କୋଲକାତା: ଜଳନ୍ତା ଚିତାରୁ ଉଡିଲା ଟଙ୍କା | ଆଉ ପୋଡିଯାଉଥିବା ଟଙ୍କା ଦେଖି ଚିତା ଲିଭାଇବାକୁ ଦୌଡିଲେ ଲୋକ | ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲାରୁ ଏଭଳି ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର ସମୟରେ ପୁଳାପୁଳା ୫୦୦ ଟଙ୍କିଆ ନୋଟ୍ ଜଳି ଉଡ଼ିଥିଲା। ନୋଟ୍ ଉଡୁଥିବା ଦେଖି ଲୋକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେମାନେ ସଙ୍ଗେ ସଙ୍ଗେ ନିଆଁ ଲିଭାଇ ନୋଟ୍ ବାହାର କଲେ। ସୋସିଆଲ ମିଡିଆରେ ଏହି ଘଟଣା ଭାଇରାଲ ହେବାରେ ଲାଗିଛି। ସୂଚନା ଅନୁଯାୟୀ ବସିରହାଟର ଗୋଜାଡଙ୍ଗା ଅଞ୍ଚଳରେ ରହୁଥିବା ନିମାଇ ସର୍ଦ୍ଦାରଙ୍କର ଗତ ରବିବାର ଦେହାନ୍ତ ହୋଇଥିଲା । ନିମାଇ ଏକ ଭ୍ୟାନ୍ ଚଳାଉଥିଲେ | ତାଙ୍କର କୌଣସି ସନ୍ତାନ ନ ଥିଲେ।

Advertisment

ତେଣୁ ତାଙ୍କ ପୁତୁରା ପଞ୍ଚାନନ ସର୍ଦ୍ଦାରଙ୍କୁ ତାଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ କରିବାକୁ କୁହାଯାଇଥିଲା | ଯେତେବେଳେ ପଞ୍ଚାନନ ଚିତାରେ ନିଆଁ ଲଗାଇଥିଲେ, ସେତେବେଳେ ୫୦୦ ଟଙ୍କିଆ ନୋଟ ଉଡ଼ିବା ଆରମ୍ଭ ହୋଇଥିଲା | ବାସ୍ତବରେ, ନିମାଇ ରୋଜଗାର କରିଥିବା ସମସ୍ତ ଟଙ୍କାକୁ ତକିଆ ଭିତରେ ଲୁଚାଇ ରଖୁଥିଲେ | ଶବଦାହ ସମୟରେ ମୃତକଙ୍କ ତକିଆ ଯେତେବେଳେ ଚିତାରେ ରଖାଯାଇଥିଲା ଏବଂ ତାହା ନିଆଁରେ ଜଳିବା ଆରମ୍ଭ କଲା, ସେଥିରେ ଭର୍ତ୍ତି ହୋଇଥିବା ନୋଟ୍ଗୁଡ଼ିକ ନିଆଁର ଧୂଆଁରେ ଉଡ଼ିବା ଆରମ୍ଭ କଲା | ଏହି ଦୃଶ୍ୟ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ | ଲୋକମାନେ ଶୀଘ୍ର ନିଆଁ ଲିଭାଇଲେ ଏବଂ ତକିଆ ସହ ଜଳିଯାଉଥିବା ନୋଟଗୁଡ଼ିକୁ ରକ୍ଷା କଲେ | ଏନେଇ ପଞ୍ଚାନନ କହିଛନ୍ତି ଯେ ତକିଆ ଭିତରେ ଏକ ଛୋଟ ବ୍ୟାଗ ଥିଲା | ଯେଉଁଥିରେ ବଡବାପା ଟଙ୍କା ଲୁଚାଇ ରଖିଥିଲେ। ବ୍ୟାଗରେ ୫୦୦ ଟଙ୍କିଆ ବଣ୍ଡଲ ଥିଲା | ସେଥିମଧ୍ୟରୁ ୧୬୦୦୦ ଟଙ୍କାର କିଛି ନୋଟ୍ ପୋଡି ଯାଇଥିଲା। ସେ କହିଛନ୍ତି ଯେ ଏହି ପୋଡା ନୋଟ ବଦଳାଇ ତାଙ୍କୁ ୭୧୫୦ ଟଙ୍କା ମିଳିଛି।