ହତ୍ୟା ପାଇଁ ମୁଁ ଅନୁତପ୍ତ ନୁହେଁ : ନିହଙ୍ଗ ଶିଖ ସରବଜିତ

ନୂଆଦିଲ୍ଲୀ : ଦିଲ୍ଲୀ-ହରିୟାନା ସୀମା ସିଙ୍ଗୁଠାରେ ଗତକାଲି ଜଣେ ଯୁବକର ହାତ କାଟି ଅତ୍ୟନ୍ତ ନିର୍ମମଭାବେ ହତ୍ୟା କରିଥିବା ନିହଙ୍ଗ ଶିଖ ସରବଜିତ ସିଂ ନିଜର ଏହି କର୍ମ ପାଇଁ ଅନୁତପ୍ତ ନୁହେଁ ବୋଲି କହିଛି । ଗତକାଲି ଗିରଫ ହୋଇଥିବା ସରବଜିତକୁ ଆଜି ପୁଲିସ ପକ୍ଷରୁ କୋର୍ଟରେ ହାଜର କରାଯିବା ପରେ କୋର୍ଟ ତାକୁ ୭ ଦିନ ପାଇଁ ପୁଲିସ ରିମାଣ୍ଡକୁ ପଠାଇଦେଇଛନ୍ତି । ତେବେ ଘଟଣାର ଅଧିକ ତଦନ୍ତ ପାଇଁ ପୁଲିସ ପକ୍ଷରୁ ୧୪ ଦିନର ରିମାଣ୍ଡ ମାଗିଥିଲେ ମଧ୍ୟ କୋର୍ଟ ୭ ଦିନର ରିମାଣ୍ଡ ମଂଜୁର କରିଛନ୍ତି । ପୁଲିସ ପକ୍ଷରୁ କୁହାଯାଇଥିଲା ଯେ ଏହି ଘଟଣାରେ ଆଉ ୪ ଜଣ ସଂପୃକ୍ତ ଥିବା ସରବଜିତ କହିଛି । ଏହାଛଡ଼ା ହତ୍ୟାରେ ବ୍ୟବହୃତ ଅସ୍ତ୍ର ମଧ୍ୟ ଜବତ ହୋଇନାହିଁ ।

ଗତ କାଲି ପୁଲିସ ନିକଟରେ ଆତ୍ମସମର୍ପଣ କରିବା ପୂର୍ବରୁ ତାକୁ ସାମ୍ବାଦିକମାନେ ପ୍ରଶ୍ନ କରିବାରୁ ସେ କହିଥିଲା ଯେ ଏହି କାର୍ୟ୍ୟ ପାଇଁ ସେ ଅନୁତପ୍ତ ନୁହେଁ ।

ଗତକାଲି ସିଙ୍ଗୁ ସୀମାରେ ଥିବା କୃଷକ ଆନ୍ଦୋଳନସ୍ଥଳୀ ନିକଟରେ ଜଣେ ଯୁବକର ହାତକଟା ମୃତଦେହ ଝୁଲୁଥିବା ଦେଖାଯିବାପରେ ସାରା ଦେଶରେ ଚହଳ ପଡ଼ିଯାଇଥିଲା । ସେ ପଂଜାବର ତରନତାରନ ଜିଲ୍ଲାର ୩୫ ବର୍ଷୀୟ ଦଳିତ ଯୁବକ ଲଖବୀର ସିଂ ବୋଲି ଜଣାପଡ଼ିଛି ।

 

ସମ୍ବନ୍ଧିତ ଖବର