କେବଳ ଜମ୍ମୁ କଶ୍ମୀର ନୁହେଁ, ୧୧ ରାଜ୍ୟକୁ ମଧ୍ୟ ସ୍ବତନ୍ତ୍ର ମାନ୍ୟତା

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରିଥିବା ଧାରା ୩୭୦କୁ ମୋଦୀ ସରକାର ଉଚ୍ଛେଦ କରିଦେଇଛନ୍ତି। ଏହି ଧାରା ଅଧୀନରେ ଜମ୍ମୁ କଶ୍ମୀରକୁ କିଛି ସ୍ବତନ୍ତ୍ର ଅଧିକାର ମିଳିଥିଲା। ତେବେ କେବଳ ଜମ୍ମୁ କଶ୍ମୀର ନୁହେଁ ଏହାବାଦ୍‌ ଅନ୍ୟ କିଛି ରାଜ୍ୟ ମଧ୍ୟ ସମ୍ବିଧାନ ଅଧୀନରେ କିଛି ସ୍ବତନ୍ତ୍ର କ୍ଷମତାର ଉପଭୋଗ କରୁଛନ୍ତି। ଧାରା ୩୭୦ ଜମ୍ମୁ କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରିଥିବାବେଳେ ମହାରାଷ୍ଟ୍ର ଏବଂ ଗୁଜରାଟ ନିମନ୍ତେ ସ୍ବତନ୍ତ୍ର ବ୍ୟବସ୍ଥା ସୃଷ୍ଟି କରିବାପାଇଁ ଧାରା ୩୭୦ ଅଣାଯାଇଥିଲା। ଏହି ଦୁଇଟି ଯାକ ଧାରା ୧୯୫୦ରେ ସମ୍ବିଧାନ ଆରମ୍ଭରୁ ହିଁ ରହି ଆସିଛି। ତେବେ ଧାରା ୩୭୧ ଅଧୀନରେ ଅନ୍ୟ ୯ଟି ରାଜ୍ୟକୁ ମଧ୍ୟ କିଛି ବିଶେଷ ସୁବିଧା ମିଳିଛି।

ଧାରା ୩୭୧ ଏ ନାଗାଲାଣ୍ଡ୍‌କୁ ସ୍ବତନ୍ତ୍ର କ୍ଷମତା ପ୍ରଦାନ କରିଛି। ନାଗା କଷ୍ଟୋମାରି ଆଇନ ଅନୁଯାୟୀ ରାଜ୍ୟର ନିଜସ୍ବ ପ୍ରଶାସନିକ ଏବଂ ଆଇନଗତ ବ୍ୟବସ୍ଥା ରହିଛି। ସେହିପରି କିଛି ଧାର୍ମିକ ଏବଂ ସ୍ଥାନୀୟ ସାମାଜିକ ଚଳଣି ସଂକ୍ରାନ୍ତ ସ୍ବତନ୍ତ୍ର ଅଧିକାର ମଧ୍ୟ ରହିଛି। ଏହି ଧାରା ମଧ୍ୟ ରାଜ୍ୟପାଳଙ୍କୁ ଏକ ସ୍ବତନ୍ତ୍ର କ୍ଷମତା ପ୍ରଦାନ କରିଛି ଯାହା ଆଇନ ଶୃଙ୍ଖଳା ସ୍ଥିତି ଉପୁଜିଲେ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ମଧ୍ୟ ଅକାମି କରିଦେବ। ଧାରା ୩୭୧ ବି ଆସାମ ପାଇଁ ଉଦ୍ଦିଷ୍ଟ। ଏହି ବ୍ୟବସ୍ଥା ଅନୁଯାୟୀ ରାଷ୍ଟ୍ରପତି ରାଜ୍ୟପାଳଙ୍କ ଉପରେ ତାଙ୍କ ସ୍ବତନ୍ତ୍ର କ୍ଷମତା ଜାହିର କରିପାରିବେ। ଏହ‌ାବାଦ୍‌ ୧୯୬୯ରେ ସମ୍ବିଧାନରେ ଅନ୍ତର୍ଭୁକ୍ତ ହୋଇଥିବା ଧାରା ୨୪୪ ଏ ମଧ୍ୟ ଆସାମକୁ ସ୍ବୟଂଶାସିତ ପରିଷଦ ଗଠନ କରି‌ବାନେଇ ଏକ ସ୍ବତନ୍ତ୍ର କ୍ଷମତା ଦେଇଛି

ଧାରା ୩୭୧ ସି ଅଧୀନରେ ମଣିପୁର ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏହି ଧାରା ଅନୁଯାୟୀ ଆସାମ୍‌ ପରି ମଣିପୁରରେ ମଧ୍ୟ ରାଷ୍ଟ୍ରପତିଙ୍କର ସ୍ବତନ୍ତ୍ର ଅଧିକାର ରହିଛି।
ଧାରା ୩୭୧ ଡି ଏବଂ ଇ ଆନ୍ଧ୍ରପ୍ରଦେଶ ପାଇଁ ଉଦ୍ଦିଷ୍ଟ। ଏହି ଧାରା ମଧ୍ୟ ରାଷ୍ଟ୍ରପତିଙ୍କୁ କିଛି ସ୍ବତନ୍ତ୍ର କ୍ଷମତା ପ୍ରଦାନ କରିଛି। ନିଯୁକ୍ତି ଏବଂ ଶିକ୍ଷା ସମେତ କିଛି ଗୁରୁତ୍ବପୂର୍ଣ୍ଣ ‌କ୍ଷେତ୍ରରେ ମଧ୍ୟ ରାଷ୍ଟ୍ରପତି ଏହି ଧାରା ଅଧୀନରେ ସ୍ବତନ୍ତ୍ର ନିଷ୍ପତ୍ତି ନେଇପାରିବେ।
ଧାରା ୩୭୧ ଏଫ୍‌ ସିକ୍କିମ୍‌କୁ ସ୍ବତନ୍ତ୍ର କ୍ଷମତା ପ୍ରଦାନ କରିଛି। ଏହି ଧାରା ଅଧୀନରେ ସିକ୍କିମ୍‌ ୧୯୭୫ରେ ଏକ ଭାରତୀୟ ରାଜ୍ୟ ହୋଇଥିଲା।
ଧାରା ୩୭୧ ଜି ମିଜୋରାମ୍‌କୁ କିଛି ସ୍ବତନ୍ତ୍ର ଅଧିକାର ପ୍ରଦାନ କରିଛି। ନାଗାଲାଣ୍ଡ୍‌ ପରି ଏହି ସାମ୍ବିଧାନିକ ବ୍ୟବସ୍ଥା କଷ୍ଟୋମାରି ଆଇନ ଅନୁଯାୟୀ ସୀମାନ୍ତ ରାଜ୍ୟର ଲୋକଙ୍କୁ ଧାର୍ମିକ ସ୍ବାଧୀନତା, ଜମି ଅଧିକାର ନେଇ କିଛି ବିଶେ‌ଷ ସୁବିଧା ଦେଇଛି।
ଧାରା ୩୭୧ ଏଚ୍‌ ଅରୁଣାଚଳ ପ୍ରଦେଶ ପାଇଁ ଉଦ୍ଦିଷ୍ଟ। ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ଉପୁଜିଲେ ଏହା ରାଜ୍ୟପାଳଙ୍କୁ କିଛି ସ୍ବତନ୍ତ୍ର କ୍ଷମତା ପ୍ରଦାନ କରିଛି।
ଧାରା ୩୭୧ ଆଇ ଗୋଆ ରାଜ୍ୟ ବିଧାନସଭାକୁ ସ୍ବତନ୍ତ୍ର କ୍ଷମତା ପ୍ରଦାନ କରିଛି ଏବଂ ଧାରା ୩୭୧ ଜେ କର୍ଣ୍ଣାଟକ ଏବଂ ହାଇଦ୍ରାବାଦ୍‌ର ୬ ପଛୁଆ ଜିଲ୍ଲାକୁ ସ୍ବତନ୍ତ୍ର କ୍ଷମତା ପ୍ରଦାନ କରିଛି।

ସମ୍ବନ୍ଧିତ ଖବର