ଏହା ଅଭିମାନ କରିବାର ସମୟ ନୁହେଁ : ମମତାଙ୍କୁ ଆଲଭାଙ୍କ ପରାମର୍ଶ

ନୂଆଦିଲ୍ଲୀ : ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟଦାନରୁ ବିରତ ରହିବ ବୋଲି ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ଘୋଷଣା କରିବା ପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ୟୁପିଏର ଉପ-ରାଷ୍ଟ୍ରପତି ପ୍ରାର୍ଥୀ ମାର୍ଗାରେଟ୍ ଆଲଭା ।

ଏକ ଟୁଇଟ୍ କରି ଆଲଭା ଲେଖିଛନ୍ତି ଯେ ଭୋଟଦାନରୁ ବିରତ ରହିବା ଲାଗି ଟିଏମସିର ନିଷ୍ପତ୍ତି ନୈରାଶ୍ୟଜନକ । ଏହା ରାଗ ବା ଅଭିମାନ ଦେଖାଇବାର ସମୟ ନୁହେଁ । ଏହା ସାହାସ, ନେତୃତ୍ବ ଓ ଏକତା ଦେଖାଇବାର ସମୟ ଅଟେ । ମମତା ବାନାର୍ଜୀଙ୍କ ଉପରେ ମୋର ଭରସା ଅଛି ଯିଏକି, ସାହାସର ପ୍ରତୀକ ଅଟନ୍ତି । ମୋର ବିଶ୍ବାସ ସେ ବିରୋଧ ପକ୍ଷ ସହିତ ଛିଡ଼ା ହେବେ ।

 

ବିରୋଧୀ ୟୁପିଏ ପକ୍ଷରୁ ମାର୍ଗାରେଟ ଆଲଭାଙ୍କ ପ୍ରାର୍ଥୀତ୍ବ ସଂପର୍କରେ ନିଷ୍ପତ୍ତି ନେବା ବେଳେ ଟିଏମସି ସହ ଆଲୋଚନା କରାଯାଇନଥିବାରୁ  ମମତା ବାନାର୍ଜୀ ଅସନ୍ତୁଷ୍ଟ ଅଛନ୍ତି । ଏଥିପାଇଁ ସେ ଉପରାଷ୍ଟ୍ରପତି ନିର୍ବାଚନରୁ ବିରତ ରହିବାକୁ ନିଷ୍ପତ୍ତି ନେଇଛନ୍ତି ।

ଗତ କାଲି ଟିଏମସି ପକ୍ଷରୁ କୁହାଯାଇଥିଲା ଯେ ଉପରାଷ୍ଟ୍ରପତି ନିର୍ବାଚନରେ ଦଳ ଭାଗ ନେବ ନାହିଁ । ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଜଗଦୀପ ଧନକର କିମ୍ବା ୟୁପିଏ ପ୍ରାର୍ଥୀ ମାର୍ଗାରେଟ୍ ଆଲଭା କାହାରିକୁ ସମର୍ଥନ କରାଯିବ ନାହିଁ ବୋଲି ଟିଏମସି ନେତା ତଥା ମମତାଙ୍କ ପୁତୁରା ଅଭିଷେକ ବାନାର୍ଜୀ ଘୋଷଣା କରିଥିଲେ । ଭୋଟ ଦାନରୁ ଟିଏମସି ବିରତ ରହିବ ବୋଲି ସେ ଘୋଷଣା କରିଥିଲେ ।

 

 

ସମ୍ବନ୍ଧିତ ଖବର