ଚୀନ ଭାରତୀୟ ଅଞ୍ଚଳ ଅଧିକାର କରିଥିବା ଖବର ମିଛ : ପ୍ରତିରକ୍ଷା ମନ୍ତ୍ରାଳୟ

ଭାରତର ୪୩ ହଜାର ବର୍ଗ କିଲୋମିଟର ଅଞ୍ଚଳ ୧୯୬୨ରୁ ଚୀନ ମାଡ଼ିବସିଛି

ନୂଆଦିଲ୍ଲୀ : ଚୀନ ଭାରତୀୟ ଅଞ୍ଚଳ ଅଧିକାର କରିନେଇଥିବା କଥା କଂଗ୍ରେସ ନେତା ରାହୁଲ ଗାନ୍ଧି କହୁଥିବାରୁ ତାହାର କଡ଼ା ଜବାବ ରଖିଛନ୍ତି ସରକାର ।

କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଜାରି ଏକ ପ୍ରେସ ଇସ୍ତାହାରରେ କୁହାଯାଇଛି ଯେ ଚୀନ ସହ ହୋଇଥିବା ସୈନ୍ୟ ପ୍ରତ୍ୟାହାର ବୁଝାମଣା ପାଇଁ ଭାରତ ନିଜର କୌଣସି ଅଞ୍ଚଳ ହରାଇନାହିଁ । ଭାରତ ସରକାର ନିଜର ସେନା ଉପରେ ସଂପୂର୍ଣ୍ଣ ଭରସା ରଖିଥିବାରୁ ଭାରତର ଜାତୀୟ ସ୍ବାର୍ଥ ଓ ଅଖଣ୍ଡତାକୁ ସୁରକ୍ଷିତ ରଖାଯାଇପାରିଛି । ମନ୍ତ୍ରାଳୟ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ, ଫିଙ୍ଗର-୪ ପର୍ଯ୍ୟନ୍ତ ଭାରତୀୟ ଅଞ୍ଚଳ ବୋଲି କେତେକ ଲୋକ ଯେଉଁ ଭ୍ରାନ୍ତି ସୃଷ୍ଟି କରୁଛନ୍ତି ତାହା ଭୁଲ । ଭାରତର ପ୍ରକୃତ ଅଞ୍ଚଳ ଭାରତୀୟ ମାନଚିତ୍ରରେ ଦର୍ଶାଯାଇଛି ଓ ଏହାର ୪୩ ହଜାର କିଲୋକମିଟର ଅଞ୍ଚଳ ୧୯୬୨ ପରଠାରୁ ବେଆଇନ ଭାବେ ଚୀନ କବଜାରେ ଅଛି ।

ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଭାରତ ଓ ଚୀନ ମଧ୍ୟରେ ହୋଇଥିବା ସୈନ୍ୟ ପ୍ରତ୍ୟାହାରକୁ ନେଇ କେତେକ ମିଥ୍ୟା ପ୍ରଚାର ସୋସିଆଲ ମିଡିଆ ଓ ଗଣମାଧ୍ୟମରେ କରାଯାଉଛି । କିନ୍ତୁ ପ୍ରକୃତ ସତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସଂସଦରେ କହିସାରିଛନ୍ତି ।
ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ନେତା ରାହୁଲ ଗାନ୍ଧି କହିଥିଲେ ଯେ, ଭାରତ ସରକାର ଚୀନ ଆଗରେ ଭାରତର କେତେକ ଅଞ୍ଚଳକୁ ଟେକିଦେଇଛନ୍ତି ।

 

ସମ୍ବନ୍ଧିତ ଖବର