ମଧ୍ୟପ୍ରଦେଶ: ଭୋଟ ପାଇଁ ବଣ୍ଟା ହେଉଛି ନୋଟ୍, ଭିଡିଓ ହେଲା ଭାଇରାଲ୍

ଶିବପୁରୀ : ମଧ୍ୟପ୍ରଦେଶରେ ଲୋକସଭା ନିର୍ବାଚନ ପୂର୍ବରୁ ଟଙ୍କା ବଣ୍ଟନର ଫଟୋ ଓ ଭିଡିଓ ଭାଇରାଲ ହେବାରେ ଲାଗିଛି । ତେବେ ଏହି ଟଙ୍କା କ’ଣ ପାଇଁ ବଣ୍ଟନ କରାଯାଉଛି ସେ ନେଇ ସ୍ଥିତି ସ୍ପଷ୍ଟ ହୋଇନଥିଲେ ବି ସ୍ଥାନୀୟ ଲୋକଙ୍କ ମତରେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଟଙ୍କା ବଣ୍ଟନ କରାଯାଉଛି । ଭିଡିଓଟି ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାରେ ଜଣେ ବିଜେପି ନେତା ଅରବିନ୍ଦ ବେଦରଙ୍କର ବୋଲି ଜଣାପଡ଼ିଛି ।

ତାଙ୍କ ସହ ସିରସୋଦ ବିଜେପି ମଣ୍ଡଳ ସଭାପତି ହୁକୁମଚାନ୍ଦ ଲୋଧି ମଧ୍ୟ ଉପସ୍ଥିତ ଥିଲେ। କୁହାଯାଉଛି ଯେ ଉମା ଭାରତୀଙ୍କ ବୈଠକ ସିରସୋଦ ଗ୍ରାମରେ ଅନୁଷ୍ଠିତ ହୋଇଥିଲା। ଯାହା ପରେ ବିଜେପି ନେତା ଜନତାଙ୍କ ମଧ୍ୟରେ ୫୦୦ ଓ ୫୦୦ ଟଙ୍କିଆ ନୋଟ୍ ବାଣ୍ଟୁଛି । ଦଳ ସପକ୍ଷରେ ଭୋଟ୍ ଦେବା ପାଇଁ ଏହି ଟଙ୍କା ବଣ୍ଟନ କରାଯାଉଛି ବୋଲି ଲୋକେ କହୁଛନ୍ତି। ଅନ୍ୟପଟେ ବିଜେପି ନେତା ଅରବିନ୍ଦ ବେଦର କହିଛନ୍ତି ଯେ ବୈଠକ ପରେ ଟେଣ୍ଟ, ମାଇକ୍ ଏବଂ ଲାଇଟ୍ ବାଲାଙ୍କୁ ଏହି ଟଙ୍କା ଦିଆଯାଉଥିଲା ।

କେବଳ ବିଜେପି ନୁହେଁ, କଂଗ୍ରେସ ତରଫରୁ ମଧ୍ୟ ଟଙ୍କା ବାଣ୍ଟିବା ଅଭିଯୋଗ ହେଉଛି । ମଧ୍ୟପ୍ରଦେଶର ବିଦିଶା ଜିଲ୍ଲାରେ ସିରୋଞ୍ଜରେ ଏକ କଂଗ୍ରେସ ସଭା ପାଇଁ ଲୋକଙ୍କୁ ଟଙ୍କା ବାଣ୍ଟିବା ଅଭିଯୋଗ ହୋଇଛି । ସଭାକୁ ଲୋକଙ୍କୁ ଆକୃଷ୍ଟ କରିବାକୁ ଜଣେ ମହିଳା ଲୋକଙ୍କୁ ୫୦୦ ଟଙ୍କା ବାଣ୍ଟୁଥିବାର ଭିଡିଓ ଭାଇରାଲ ହୋଇଛି ।

 

ସମ୍ବନ୍ଧିତ ଖବର