ନୂଆଦିଲ୍ଲୀ: ଇସ୍ତଫା ଦେବା ମୋ ପାଇଁ ବଡ଼ କଥା ନୁହେଁ, କିନ୍ତୁ ଜଣେ ଅପରାଧୀ ଭାବେ ଇସ୍ତଫା ଦେବି ନାହିଁ ବୋଲି ଆଜି ‘ରେସ୍ଲିଙ୍ଗ୍ ଫେଡେରେସନ୍ ଅଫ୍ ଇଣ୍ଡିଆ’ର ମୁଖ୍ୟ ବ୍ରଜଭୂଷଣ ଶରଣ ସିଂହ କହିଛନ୍ତି।
ଆଜି ସାମ୍ବାଦିକ ସମ୍ମିଳନୀରେ ପ୍ରତିବାଦକାରିଣୀ କୁସ୍ତି ଖେଳାଳିମାନଙ୍କ ଦାବି ସଂକ୍ରାନ୍ତରେ ବ୍ରଜଭୂଷଣ କହିଛନ୍ତି, ସେମାନଙ୍କର ଦାବି ସବୁ ଦିନ ବଦଳୁଛି। ପ୍ରଥମେ ସେମାନେ ଦାବି କଲେ ମୁଁ ଫେଡେରେସନ୍ ମୁଖ୍ୟ ପଦରୁ ଇସ୍ତଫା ଦିଏ। ତା’ପରେ ‘ଏଫ୍ଆଇଆର୍’ ଦାବି କଲେ, ‘ଏଫ୍ଆଇଆର୍’ ପଞ୍ଜୀକୃତ ହେବା ପରେ ଏବେ ସେମାନେ କହୁଛନ୍ତି କି, ମୁଁ ସବୁ ପଦପଦବୀରୁ ଇସ୍ତଫା ଦେଇ ଜେଲ୍ ଯାଏ।
ମୋ କହିବା କଥା, ଇସ୍ତଫା ଦେବା ଅର୍ଥ ହେବ ମୋ ନାଁ’ରେ ଆଗତ ଅଭିଯୋଗକୁ ମୁଁ ସ୍ବୀକାର କରୁଛି। ଇସ୍ତଫା ଦେବା ବଡ଼ କଥା ନୁହେଁ, କିନ୍ତୁ ଜଣେ ଅପରାଧୀ ଭାବେ ମୁଁ ଇସ୍ତଫା ଦେବି ନାହିଁ। ମୁଁ ଅପରାଧୀ ନୁହେଁ।
ସୂଚନାଯୋଗ୍ୟ, ଶୁକ୍ରବାର ଦିନ ଦିଲ୍ଲୀ ପୁଲିସ ବ୍ରଜଭୂଷଣ ଶରଣ ସିଂହଙ୍କ ନାଁ’ରେ ୨ଟି ‘ଏଫ୍ଆଇଆର୍’ ପଞ୍ଜିକରଣ କରିଛି।
ବ୍ରଜଭୂଷଣ କହିଛନ୍ତି, ମୁଁ ନିର୍ଦୋଷ ଏବଂ ତଦନ୍ତର ସମ୍ମୁଖନୀ ହେବାକୁ ପ୍ରସ୍ତୁତ। ତଦନ୍ତକାରୀ ଏଜେନ୍ସିକୁ ବି ସହଯୋଗ କରିବାକୁ ପ୍ରସ୍ତୁତ। ବିଚାର ବ୍ୟବସ୍ଥା ଉପରେ ମୋର ପୂର୍ଣ୍ଣ ଭରସା ଅଛି ଏବଂ ମୁଁ ସୁପ୍ରିମ୍ କୋର୍ଟଙ୍କ ଆଦେଶକୁ ସମ୍ମାନ ଦିଏ।
ନୂଆଦିଲ୍ଲୀର ଜନ୍ତର ମନ୍ତରରେ କୁସ୍ତି ଖେଳାଳିମାନେ ପ୍ରତିବାଦ ଚଳାଇଥିବା ବେଳେ ବ୍ରଜଭୂଷଣ ଆଜି ସାମ୍ବାଦିକ ସମ୍ମିଳନୀ ଡକାଇଥିଲେ। ‘ଡବ୍ଲୁଏଫ୍ଆଇ’ ମୁଖ୍ୟ ବ୍ରଜଭୂଷଣ ଏବଂ ସେଠାକାର ଅନ୍ୟ ପ୍ରଶିକ୍ଷକମାନେ ମହିଳା କୁସ୍ତି ଖେଳାଳିଙ୍କୁ ଯୌନଉତ୍ପୀଡ଼ ଦେଉଛନ୍ତି ବୋଲି ଅଭିଯୋଗ କରି ଭାରତର ଶ୍ରେଷ୍ଠ କୁସ୍ତି ଖେଳାଳିମାନେ ପ୍ରତିବାଦ ଚଳାଇଛନ୍ତି।
/sambad/media/post_attachments/wp-content/uploads/2023/04/bb-1.jpg)
ଆଜି ସେମାନଙ୍କ ପ୍ରତିବାଦସ୍ଥଳ ଜନ୍ତର ମନ୍ତରକୁ ଆସି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କହିଛନ୍ତି, ମୁଁ ବୁଝିପାରୁନି ସରକାର କାହିଁକି ତାଙ୍କୁ (ବ୍ରଜଭୂଷଣ) ରକ୍ଷା କରୁଛନ୍ତି। ସେହିପରି, ପଞ୍ଜିକୃତ ହୋଇଥିବା ‘ଏଫ୍ଆଇଆର୍’ର କପି ମଧ୍ୟ ଏପର୍ଯ୍ୟନ୍ତ ମିଳିନାହିଁ। ସେଥିରେ କ’ଣ ଉଲ୍ଲେଖ ଅଛି ତାହା କେହି ଜାଣନ୍ତି ନାହିଁ। ସେମାନେ ‘ଏଫ୍ଆଇଆର୍’ ଦେଖାଉ ନାହାନ୍ତି କାହିଁକି?
ସୂଚନାଯୋଗ୍ୟ, ପ୍ରତିବାଦକାରୀ କୁସ୍ତି ଖେଳାଳିମାନେ ଆଜି ଅପରାହ୍ଣ ୨ଟାରେ ସାମ୍ବାଦିକ ସମ୍ମିଳନୀ ଡକାଇଛନ୍ତି।