରକାରର ଟୁଇଟ୍‌ କରିଥିଲେ। ଆଉ ଉଭୟେ ଠିକ୍‌ ଗୋଟିଏ ସମୟ; ୧୧:୦୮ ମିନିଟରେ ଏହି ଟୁଇଟ୍‌ କରିଥିବା ଜାଣିବାକୁ ମିଳିଛି।

ବର୍ତ୍ତମାନ ଏହି ଟୁଇଟ୍‌କୁ ସେମାନେ ଡିଲିଟ୍‌ କରିଦେବା ସହ କହିଛନ୍ତି ଯେ ନିର୍ବାଚନ ମେ ୧୨ ତାରିଖରେ ଓ ଭୋଟ ଗଣତି ମେ ୧୮ ତାରିଖରେ ହେବ। ଯଦିଓ ଉଭୟଙ୍କ ଟୁଇଟ୍‌ରେ ଭୋଟ ଗଣତିର ତାରିଖ ଭୁଲ୍‌ ଥିଲା; ତଥାପି କର୍ଣ୍ଣାଟକ ବିଧାନସଭା ପାଇଁ ଗୋଟିଏ ପର୍ଯ୍ୟାୟରେ ମେ ୧୨ରେ ଭୋଟ ଗ୍ରହଣ କରାଯିବ ବୋଲି ଘୋଷଣା ସଂପୂର୍ଣ୍ଣ ରୂପେ ଠିକ୍‌ ଥିଲା।
ଏବେ ନିଜକୁ ରକ୍ଷା କରିବା ଉଦ୍ଦେଶ୍ୟରେ ଶ୍ରୀବାସ୍ତବ କହିଛନ୍ତି ଯେ ମୋ ନିର୍ବାଚନ କମିଶନଙ୍କ ସହ ସଂପର୍କିିତ କୌଣସି ସୂତ୍ରରୁ ଏଖବର ପାଇ ନଥିଲି ବରଂ ଜାତୀୟ ଓ ଆଞ୍ଚଳିକ ଗଣମାଧ୍ୟମରେ ନ୍ୟୁଜ୍‌ ଫ୍ଲାସ୍‌ ଦେଖିବା ପରେ ଏହି ଟୁଇଟ୍‌ କରିଥିଲି। ସେହିପରି ବିଜେପି ମନ୍ତ୍ରୀ ମୁଖ୍‌ତାର ଆବାସ୍‌ ନକ୍‌ଭି କହିଛନ୍ତି ଯେ ଏଖବର ଏକ ଟିଭି ଚ୍ୟାନେଲରେ ଦେଖିବା ପରେ ଅମିତ୍‌ ମାଲବ୍ୟ ଟୁଇଟ୍‌ କରିଥିଲେ।

ତେବେ, ଏହି ଘଟଣା ନିର୍ବାଚନ କମିଶନଙ୍କୁ ଏକ ଅଡୁଆ ପରିସ୍ଥିତରେ ପକାଇବା ସହ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟର ଗୋପନୀୟତା ଉପରେ ମଧ୍ୟ ପ୍ରଶ୍ନବାଚୀ ଲଗାଇଥିବାରୁ ଏହି ଘଟଣାରେ ଗଭୀର ଉଦବେଗ ଓ ଘୋର କ୍ଷୋଭ ପ୍ରକାଶ କରିଛନ୍ତି ଦେଶର ନିର୍ବାଚନ କମଶନ ଓପି ରାଓ୍ଵତ। ଏହି ଘଟଣାକୁ ଅତ୍ୟନ୍ତ ଗୁରୁତ୍ୱର ସହ ଗ୍ରହଣ କରି ଓପି ରାଓ୍ଵତ କହିଛନ୍ତି ଏ ପୂରା ଘଟଣା ଉପରେ ତଦନ୍ତ ହେବ, ଏହାକୁ ପ୍ରଘଟ କରିବା ଘଟଣାରେ ଦୋଷୀ ସାବ୍ୟସ୍ତ ବ୍ୟକ୍ତିମାନଙ୍କ ବିରୋଧରେ ଦୃଷ୍ଟାନ୍ତମଳୂକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧିତ ଖବର