ଚେନ୍ନାଇ: ତାମିଲନାଡୁରେ ଗୋଟାଏ ହିନ୍ଦୁ ମନ୍ଦିରରେ ୩ଜଣ ସୁଶିକ୍ଷିତା ଯୁବତୀ ପୂଜିକା ଭାବେ ନିଯୁକ୍ତି ପାଇଥିବା କଥା ‘ଏନ୍ଡିଟିଭି’ ରିପୋର୍ଟ କରିଛି।
୩ ଯୁବତୀଙ୍କ ମଧ୍ୟରୁ ୨ଜଣ ସ୍ନାତକ ଓ ଜଣେ ସ୍ନାତକୋତ୍ତର। ଏଥିପାଇଁ ବେତନ ଖୁବ୍ ସ୍ବଳ୍ପ ଥିଲେ ବି ଈଶ୍ବର ସେମାନଙ୍କର ଆବଶ୍ୟକତା ପୂରଣ କରିବେ ବୋଲି ଏହି ପବିତ୍ରମନା ଯୁବତୀମାନଙ୍କର ଦୃଢ଼ ବିଶ୍ବାସ।
ସେମାନଙ୍କ ମଧ୍ୟରୁ ‘ଭିଜୁଆଲ୍ କମ୍ୟୁନିକେସନ୍’ରେ ‘ବିଏସ୍ସି’ ପାସ୍ କରିଥିବା ଏନ୍. ରଞ୍ଜିତା କହିଛନ୍ତି, ମୁଁ ଚେନ୍ନାଇରେ ଗୋଟାଏ ଘରୋଇ କମ୍ପାନିରେ ଚାକିରି କରିଥିଲି। ମନ୍ଦିରରେ ପୂଜିକା ହେବା ନିମନ୍ତେ ସବୁ ଜାତିର ମହିଳାମାନଙ୍କୁ ତାଲିମ ଦେବା ପାଇଁ ରାଜ୍ୟ ସରକାର ଘୋଷଣା କରିଥିବା କଥା ମୋର ଜଣେ ସାଙ୍ଗଠାରୁ ଜାଣିବା ପରେ ସେ ଚାକିରି ଛାଡ଼ି ଦେଲି। ଈଶ୍ବରଙ୍କ ସେବା ଗୁରୁତ୍ବପୂର୍ଣ୍ଣ ବିଚାରି ମୁଁ ପୂଜିକା ହେବା ପାଇଁ ନିଷ୍ପତ୍ତି ନେଲି।
ସୂଚନାଯୋଗ୍ୟ, ରଞ୍ଜିତାଙ୍କ ପୈତୃକ ବାସସ୍ଥାନ ତିରୁବରୁରୁ ଜିଲ୍ଲା ଅନ୍ତର୍ଗତ ନୀଦମଙ୍ଗଳମ୍ରେ ଓ ତାଙ୍କର ବାପାମାଆ କୃଷକ। ସେ ତାଙ୍କ ପରିବାରରେ ପ୍ରଥମ ସ୍ନାତକୋତ୍ତର।
ସେହିପରି, ଗଣିତରେ ସ୍ନାତକୋତ୍ତର ପାସ୍ କରିଥିବା ଏସ୍. ରାମିୟା ଏବଂ ଗଣିତରେ ସ୍ନାତକ ପାସ୍ କରିଥିବା ଏସ୍. କୃଷ୍ଣାବେଣୀ ମଧ୍ୟ ମନ୍ଦିରରେ ପୂଜିକା କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି।
‘ତାମିଲନାଡୁ ହିନ୍ଦୁ ରିଲିଜିଅସ୍ ଆଣ୍ଡ୍ ଚାରିଟେବଲ୍ ଏଣ୍ଡାଓମେଣ୍ଟ୍’ (ଏଚ୍ଆର୍ଆଣ୍ଡ୍ସିଇ) ବିଭାଗଦ୍ବାରା ଆୟୋଜିତ ଏକ ବର୍ଷିଆ ପାଠ୍ୟକ୍ରମରେ ସମୁଦାୟ ୯୮ଜଣ ‘ଅର୍ଚ୍ଚକ’ (ପୂଜକ/ପୂଜିକା) ସଫଳତା ହାସଲ କରିଛନ୍ତି। ସେଥିରୁ ୩ଜଣ ମହିଳା ଓ ବାକି ୯୫ ଜଣ ପୁରୁଷ। ତାଲିମ ବେଳେ ସମସ୍ତଙ୍କୁ ମାସକୁ ୩ ହଜାର ଟଙ୍କା ଲେଖାଏଁ ‘ଷ୍ଟାଇପେଣ୍ଡ୍’ ମିଳୁଥିଲା।
ରଞ୍ଜିତା କହନ୍ତି ପ୍ରରମ୍ଭିକ ପର୍ଯ୍ୟାୟରେ ତାଲିମ ବହୁତ କଠିନ ଲାଗୁଥିଲା କିନ୍ତୁ, ସେମାନଙ୍କ ଗୁରୁ ସୁନ୍ଦର ଭାଟ୍ଟର ସୁନ୍ଦର ଭାବେ ତାଙ୍କୁ ପାଠ ବତାଇ ଦେଲେ।
ତାଲିମପ୍ରାପ୍ତ ଏହି ଯୁବତୀମାନେ ଏବେ ବର୍ଷେ ପର୍ଯ୍ୟନ୍ତ ‘ଏଚ୍ଆର୍ଆଣ୍ଡ୍ସିଇ’ ଅଧୀନରେ ଥିବା ବୈଷ୍ଣବ ମନ୍ଦିରମାନଙ୍କରେ ସହକାରୀ ପୂଜିକା ବା ‘ଅର୍ଚ୍ଚିକା’ ଭାବେ ତାଲିମ ନେବେ। ତା’ପରେ ସେମାନଙ୍କୁ ସ୍ଥାୟୀ ଚାକିରି ମିଳିବ।