ସଂସଦରେ ୧୦୦ ଜଣ ସଦସ୍ୟ ବି ନାହାନ୍ତି, ଦଳ କିନ୍ତୁ ଜାତୀୟ ଦଳ ; କଂଗ୍ରେସକୁ ପରିହାସ କଲେ ପ୍ରଧାନମନ୍ତ୍ରୀ ମୋଦୀ

ଫୋର୍ବସଗଞ୍ଜ: ବିହାର ବିଧାନସଭା ନିର୍ବାଚନର ପ୍ରଚାର ମଇଦାନରେ ଏନଡିଏ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କଂଗ୍ରେସ ଦଳକୁ କଟାକ୍ଷ କରିବା ସହ ପରିହାସ କରିଛନ୍ତି। ସଂସଦର ଉଭୟ ଗୃହ ଲୋକସଭା ଓ ରାଜ୍ୟସଭାରେ ଦଳର ୧୦୦ ଜଣ ବି ସଦସ୍ୟ ନଥିବା ବେଳେ ଏହା କି ପ୍ରକାରର ଜାତୀୟ ଦଳ ବୋଲି କଂଗ୍ରେସକୁ ପରିହାସ ଛଳରେ ପ୍ରଶ୍ନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଆଜି କଂଗ୍ରେସ ଏପରି ଦୟନୀୟ ସ୍ଥିତିରେ ଅଛି ଯେ ଯଦି ଉଭୟ ଲୋକସଭା ଏବଂ ରାଜ୍ୟସଭାର କଂଗ୍ରେସ ସଦସ୍ୟମାନଙ୍କୁ ଏକାଠି କରାଯାଏ, ତେବେ ସେମାନଙ୍କ ସଂଖ୍ୟା ୧୦୦ବି ଟପିବ ନାହିଁ। କିନ୍ତୁ, ଅସଲ ବାସ୍ତବତା ଠାର ଦୂରେଇ ଯାଇ ନିଜକୁ କେବଳ ଜାତୀୟ ଦଳ ଭାବେ ପରିଚିତ କରାଇ କଂଗ୍ରେସ ବୃଥା ବାହାବା ନେବାକୁ ଲାଗିପଡ଼ିଛି।

ଉଲ୍ଲେଖଯୋଗ୍ୟ, ସୋମବାର ଦିନ ୯ ଜଣ ବିଜେପି ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ରାଜ୍ୟସଭାକୁ ନିର୍ବାଚିତ ହୋଇଯିବା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱାଧୀନ ନ୍ୟାସନାଲ ଡେମୋକ୍ରାଟିକ୍‌ ଆଲାଇନ୍‌ସ(ଏନଡିଏ) ପ୍ରଥମ ଥର ପାଇଁ ରାଜ୍ୟସଭାରେ ୧୦୦ ସଂଖ୍ୟା ଅତିକ୍ରମ କରିଯାଇଛି। ବର୍ତ୍ତମାନ ରାଜ୍ୟସଭାରେ ଏନ୍‌ଡିଏ ସଂସଦଙ୍କ ସଂଖ୍ୟା ୧୦୪ରେ ପହଞ୍ଚିଛି।

ଅନ୍ୟପକ୍ଷରେ ଦୀର୍ଘ ଦିନ ଧରି ୨୪୨ ସଦସ୍ୟ ବିଶିଷ୍ଟ ରାଜ୍ୟସଭାରେ ନିଜର ପ୍ରାଧାନ୍ୟ ବିସ୍ତାର କରି ରଖିଥିବା କଂଗ୍ରେସ ବର୍ତ୍ତମାନ ଆଉ ଦୁଇଟି ଆସନ ହରାଇଦେବା ପରେ ଏହାର ସଦସ୍ୟ ସଂଖ୍ୟା ୩୮କୁ ଖସିଆସିଛି। ସଂସଦର ଉଭୟ ଲୋକସଭା ଓ ରାଜ୍ୟସଭାରେ କଂଗ୍ରେସର ମାତ୍ର ୮୯ ଜଣ ସଦସ୍ୟ ଅଛନ୍ତି, ଯାହା ୧୦୦ରୁ କମ୍‌।

ସମ୍ବନ୍ଧିତ ଖବର