କେବଳ ନିରବ ମୋଦି ନୁହନ୍ତି: ‘ପିଏନ୍‌ବି’ରୁ ଜଣେ ପ୍ରଧାନମନ୍ତ୍ରୀ ମଧ୍ୟ ଋଣ ନେଇଥିଲେ

ନୂଆଦିଲ୍ଲୀ: ପଞ୍ଜାବ ନେସ୍‌ନାଲ୍‌ ବ୍ୟାଙ୍କ୍‌ରୁ ହୀରା ବ୍ୟବସାୟୀ ନିରବ ମୋଦି ନେଇ ଥିବା ବିପୁଳ ପରିମାଣ ଅର୍ଥ ପରିଶୋଧ କରି ପାରିବେ କି, ନାହିଁ ତାହା କହିବା ସମ୍ଭବ ନୁହେଁ। କିନ୍ତୁ, ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଅକସ୍ମାତ ମୃତ୍ୟୁ ପରେ ସେ ନେଇ ଥିବା ୫୦୦୦ ହଜାର ଟଙ୍କାର କାର୍‌ ଲୋନ୍‌ ତାଙ୍କ ବିଧବା ପତ୍ନୀ ଲଳିତା ମୋଦି ନିଜ ପେନ୍‌ସନ୍‌ ଅର୍ଥରୁ ଶୁଝି ଦେଇଥିଲେ ବୋଲି ପୁତ୍ର ଅନୀଲ ଶାସ୍ତ୍ରୀ କହିଛନ୍ତି।

ବରିଷ୍ଠ କଂଗ୍ରେସ ନେତା ଅନୀଲ ଶାସ୍ତ୍ରୀ କହନ୍ତି, ଆମେ ଘୋଡ଼ାଗାଡ଼ିରେ ସେଣ୍ଟ୍‌ କଲମ୍ବସ୍‌ ସ୍କୁଲ୍‌କୁ ଯାଉଥିଲୁ। ମଝିରେ ମଝିରେ ଆମେ ଅଫିସ୍‌ କାର୍‌ରେ ମଧ୍ୟ ଯାଉଥିଲୁ। କିନ୍ତୁ, ଗାଡ଼ିକୁ ଘରୋଇକାମରେ ନିୟମିତ ବ୍ୟବହାର କରିବାକୁ ବାପା ଆମକୁ ଅନୁମତି ଦେଲେ ନାହିଁ। ଆମେ କାର୍‌ଟିଏ କିଣିବା ଉଚିତ ବୋଲି ଘରେ ଦାବି ହେଲା।

ତାହା ଥିଲା ୧୯୬୪ ମସିହା। ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହକାରୀ ଭିଏସ୍‌ ଭେଙ୍କଟରମଣ ବୁଝାବୁଝି କରିବା ପରେ ସେମାନେ ଜାଣିଲେ ଗୋଟାଏ ନୂଆ ଫିଏଟ୍‌ କାର୍‌ର ମୂଲ୍ୟ ୧୨ ୦୦୦ ଟଙ୍କା। ପରିବାରର ବ୍ୟାଙ୍କ୍‌ ଖାତାରେ ଥାଏ କେବଳ ୭ ହଜାର ଟଙ୍କା। ପ୍ରଧାନମନ୍ତ୍ରୀ ୫୦୦୦ ହଜାର ଟଙ୍କା ଋଣ ପାଇଁ ଆବେଦନ କଲେ। ଅବଶ୍ୟ ତାହା ସେହି ଦିନ ହିଁ ମଞ୍ଜୁର ହୋଇଯାଇଥିଲା।

କିନ୍ତୁ ସହସା ପରିବାର ଓ ଦେଶ ଉପରକୁ ଦୁଃଖ ମାଡ଼ିପଡ଼ିଲା। ୧୯୬୬ ମସିହା ଜାନୁଆରୀ ୧୧ ଦିନ ତାସ୍‌କେଣ୍ଟ୍‌ରେ ଶାସ୍ତ୍ରୀଙ୍କର ଦେହାନ୍ତ ହୋଇଗଲା। ଭାରତ ଓ ପାକିସ୍ତାନ ମଧ୍ୟରେ ୧୯୬୫ ଯୁଦ୍ଧର ଅବସାନ ଘୋଷଣା ରାଜିନାମା ସ୍ୱାକ୍ଷର କରିବାକୁ ସେ ଯାଇଥିଲେ।

ଋଣ ପରିଶୋଧ ନ ହୋଇ ରହିଗଲା। ବାପାଙ୍କ ଦେହନ୍ତ ପରେ ମାଆ ପାଉଥିବା ପେନ୍‌ସନ୍‌ ଅର୍ଥରେ ତାହା ଶୁଝାଗଲା ବୋଲି କହନ୍ତି ଅନୀଲ।
କ୍ରିମ୍‌ ରଙ୍ଗର କାର୍‌ଟି ଥିଲା ୧୯୬୪ ମଡେଲ୍‌ ଫିଏଟ୍‌। ନମ୍ବର ଥିଲା ଡିଏଲ୍‌ଇ ୬। ରାଜଧାନୀର ୧ ମୋତିଲାଲ୍‌ ନେହେରୁ ମାର୍ଗସ୍ଥିତ ଲାଲ ବାହାଦୂର ଶାସ୍ତ୍ରୀ ସ୍ମାରକୀରେ ତାହା ଏବେ ପ୍ରଦର୍ଶିତ ହେଉଛି।

ବ୍ରିଟିଶ୍‌ ରାଜ୍‌ ସମୟରେ ଏକ ସ୍ୱଦେଶୀ ବ୍ୟାଙ୍କ୍‌ ଆରମ୍ଭ କରିବାକୁ ୧୮୯୪ରେ ପଞ୍ଜାବ ନେସ୍‌ନାଲ୍‌ ବ୍ୟାଙ୍କ୍‌ ସ୍ଥାପିତ ହୋଇଥିଲା। ଏହାର ପ୍ରଥମ ବୋର୍ଡ ଅଫ୍‌ ଡାଇରେକ୍ଟର୍ସରେ ସଦସ୍ୟ ଥିଲେ ଲାଲା ଲଜପତ୍‌ ରାୟ।

ସମ୍ବନ୍ଧିତ ଖବର