ନୂଆଦିଲ୍ଲୀ : ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି କରୁଥିବା ଆନ୍ଧ୍ରପ୍ରଦେଶର ବିକାଶ ପାଇଁ ପାଣ୍ଠିର ଅଭାବ ରହିବ ନାହିଁ । ଏକ ସ୍ୱତନ୍ତ୍ର ପାହ୍ୟା ପ୍ରାପ୍ତ ରାଜ୍ୟ ଯେଉଁ ପରିମାଣରେ ପାଣ୍ଠି ପାଇଥାଏ ଆନ୍ଧ୍ରକୁ ମଧ୍ୟ ସେତିକି ପରିମାଣରେ ପାଣ୍ଠି ଯୋଗାଇଦିଆଯିବ । କିନ୍ତୁ ସ୍ୱତନ୍ତ୍ର ପାହ୍ୟା ଦେବା ସମ୍ଭବ ନୁହେଁ ବୋଲି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି । ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି କରୁଥିବା ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଏନ.ଚନ୍ଦ୍ରବାବୁ ନାଇଡୁ ଏହି ପ୍ରସଙ୍ଗରେ ଆବଶ୍ୟକ ପଡିଲେ କେନ୍ଦ୍ରରେ ଶାସନାଧୀନ ଏନଡିଏ ସରକାରରୁ ଟିଡିପି ସମର୍ଥନ ପ୍ରତ୍ୟାହାର କରିବ ବୋଲି ଧମକ ଦେଇଛନ୍ତି । ଜେଟଲୀ ସ୍ୱୀକାର କରିଛନ୍ତି ଯେ ଆନ୍ଧ୍ରପ୍ରଦେଶରୁ ତେଲେଙ୍ଗାନା ଅଲଗା ହେବା ପରେ ଆନ୍ଧ୍ରପ୍ରଦେଶ ଆର୍ଥିକ ସଂକଟରେ ପଡିଛି । ଏହି କାରଣରୁ ଆନ୍ଧ୍ର ସ୍ୱତନ୍ତ୍ର ପାହ୍ୟା ପାଇବାକୁ ଯୋଗ୍ୟ । କିନ୍ତୁ ୧୪ଶ ଅର୍ଥ କମିଶନଙ୍କ ସୁପାରିଶ ଲାଗୁ ହେବା ପରେ କେବଳ ଉତ୍ତରପୂର୍ବ ରାଜ୍ୟ ଓ ତିନୋଟି ପାହାଡିଆ ରାଜ୍ୟହିଁ ସ୍ୱତନ୍ତ୍ର ପାହ୍ୟା ପାଇବା ପାଇଁ ଯୋଗ୍ୟ ବିବେଚିତ ହେଉଛନ୍ତି । ଏଣୁ ନୂଆ ନିୟମ ଅନୁସାରେ ଆନ୍ଧ୍ରକୁ ଏହା ଦିଆଯାଇପାରିବ ନାହିଁ । ଏକ ସ୍ୱତନ୍ତ୍ର ପାହ୍ୟା ପ୍ରାପ୍ତ ରାଜ୍ୟ ସବୁ କେନ୍ଦ୍ରୀୟ ଯୋଜନାର ୯୦ ପ୍ରତିଶତ ପାଣ୍ଠି କେନ୍ଦ୍ର ସରକାରଙ୍କଠାରୁ ପାଇଥାଏ । ସାଧାରଣ ରାଜ୍ୟ କ୍ଷେତ୍ରରେ ଏହା ୬୦ ପ୍ରତିଶତ ।