କରୋନା ଆକ୍ରାନ୍ତ ଥିବା ସାଇନା ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିବା ପରେ କୋଭିଡ ରିପୋର୍ଟକୁ ନେଇ ପ୍ରଶ୍ନ ଉଠାଇଲେ

ନୂଆଦିଲ୍ଲୀ: ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହୱାଲ କରୋନା ଭୂତାଣୁ ଦ୍ବାରା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ସାଇନା ବର୍ତ୍ତମାନ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଖେଳିବା ପାଇଁ ଥାଇଲାଣ୍ଡରେ ଅଛନ୍ତି। ହେଲେ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ତାଙ୍କର କରୋନା ରିପୋର୍ଟ ପଜିଟିଭ ଆସିବାରୁ ଏବେ ତାଙ୍କୁ ଡାକ୍ତରଖାନାରେ କ୍ବାରେଣ୍ଟାଇନ କରାଯାଇଛି। ତେବେ କରୋନା ଆକ୍ରାନ୍ତ ହେବା ପରେ ନିଜ ରିପୋର୍ଟକୁ ନେଇ ସାଇନା ଦ୍ବନ୍ଦ୍ବରେ ଥିବା କହିଛନ୍ତି। ଟୁଇଟ କରି ସାଇନା ‌ଲେଖିଛନ୍ତି ଯେ, ପରୀକ୍ଷାର ୫ଘଣ୍ଟା ମଧ୍ୟରେ ରି‌ପୋର୍ଟ ମିଳିବା କଥା। କିନ୍ତୁ ଗତକାଲି ମୁଁ କରୋନା ପରୀକ୍ଷା କରାଇଥିଲେ ମଧ୍ୟ ‌ମୋତେ ଏପର୍ଯ୍ୟନ୍ତ ମୋର ରିିପୋର୍ଟ ମିଳିନାହିଁ। ରିପୋର୍ଟ ନ ଦେଇ ଆଜି ମ୍ୟାଚ୍ ପାଇଁ ୱାର୍ମ ଅପ୍ ପୂର୍ବରୁ ସେମାନେ ମୋତେ ବ୍ୟାଙ୍କକ୍ ହସ୍ପିଟାଲରେ ଭର୍ତ୍ତି ହେବାକୁ କହିଥିଲେ। ଏହା ବହୁତ ବିଭ୍ରାନ୍ତିକର।

କରୋନା କାଳରେ ଲମ୍ବା ବିରତି ପରେ ସାଇନା ଥାଇଲାଣ୍ଡ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରୁୁ ପୁଣି ଥରେ ଖେଳିବା ଆରମ୍ଭ କରିଥାନ୍ତେ। ହେଲେ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆଜିଠାରୁ ଆରମ୍ଭ ହେବାକୁ ଥିବା ବେଳେ କରୋନା ରିପୋର୍ଟ ପଜିଟିଭ ଆସିବାରୁ ସାଇନାଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡ଼ିଛି।

ସୂଚନା ମୁତାବକ, ମଙ୍ଗଳବାର ବ୍ୟାଡମିଣ୍ଟନ୍ ଆସୋସିଏସନ୍ ଅଫ୍ ଇଣ୍ଡିଆ (ବିଏଆଇ) ଟ୍ୱିଟ୍ କରି କହିଥିଲା ଯେ, ନେହେୱାଲ୍ ଏବଂ ଏଚ୍.ଏସ୍ ପ୍ରନୋୟ କରୋନା ଭୂତାଣୁ ଦ୍ବାରା ଆକ୍ରାନ୍ତ ହୋଇଛନ୍ତି। ବିଏଆଇ ଅନୁଯାୟୀ, ତୃତୀୟ ତଥା ବାଧ୍ୟତାମୂଳକ ରାଉଣ୍ଡ ପରୀକ୍ଷଣ ସମୟରେ ଦୁଇ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳିଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି। ଫଳସ୍ୱରୂପ, ସାଇନା ଏବଂ ପ୍ରଣୟଙ୍କୁ ଆୟୋଜକମାନେ ସର୍ବନିମ୍ନ ୧୦ଦିନ ଡାକ୍ତରଖାନାରେ ସଙ୍ଗରୋଧରେ ରହିବାକୁ କହିଛନ୍ତି।

ଉଭୟ ଖେଳାଳିଙ୍କୁ ଟୁର୍ଣ୍ଣାମେଣ୍ଟରୁ ବାହାର କରାଯାଇଥିବା ବେଳେ ପ୍ରଥମ ରାଉଣ୍ଡରେ ନେହୱାଲଙ୍କ ପ୍ରତିଦ୍ୱନ୍ଦ୍ୱୀ କିସୋନା ସେଲଭାଡୁରାଇ ୱାକଓଭର୍ ପାଇଛନ୍ତି।

ସମ୍ବନ୍ଧିତ ଖବର