ମମି-ପାପା ମୋର ଡାକ୍ତର ହେବାକୁ ଇଚ୍ଛା ନାହିଁ, ପାଠ ବୁଝିପାରୁନି; ଏଭଳି ଲେଖି ଜୀବନ ହାରିଲା ପୁଅ

ନୂଆଦିଲ୍ଲୀ: ମମି-ପାପା ମୋର ଡାକ୍ତର ହେବାକୁ ଇଚ୍ଛା ନାହିଁ, ପାଠ ବୁଝିପାରୁନି। ଏଭଳି ଲେଖି ଜଣେ ଛାତ୍ର ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। କୋଟାର ବୋରଖଡା ଅଞ୍ଚଳରେ ଜଣେ କୋଚିଂ ଛାତ୍ର ଡାକ୍ତରୀ ପାଠ୍ୟକ୍ରମରେ ଆଗ୍ରହ ନ ଥିବାରୁ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଶବଗୃହକୁ ପଠାଇବା ସହ ମୃତ ଛାତ୍ରଙ୍କ ଶୋଇବା ଘରୁ ସୁଇସାଇଡ ନୋଟ ଜବତ କରିଛି। ସୁଇସାଇଡ ନୋଟରେ ଛାତ୍ରଜଣକ ଡାକ୍ତରୀ ପାଠ୍ୟକ୍ରମରେ ଆଗ୍ରହ ନ ଥିବା କଥା ଲେଖିଛନ୍ତି।

ପୁଲିସର କହିବା ମୁତାବକ, ମୃତ ଛାତ୍ର ଅଭିଷେକ କୁମାରଙ୍କ ଘର ବିହାରର ଗୟାରେ। ସେ କୋଟାର ଏକ କୋଚିଂ ସେଣ୍ଟରରେ ରହି ନିଟ୍ ପାଇଁ ପ୍ରସ୍ତୁତ ହେଉଥିଲେ। ମୃତ ଛାତ୍ର ସୁଇସାଇଡ ନୋଟରେ ଅନେକ ଜିନିଷ ବିଷୟରେ ଲେଖିଥିବା ବେଳେ ଅଧ୍ୟୟନର ଚାପ ଏବଂ କୋଚିଂ ସେଣ୍ଟରରେ ତାଙ୍କୁ ହଇରାଣ କରାଯାଉଥିଲା ବୋଲି ଲେଖିଛନ୍ତି। ଏହା ସହ ସେ ତାଙ୍କ ପିତାମାତାଙ୍କୁ କ୍ଷମା ମାଗି ଲେଖିଛନ୍ତି ଯେ ‘ମମି, ପାପା, ମୁଁ ଆପଣମାନେ ଦେଖାଇଥିବା ପଥ ଅନୁସରଣ କରିପାରିବି ନାହିଁ ଏବଂ ଡାକ୍ତର ହେବାକୁ ମୋର ଆଗ୍ରହ ନାହିଁ। ମୁଁ ଡାକ୍ତରୀ ପାଠ ମଧ୍ୟ ବୁଝିପାରୁ ନାହିଁ। ମୁଁ ଆପଣଙ୍କର ସ୍ୱପ୍ନ ପୂରଣ କରିପାରିନଥିବାରୁ ଏବଂ ମୃତ୍ୟୁକୁ ଗ୍ରହଣ କରିଥିବାରୁ କ୍ଷମା ଚାହୁଁଛି। ଏଥିରେ କାହାରି ଦୋଷ ନାହିଁ, ମୁଁ ନିଜ ଇଚ୍ଛାରେ ଆତ୍ମହତ୍ୟା କରୁଛି।

ଏବେ ପୁଲିସ ମୃତ ଛାତ୍ରଙ୍କ ପରିବାରକୁ ଏହି ଘଟଣା ସମ୍ପର୍କରେ ସୂଚନା ଦେଇଥିବା ବେଳେ ପରିବାର ଲୋକେ କୋଟାରେ ପହଞ୍ଚିବା ପରେ ପୁଲିସ ଶବ ବ୍ୟବଚ୍ଛେଦ କରିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର