ଘରେ ଆତଙ୍କବାଦୀକୁ ରଖି ହେବନାହିଁ

କେରଳ ‘ଲଭ୍‌ ଜିହାଦ୍‌’ ଘଟଣା: ହାଦିୟା ବାପାଙ୍କ ବୟାନ

ନୂଆଦିଲ୍ଲୀ: କେରଳର ତଥାକଥିତ ‘ଲଭ୍‌ ଜିହାଦ୍‌’ ମାମଲାରେ ଗତକାଲି ସୁପ୍ରିମ୍‌କୋର୍ଟ ଦେଇଥିବା ରାୟକୁ ବିବାଦୀୟ ହାଦିୟାଙ୍କ ବାପା କେ ଏମ୍‌ ଅଶୋକନ୍‌ ସ୍ୱାଗତ କରିଛନ୍ତି। ତଥାକଥିତ ‘ଲଭ୍‌ ଜିହାଦ୍‌’ର ଶିକାର ହୋଇଥିବା ହାଦିୟା ସାଲେମ୍‌ ସ୍ଥିତ ଶିବାଜି ମେଡିକାଲ୍‌ କଲେଜରେ ହୋମିଓପାଥି ପଢ଼ା ଜାରି ରଖିବା ଲାଗି ମାନ୍ୟବର ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ କରିଥିବାରୁ ଅଶୋକନ୍‌ ଏଥିରେ ଖୁସି ପ୍ରକଟ କରିଛନ୍ତି। ଏଥି ସହିତ ସେ ହାଦିୟାକୁ ପରୋକ୍ଷରେ ଜଣେ ଆତଙ୍କବାଦୀ ସହ ତୁଳନା କରି କହିଛନ୍ତି ଯେ ଝିଅ ହାଦିୟା ଯିବାକୁ ଚାହୁଥିବା ସିରିଆ ସମ୍ପର୍କରେ ତା’ର ଧାରଣା ନାହିଁ। ତେଣୁ ଜଣେ ଆତଙ୍କବାଦୀକୁ ପରିବାର ଭିତରେ ରଖିବା ସମ୍ଭବ ନୁହେଁ।

ସୂଚନା ଥାଉ କି, ଗତକାଲି ସୁପ୍ରିମକୋର୍ଟ ୨୫ ବର୍ଷୀୟା ହାଦିୟାଙ୍କୁ ତାଙ୍କ ବାପା-ମା’ଙ୍କ ହେପାଜତରୁ ମୁକ୍ତ କରି ସେ ପାଠପଢ଼ା ଜାରି ରଖିବା ଲାଗି ସଂପୃକ୍ତ କଲେଜକୁ ପଠାଇଦେଇଥିଲେ। ଏପରିକି ନିଜ ସ୍ୱାମୀ ସାଫିନ୍‌ ଜହାଁଙ୍କ ସହ ଯିବାକୁ ଚାହୁଥିବା ହାଦିୟାଙ୍କୁ ମାନ୍ୟବର ଅଦାଲତ ଅନୁମତି ନଦେଇ ପୁଲିସ ସୁରକ୍ଷାରେ ତାମିନାଡୁର ସାଲେମ ସ୍ଥିତ ଶିବାଜି ମେଡିକାଲ୍‌ କଲେଜରେ ତାଙ୍କୁ ଛାଡ଼ିବା ପାଇଁ ନିର୍ଦ୍ଦେଶ କରିଥିଲେ। ଏଥିରେ ହାଦିୟାଙ୍କ ବାପା ଅଶୋକନ୍‌ ଖୁସି ହେବା ସହ ସାଲେମ ଯାଇ ଝିଅକୁ ଭେଟିବେ ବୋଲି କହିଛନ୍ତି। ଅପରପକ୍ଷେ, ନିଜ ଝିଅକୁ ଅଶୋକନ୍‌ ଘରେ ନଜରବନ୍ଦୀରେ ରଖିଥିବା ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି।

ସମ୍ବନ୍ଧିତ ଖବର