ନୂଆଦିଲ୍ଲୀ: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ତାଙ୍କ ସରକାରକୁ ହଟାଇବାରେ ଆମେରିକା ସରକାରଙ୍କ ସମ୍ପୃକ୍ତି ସମ୍ପର୍କରେ ଏକ ବଡ଼ ସୂଚନା ଦେଇଛନ୍ତି। ଏକ ସପ୍ତାହ ପୂର୍ବରୁ ଦେଶରୁ କ୍ଷମତା ହରାଇ ଢାକାରୁ ଭାରତରେ ପହଞ୍ଚିଥିବା ହସିନା ଏକ ସାକ୍ଷାତକାରରେ ଏହା କହିଛନ୍ତି।

Advertisment

ଢାକାରୁ ଦିଲ୍ଲୀରେ ପହଞ୍ଚିବାର ପରିସ୍ଥିତି ବିଷୟରେ ସେ କହିଛନ୍ତି ଯେ, ହିଂସା ବନ୍ଦ କରିବାକୁ ମୁଁ ମୋ ପଦରୁ ଇସ୍ତଫା ଦେଇଥିଲି। ସେମାନଙ୍କର ଉଦ୍ଦେଶ୍ୟ ଥିଲା ଛାତ୍ରମାନଙ୍କ ମୃତଦେହ ଉପରେ ଠିଆ ହୋଇ କ୍ଷମତା ଦଖଲ କରିବା, କିନ୍ତୁ ମୁଁ ଇସ୍ତଫା ଦେଇ ଏହାକୁ ବନ୍ଦ କରିଥିଲି।

ଅଗଷ୍ଟ ୨ରେ ଶେଖ ହସିନାଙ୍କ ଇସ୍ତଫା ପରେ ବାଂଲାଦେଶରେ ରାଜନୈତିକ ଅସ୍ଥିରତା ଦେଖାଦେଇଥିଲା। ଦେଶରେ ଏକ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ କରାଯାଇଛି। ତଥାପି, ସଂଖ୍ୟାଲଘୁମାନଙ୍କ ପ୍ରତି ହିଂସା ବନ୍ଦ ହେଉନାହିଁ। ଛାତ୍ରମାନଙ୍କ ପ୍ରଦର୍ଶନ ପରେ ସୁପ୍ରିମକୋର୍ଟର ବିଚାରପତିମାନେ ମଧ୍ୟ ସେମାନଙ୍କ ପଦରୁ ଇସ୍ତଫା ଦେଇଛନ୍ତି।

ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମଙ୍ଗ ଏବେ ମହମ୍ମଦ ୟୁନୁସଙ୍କ ହାତରେ। କ୍ଷମତା ହସ୍ତାନ୍ତର ଏବଂ ଯଥାଶୀଘ୍ର ନିର୍ବାଚନ ଆୟୋଜନ କରିବାର ଦାୟିତ୍ୱ ୟୁନୁସଙ୍କ କାନ୍ଧରେ ରହିଛି।

ଶେଖ ହସିନା କହିଛନ୍ତି ଯେ ଯଦି ସେ ଢାକାରେ ରହିଥାନ୍ତେ ତେବେ ଅଧିକ ହିଂସା ହେବାର ସମ୍ଭାବନା ରହିଥିଲା। ସେ କହିଛନ୍ତି ଯେ 'ମୁଁ ତୁମର ନେତା ଥିଲି କାରଣ ତୁମେ ମୋତେ ବାଛିଥିଲ। ତୁମେ ମୋର ଶକ୍ତି। ଜୁଲାଇ ମଧ୍ୟଭାଗରୁ ଶେଖ ହସିନାଙ୍କ ସରକାର ବିରୋଧରେ ହୋଇଥିବା ଆନ୍ଦୋଳନରେ ୫୬୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି।

ବିରୋଧ ପ୍ରଦର୍ଶନ କରୁଥିବା ଛାତ୍ରଙ୍କୁ ରଜାକାର ବୋଲି କହିବା ପ୍ରଶ୍ନରେ ହସିନା କହିଛନ୍ତି ଯେ ସେ ଛାତ୍ରମାନଙ୍କୁ କେବେ ବି ରଜାକାର ବୋଲି କହି ନ ଥିଲେ। ସେ କହିଥିଲେ ଯେ ଛାତ୍ରମାନଙ୍କୁ ଉତ୍ତେଜିତ କରିବା ପାଇଁ ମୋର ବକ୍ତବ୍ୟକୁ ଓଲଟପାଲଟ କରା ଯାଇଥିଲା। ଆପଣ ସେହି ଦିନର ଭିଡିଓ ଦେଖନ୍ତୁ ଏବଂ ବୁଝି ପାରିବେ ଷଡଯନ୍ତ୍ରକାରୀମାନେ କିପରି ବାଂଲାଦେଶକୁ ଅସ୍ଥିର କରିବା ପାଇଁ ଲୋକଙ୍କ ଭାବନାକୁ ଉସୁକାଇଥିଲେ।

ବାଂଲାଦେଶରେ, ରଜାକାର ଶବ୍ଦର ଅର୍ଥ ହେଉଛି ଯେଉଁମାନେ ୧୯୭୧ ଯୁଦ୍ଧରେ ମୁକ୍ତିବାହିନୀ ବିରୁଦ୍ଧରେ ପାକିସ୍ତାନୀ ସେନାକୁ ସମର୍ଥନ କରିଥିଲେ।

ଶେଖ ହସିନା ଦାବି କରିଛନ୍ତି ଯେ ଯଦି ବାଂଲାଦେଶର ସାର୍ବଭୌମତ୍ୱ ସହ ଆପୋଷ ବୁଝାମଣା କରି ବଙ୍ଗୋପସାଗରରେ ସେଣ୍ଟ ମାର୍ଟିନ ଦ୍ୱୀପକୁ ଆମେରିକାକୁ ଦେଇଥାନ୍ତେ ତା’ହେଲେ ତାଙ୍କ ସରକାରଙ୍କର କିଛି ହୋଇ ନଥାନ୍ତା। ହସିନା କହିଛନ୍ତି ଯେ ମୁଁ ମୋ ଦେଶର ଲୋକଙ୍କୁ ଅନୁରୋଧ କରୁଛି ଯେ ମୌଳିକବାଦୀମାନଙ୍କ ଦ୍ବାରା ଭ୍ରମିତ ନ ହୁଅନ୍ତୁ।

ମେ’ ୨୦୨୪ରେ, ହସିନା ଅଭିଯୋଗ କରିଥିଲେ ଯେ ବାଂଲାଦେଶ ଏବଂ ମିଆଁମାରର କିଛି ଅଂଶ ମିଶାଇ ପୂର୍ବ ଷ୍ଟିମୋର ଭଳି ଖ୍ରୀଷ୍ଟିଆନ ଦେଶ ଗଠନ ପାଇଁ ଏକ ଷଡଯନ୍ତ୍ର ରଚାଯାଇଛି। ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଦାବି କରିଛନ୍ତି ଯେ ଯଦି ସେ ବାଂଲାଦେଶରେ ଏୟାରବେସ୍ ନିର୍ମାଣ କରିବାକୁ ଅନୁମତି ଦେବେ ତେବେ ତାଙ୍କୁ ନିର୍ବାଚନରେ ​​ସହାୟତା ପ୍ରଦାନ କରାଯିବ ବୋଲି କୁହାଯାଇଥିଲା। ତେବେ ଏହି ସମୟ ମଧ୍ୟରେ ଶେଖ ହସିନା କୌଣସି ଦେଶର ନାମ ନେଇ ନ ଥିଲେ।