୫ ରାଜ୍ୟରେ ହୁ ହୁ ହୋଇ ବଢ଼ୁଛି କରୋନା ସଂକ୍ରମଣ, ସତର୍କ ରହିବାକୁ ଚେତାଇଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ: କରୋନା ଟିକା ଆସିବା ସହ ଦେଶରେ କମିଥିଲା ସଂକ୍ରମଣ ସଂଖ୍ୟା। ସରକାର ଦେଶକୁ ଅନଲକ କରିବା ସହ ଯାତାୟତକୁ ଅନୁମତି ଦେଇଥିଲେ। ହେଲେ ଏବେ ପୁଣି ଥରେ କରୋନା ଭୂତାଣୁର ପ୍ରଭାବ ବଢ଼ୁଥିବା ଦେଖି କେନ୍ଦ୍ର ସରକାରଙ୍କ ଚିନ୍ତା ବଢ଼ିଛି। ୫ଟି ରାଜ୍ୟରେ ହୁ ହୁ ହୋଇ ବଢ଼ିଲାଣି କରୋନା ସଂକ୍ରମଣ। ଗତ କିଛି ଦିନ ହେବ ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବଢ଼ିବା ନେଇ ଖବର ମିଳିଥିବା ବେଳେ ଏବେ କେରଳ, ପଞ୍ଜାବ, ଛତିଶଗଡ଼ ଏବଂ ମଧ୍ୟପ୍ରଦେଶ‌ରେ ସଂକ୍ରମଣ ବଢ଼ୁଥିବା ଦେଖାଯାଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ବାରା ଜାରି ଏକ ବିବୃତି ଅନୁଯାୟୀ, ପଞ୍ଜାବରେ ଗତ ସାତ ଦିନ ମଧ୍ୟରେ ରେକର୍ଡ ହୋଇଥିବା ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି। ଗତ ୨୪ଘଣ୍ଟା ମଧ୍ୟରେ ୩୮୩ଟି ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ମହାରାଷ୍ଟ୍ରରେ ଗତ ୨୪ଘଣ୍ଟାରେ ୬,୧୧୨କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଛତିଶଗଡ଼ରେ ୨୫୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

coronavirus case spike in 5 states
indiatoday

ତେବେ ସଂକ୍ରମଣ ସଂଖ୍ୟା ବଢ଼ୁଥିବା ଦେଖି ଲୋକଙ୍କୁ ସତର୍କ ରହିବାକୁ କହିବା ସହ କରୋନା କଟକଣା ମାନି ଚଳିବାକୁ ଚେତାଇ ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ। ସଂକ୍ରମଣ ହାର କମ କରିବା ପାଇଁ କରୋନା କଟକଣା ମାନିବା ଅତ୍ୟନ୍ତ ଜରୁରୀ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ, ଗତ ୨୪ଘଣ୍ଟା ମଧ୍ୟରେ ୧୮ଟି ରାଜ୍ୟ /କେନ୍ଦ୍ର ଶାସିତ ଅଞ୍ଚଳରେ କେହି କରୋନା କାରଣରୁ ମୃତ୍ୟୁବରଣ କରି ନାହାନ୍ତି। ସେଗୁଡ଼ିକ ହେଉଛି ତେଲେଙ୍ଗାନା, ହରିୟାଣା, ଜମ୍ମୁ-କଶ୍ମୀର, ଝା‌ଡ଼ଖଣ୍ଡ, ହିମାଚଳ ପ୍ରଦେଶ, ତ୍ରିପୁରା, ଆସାମ, ଚଣ୍ଡିଗଡ଼, ଲାକ୍ଷାଦ୍ବୀପ, ମଣିପୁର, ମେଘାଳୟ, ଲଦାଖ, ମିଜୋରାମ, ସିକ୍କିମ, ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶ, ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ, ଦାଦ୍ରା ନଗର ହାବେଳି ଏବଂ ଡାମନ୍ ଏବଂ ଡିୟୁ।

ସମ୍ବନ୍ଧିତ ଖବର