ମୁମ୍ବାଇ: ଭାରତୀୟ ରାଜନୀତିରେ ବିରଳ ଦୃଶ୍ୟ। ଭାରତୀୟ ଜନତା ପାର୍ଟି ଓ ଏନସିପି ନେତା ଅଜିତ ପାୱାର ୧୭୦ ବିଧାୟକଙ୍କ ସମର୍ଥନ ଦେଖାଇ ରାଜ୍ୟର ଶାସନ ଭାର ହାତକୁ ନେବା ପରେ ସୋମବାର ତାହାକୁ ଚ୍ୟାଲେଞ୍ଜ କରି ନିଜ ନିକଟରେ ଥିବା ୧୬୨ ବିଧାୟକଙ୍କୁ ସର୍ବସମ୍ମୁଖରେ ଉପସ୍ଥାପନ କରିଛନ୍ତି ଶିବସେନା, ଏନ୍ସିପି ଓ କଂଗ୍ରେସ। ଦେବେନ୍ଦ୍ର ଫଡ୍ନାଭିସ୍ ଏବଂ ଅଜିତ ପାୱାର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ସେମାନଙ୍କୁ ଚ୍ୟାଲେଞ୍ଜ କରି ସୁପ୍ରିମ୍କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଶିବେସନା, ଏନ୍ସିପି ଓ କଂଗ୍ରେସ। ଆସନ୍ତାକାଲି ଅଦାଲତରେ ଏହି ମାମଲାର ରାୟ ପ୍ରକାଶ ପାଇବାକୁ ଥିବା ବେଳେ ତାହାର ୧୨ ଘଣ୍ଟା ପୂର୍ବରୁ ମୁମ୍ବାଇର ଗ୍ରାଣ୍ଡ୍ ହୟାତ ହୋଟେଲ୍ରେ ୧୬୨ ବିଧାୟକଙ୍କ ପରେଡ୍ ହୋଇଯାଇଛି।
ଊପସ୍ଥିତ ଥିବା ୧୬୨ ବିଧାୟକଙ୍କ ସହିତ ତିନି ଦଳର ଶୀର୍ଷ ସ୍ତରୀୟ ନେତା ଶରଦ ପାୱାର, ସୁପ୍ରିୟା ସୁଲେ, ସଞ୍ଜୟ ରାଉତ, ଅଶୋକ ଚୌହ୍ବାନ, ନୱାବ ମଲ୍ଲିକ, ଜିତେନ୍ଦ୍ର ଅହ୍ବାଦ ଏବଂ ଆଦିତ୍ୟ ଠାକରେ ଉପସ୍ଥିତ ଥିଲେ।
ଉଲ୍ଲେଖଯୋଗ୍ୟ, ଶିବସେନା ନେତା ସଞ୍ଜୟ ରାଉତ ସୋମବାର ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ ଶିବସେନା, କଂଗ୍ରେସ ଓ ଏନ୍ସିପିର ୧୬୨ ବିଧାୟକଙ୍କୁ ଦେଖିଯାଆନ୍ତୁ । ସେ ସଂଧ୍ୟା ୭ଟାରେ ମୁମ୍ବାଇର ଗ୍ରାଣ୍ଡ୍ ହାୟତ ହୋଟେଲ୍କୁ ରାଜ୍ୟପାଳକୁ ନିମନ୍ତ୍ରଣ ଦେଇ ୩ ଦଳର ସମସ୍ତ ୧୬୨ ବିଧାୟକଙ୍କୁ ଉପସ୍ଥାପନ କରିବେ ବୋଲି ସୂଚନା ଦେଇଥିଲେ।
ଦେବେନ୍ଦ୍ର ଫଡ୍ନାଭିସ୍ଙ୍କୁ ମୁଖ୍ୟମନ୍ତ୍ରୀ ଓ ଅଜିତ ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟପାଳ କୋଶ୍ୟାରୀ ଶପଥ କରାଇବା ଓ ତା’ପରେ ସୃଷ୍ଟି ହୋଇଥିବା ରାଜନୈତିକ ଛକାପଞ୍ଝା ପରେ ସଞ୍ଜୟ ରାଉତଙ୍କ ପକ୍ଷରୁ ଏପରି ପ୍ରତିକ୍ରିୟା ପ୍ରକାଶ ପାଇଥିଲା।
ସେ ତାଙ୍କ ଟ୍ବିଟ୍ର ପେଜ୍ରେ ଲେଖିଥିଲେ ଯେ ’ଆମେ ସମେସ୍ତ ଏକ ଏବଂ ଏକତ୍ର ଅଛୁ। ପ୍ରଥମ ଥର ପାଇଁ ଆମର ୧୬୨ ଜଣ ବିଧାୟକଙ୍କୁ ଏକତ୍ର ଗ୍ରାଣ୍ଡ୍ ହାୟତ ହୋଟେଲ୍ରେ ସଂଧ୍ୟା ୭ଟାରେ ଭେଟନ୍ତୁ ଓ ଦେଖନ୍ତୁ।’
We are all one and together , watch our 162 together for the first time at grand Hyatt at 7 pm , come and watch yourself @maha_governorpic.twitter.com/hUSS4KoS7B
— Sanjay Raut (@rautsanjay61) November 25, 2019
ପୂର୍ବରୁ ଶିବସେନା, ଏନ୍ସିପି ଓ କଂଗ୍ରେସର ୧୬୨ ବିଧାୟକ ଦସ୍ତଖତ ଆକାରରେ ନିଜ ନିଜର ସମର୍ଥନ ଦେବା ପରେ ଦଳ ପକ୍ଷରୁ ସେମାନଙ୍କୁ ଭିନ୍ନ ଭିନ୍ନ ହୋଟେଲ୍ ଓ ରିସୋର୍ଟସକୁ ସ୍ଥାନାନ୍ତରିତ କରାଯାଇଥିଲା। ପ୍ରଥମ ଥର ପାଇଁ ସେମାନେ ନିଜର ବିଧାୟକ ସଂଖ୍ୟା ସାମ୍ନାସାମ୍ନି ଉପସ୍ଥାପନ କରିଛନ୍ତି।