ଗୌହାଟୀ/ ମୁମ୍ବାଇ: ଶିବସେନାର ବିଦ୍ରୋହୀ ବିଧାୟକମାନଙ୍କ ନେତା ଏକନାଥ ସିନ୍ଦେ କହିଛନ୍ତି, ‘ବିଧାନସଭାରେ ‘ଫ୍ଲୋରଟେଷ୍ଟ’ ନେଇ ମୁଁ ଆଦୌ ଚିନ୍ତିତ କିମ୍ବା ବିଚଳିତ ନୁହେଁ। କାରଣ, ଗଣତନ୍ତ୍ରରେ ସଂଖ୍ୟାଗରିଷ୍ଠତା ହେଉଛି ଗୁରୁତ୍ୱପୂର୍ଣ୍ଣ ଏବଂ ଆମପାଖରେ ତାହା ଅଛି। ଆମେ ଆସନ୍ତାକାଲି ମୁମ୍ବାଇରେ ପହଞ୍ଚିବୁ। ୫୦ ଜଣ ବିଧାୟକ ଆମ ସହିତ ଅଛନ୍ତି। ଆମର ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଠତା ଅଛି। ଆମେ କୌଣସି ‘ଫ୍ଲୋରଟେଷ୍ଟ’ ବିଷୟରେ ଚିନ୍ତିତ ନୁହଁ। ଆମେ ସବୁ ବିଷୟରେ ଓ ସବୁ ଜିନିଷରେ ପାସ୍ କରିବୁ ଏବଂ କେହି ଆମକୁ ଅଟକାଇ ପାରିବେ ନାହିଁ;’ ବୋଲି ସିନ୍ଦେ କହିଛନ୍ତି। ବିଧାୟକମାନେ ଗୋଆରେ ଆଜି ରାତିରେ ରହିବେ ଏବଂ ଆସନ୍ତାକାଲି ମୁମ୍ବାଇରେ ‘ଫ୍ଲୋରଟେଷ୍ଟ’ ପାଇଁ ସିଧାସଳଖ ଯାଇ ବିଧାନସଭାରେ ପହଞ୍ଚିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ସିନ୍ଦେ।
ବିଦ୍ରୋହୀ ଶିବସେନା ମନ୍ତ୍ରୀ ଗୁଲାବରାଓ ପାଟିଲ ବୁଧବାର କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଉପରେ ସିଧାସଳଖ ଆକ୍ରମଣ କରି କହିଛନ୍ତି ସେ ତାଙ୍କର ୫୨ଜଣ ବିଧାୟକଙ୍କୁ ଛାଡିଦେଇ ପାରିବେ; କିନ୍ତୁ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଛାଡିବାକୁ ପ୍ରସ୍ତୁତ ନୁହଁନ୍ତି।
ପାଟିଲ କହିଛନ୍ତି ଯେ ବିଦ୍ରୋହୀ ବିଧାୟକମାନେ ସୁବିଧାବାଦୀ ନୁହଁନ୍ତି। ଦଳ ଏବଂ ସେମାନଙ୍କ ନେତାଙ୍କ ପାଇଁ ସବୁକିଛି କରିଥିଲେ ଯେତେବେଳେ ସେମାନେ ଏପରି କରିବା ସ୍ଥିତିରେ ନଥିଲେ। ପାଟିଲ ଗତ ସପ୍ତାହରେ ବରିଷ୍ଠ ନେତା ଏକନାଥ ସିନ୍ଦେଙ୍କ ଦ୍ୱାରା ସେନା ବିରୋଧରେ ଆରମ୍ଭ ହୋଇଥିବା ବିଦ୍ରୋହରେ ଯୋଗ ଦେଇଥିଲେ।
ବିଦ୍ରୋହୀ ବିଧାୟକମାନେ ସେନା ନେତୃତ୍ୱକୁ ଅନୁରୋଧ କରିଥିଲେ ମହା ବିକାଶ ଅଘଦି (ଏମଭିଏ) ସରକାରରେ ସେମାନଙ୍କ ଦଳ ସହିତ କ୍ଷମତା ପାଇଁ ମେଣ୍ଟ କରିିଥିବା ଏନସିପି ଏବଂ କଂଗ୍ରେସ ସହିତ ସମ୍ପର୍କ ଛିନ୍ନ କରାଯିବା ଉଚିତ। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ‘ବର୍ଷା’ (ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ) ଛାଡିଛନ୍ତି, ସେ ତାଙ୍କର ୫୨ ଜଣ ବିଧାୟକଙ୍କୁ ମଧ୍ୟ ଛାଡଛନ୍ତି। ସେ ସମସ୍ତଙ୍କୁ ଛାଡିଛନ୍ତି, କିନ୍ତୁ ସେ ଶରଦ ପାୱାର ଛାଡିବାକୁ ପ୍ରସ୍ତୁତ ନୁହଁନ୍ତି। ଯାହାର ପରିଣତି ସେ ଭୋଗ କରିବେ।