କେବଳ ଉତ୍ତରପ୍ରଦେଶ ନୁହେଁ ୫ ରାଜ୍ୟରେ ମନ୍ତ୍ରୀଙ୍କ ଆୟକର ଭରୁଛନ୍ତି ସରକାର

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ଦୀର୍ଘ ୪୦ ବର୍ଷ ଧରି ସମସ୍ତ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମାନଙ୍କ ଆୟକର ଜନତା ହିଁ ଭରଣା କରୁଛନ୍ତି ବୋଲି ନିକଟରେ ଖବର ପ୍ରକାଶ ପାଇଥିଲା। ଉତ୍ତରପ୍ରଦେଶ ମନ୍ତ୍ରୀଙ୍କ ଦରମା, ଭତ୍ତା ଏବଂ ଅନ୍ୟାନ୍ୟ ସୁବିଧାସୁଯୋଗ ଆଇନ ୧୯୮୧ ଅଧୀନରେ ଉତ୍ତରପ୍ରଦେଶରେ ସମସ୍ତ ମନ୍ତ୍ରୀମାନଙ୍କ ପାଇଁ ଏହି ସୁବିଧା ଥିବା ଜଣାପଡ଼ିଥିଲା। ଏନେଇ ବିଭିନ୍ନ ମହଲରୁ ପ୍ରଶ୍ନ ଉଠିବାପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉକ୍ତ ଆଇନ ରଦ୍ଦ କରିବାପାଇଁ ଘୋଷଣା କରିସାରିଛନ୍ତି। ତେବେ କେବଳ ଉତ୍ତରପ୍ରଦେଶ ନୁହେଁ , ଅନ୍ୟ ୫ଟି ରାଜ୍ୟରେ ମଧ୍ୟ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମାନଙ୍କ ଆୟକର ରାଜ୍ୟ ରାଜକୋଷରୁ ହିଁ ଭରଣା କରାଯାଉଛି। ଉତ୍ତରପ୍ରଦେଶ ବାଦ୍‌ ମଧ୍ୟପ୍ରଦେଶ, ଛତିଶଗଡ଼, ହରିୟାଣା, ଉତ୍ତରାଖଣ୍ଡ ଏବଂ ହିମାଚଳପ୍ରଦେଶର ମନ୍ତ୍ରୀମାନଙ୍କ ଆୟକର ରାଜ୍ୟ ରାଜକୋଷରୁ ଭରଣା ହେଉଛି।

ହରିୟାଣା ଏବଂ ହିମାଚଳ ପ୍ରଦେଶରେ ୧୯୬୬ ମସିହାରୁ ସମସ୍ତ ମନ୍ତ୍ରୀଙ୍କ ଆୟକର ସରକାର ଭରୁଥିବା ବେଳେ ପଂଜାବରେ ମଧ୍ୟ ୨୦୧୮ ମସିହା ମାର୍ଚ୍ଚ ୧୮ ପର୍ଯ୍ୟନ୍ତ ସମସ୍ତ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମାନଙ୍କ ଆୟକର ରାଜ୍ୟ ରାଜକୋଷରୁ ଭରଣା କରାଯାଉଥିଲା। କିନ୍ତୁ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ପଂଜାବ ମନ୍ତ୍ରୀଙ୍କ ଦରମା ଆଇନ-୧୯୪୭ ସଂଶୋଧନ କରିବାପରେ ଏହା ବନ୍ଦ ହୋଇଥିଲା। ଉତ୍ତରାଖଣ୍ଡରେ ୨୦୦୦ ନଭେମ୍ବର ୯ ତାରିଖରୁ ସମସ୍ତ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାନସଭା ବାଚସ୍ପତି , ଉପବାଚସ୍ପତି ଏବଂ ବିରୋଧୀ ଦଳ ନେତାମାନଙ୍କ ଆୟକର ରାଜ୍ୟ ରାଜକୋଷରୁ ଭରଣା କରାଯାଉଛି। ୨୦୦୦ ନଭେମ୍ବର ୯ ତାରିଖରେ ଉତ୍ତରାଖଣ୍ଡ ଉତ୍ତରପ୍ରଦେଶରୁ ଅଲଗା ହୋଇ ଏକ ନୂଆ ରାଜ୍ୟରେ ପରିଣତ ହୋଇଥିଲା। ସେବେଠାରୁ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମାନଙ୍କ ଆୟକର ସରକାର ହିଁ ଭରଣା‌ କରି ଆସୁଛନ୍ତି।

ମଧ୍ୟପ୍ରଦେଶରେ ମଧ୍ୟ ୧୯୯୪, ଏପ୍ରିଲ ୧ ତାରିଖରୁ ରାଜ୍ୟ ରାଜକୋଷରୁ ସମସ୍ତ ମନ୍ତ୍ରୀ ଏବଂ ସଂସଦୀୟ ସଚିବମାନଙ୍କ ଆୟକର ଭରଣା କରାଯାଉଛି। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତ କହିଛନ୍ତି, ‌ସେ ମଧ୍ୟ ଉତ୍ତରପ୍ରଦେଶ ଭଳି ଏହି ଆଇନର ବିବାଦୀୟ ବ୍ୟବସ୍ଥାକୁ ହଟାଇଦେବାକୁ ନିଷ୍ପତ୍ତି ନେଇଛନ୍ତି।

ସମ୍ବନ୍ଧିତ ଖବର