କେବଳ କୋରାନ୍‌ ନୁହେଁ, ଗୀତା ମଧ୍ୟ ଜିହାଦ୍‌ ଶିକ୍ଷା ଦିଏ: ପୂର୍ବତନ ଗୃହମନ୍ତ୍ରୀ ଶିବରାଜ ପାଟିଲ୍‌

ନୂଆଦିଲ୍ଲୀ: ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଜିହାଦ୍‌ ଶିଖାଇ ଥିଲେ ଏବଂ ଜିହାଦ୍‌ ତତ୍ତ୍ବ କେବଳ ଇସ୍‌ଲାମ୍‌ରେ ନାହିଁ, ଭଗବଦ୍‌ ଗୀତା ଏବଂ ଖ୍ରୀଷ୍ଟିଆନ୍‌ ଧର୍ମରେ ବି ରହିଛି ବୋଲି ଗୁରୁବାର ଦିନ ଏକ ପୁସ୍ତକ ଉନ୍ମୋଚନ ଉତ୍ସବରେ କହି ବିଶିଷ୍ଟ କଂଗ୍ରେସ ନେତା ଶିବରାଜ ପାଟିଲ୍‌ ବିବାଦର ସୂତ୍ରପାତ କରିଛନ୍ତି।

ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ମ‌ୋଶିନା କିଡ୍‌ୱାଇଙ୍କ ଆତ୍ମଜୀବନୀ ଉନ୍ମୋଚନ ସମାରୋହରେ ଉଦ୍‌ବୋଧନ ଦେଇ ପୂର୍ବତନ ଲୋକସଭା ବାଚସ୍ପତି ତଥା ପୂର୍ବତନ ଗୃହମନ୍ତ୍ରୀ ପାଟିଲ୍‌ କହିଛନ୍ତି ଯେ, କୁହାଯାଏ, ଇସ୍‌ଲାମ୍‌ ଧର୍ମରେ ଜିହାଦ୍‌ ବିଷୟରେ ଅନେକ ଆଲୋଚନା ରହିଛି। ସବୁ କଥା ବୁଝାଇବା ପରେ ଯଦି ଜଣେ କିଛି ନ ବୁଝି ଅସ୍ତ୍ର ଧରି ଆସେ, ତେବେ ଆପଣ ପଳାୟନ କରି ପାରିବେ ନାହିଁ। ଏହାକୁ ଆପଣ ଜିହାଦ୍‌ କହି ପାରିବେ ନାହିଁ କି, ଭୁଲ୍‌ ମଧ୍ୟ କହି ପାରିବେ ନାହିଁ। ଏହାକୁ ଭଲ ଭାବେ ବୁଝିବା ଉଚିତ। ଏକଥା କୋରାନ୍‌ ଓ ଗୀତାରେ ଉଲ୍ଲେଖ କରାଯାଇଛି।

Image Courtesy of India Today

ସେ ଆହୁରି ମଧ୍ୟ କହିଛନ୍ତି, ମହାଭାରତରେ ଗୀତାର ଗୋଟାଏ ଭାଗରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଜିହାଦ୍‌ ଶିକ୍ଷା ଦେଇଛନ୍ତି। ଖାଲି କୋରାନ୍‌ କିଂବା ଗୀତା ନୁହେଁ, ଖ୍ରୀଷ୍ଟିଆନ୍‌ ଧର୍ମରେ ବି ଜିହାଦ୍‌ ପ୍ରସଙ୍ଗ ଉଲ୍ଲେଖ ଅଛି।

୮୭ ବର୍ଷିୟ ପାଟିଲ୍‌ କହିଛନ୍ତି, ସ୍ବଧର୍ମ ପାଳନ କରିବା ସହ ସବୁ ଧର୍ମକୁ ସମ୍ମାନ ଦେବା ଉଚିତ ବୋଲି ମୋହସିନା କିଡ୍‌ୱାଇଙ୍କ ପୁସ୍ତକରେ ଉଲ୍ଲେଖ ଅଛି।

ପାଟିଲ୍‌ଙ୍କ ଏତାଦୃଶ ମନ୍ତବ୍ୟ ଯୋଗୁଁ ‘ବିଜେପି’ କଂଗ୍ରେସକୁ ସମାଲୋଚନା କରି କହିଛି କି, ଦଳ ଭୋଟ୍‌ ବ୍ୟାଙ୍କ୍ ନୀତି ଚଳାଉଛି। ‘ବିଜେପି’ର ମୁଖପାତ୍ର ଶେହଜାଦ୍‌ ଜୟହିନ୍ଦ୍‌ ଟୁଇଟ୍‌ କରି ଲେଖିଛନ୍ତି: ‘ଆପ୍‌’ର ଗୋପାଳ ଇଟାଲିଆ ଏବଂ ରାଜେନ୍ଦ୍ର ପାଲ୍‌ଙ୍କ ପରେ ହିନ୍ଦୁ ପ୍ରତି ଘୃଣାଭାବ ଏବଂ ଭୋଟ୍‌ ବ୍ୟାଙ୍କ୍‌ ନୀତିରେ ପଛେଇ ନ ଯିବା ପାଇଁ କଂଗ୍ରେସ୍‌ର ଶିବରାଜ ପାଟିଲ୍‌ କହୁଛନ୍ତି ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଜିହାଦ୍‌ ଶିଖାଇ ଥିଲେ!

ସମ୍ବନ୍ଧିତ ଖବର