ନୂଆଦିଲ୍ଲୀ: ବିମୁଦ୍ରୀକରଣ ଉପରେ ସରକାରୀ ବିଜ୍ଞପ୍ତି ବେଆଇନ ଥିଲା। ୧୦୦୦ ଏବଂ ୫୦୦ ଟଙ୍କିଆ ନୋଟ୍ ଉପରେ ପ୍ରତିବନ୍ଧକ ଲଗାଇବା ପ୍ରକ୍ରିୟା କେନ୍ଦ୍ର ଦ୍ୱାରା ଆରମ୍ଭ ହୋଇପାରି ନଥାନ୍ତା ବୋଲି ନିଜର ଭିନ୍ନମତ ପୋଷଣ କରି ରାୟରେ କହିଛନ୍ତି ଜଷ୍ଟିସ୍ ବିଭି ନାଗାରତ୍ନା।
ଆଜି ସୁପ୍ରିମକୋର୍ଟର ସମ୍ବିଧାନ ଖଣ୍ଡପୀଠ ୪:୧ ସଂଖ୍ୟାଗରିଷ୍ଠତା ସହିତ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଦ୍ୱାରା ବିମୁଦ୍ରୀକରଣ ନିଷ୍ପତ୍ତିକୁ ସମର୍ଥନ କରଛନ୍ତି। ତେବେ, ଏହି ସମ୍ବିଧାନିକ ଖଣ୍ଡପୀଠରେ ଅନ୍ୟତମ ବିଚାରପତି ରହିଥିବା ଜଷ୍ଟିସ୍ ବିଭି ନାଗାରତ୍ନା ସଂଖ୍ୟାଗରିଷ୍ଠ ରାୟରେ ଏକମତ ନହୋଇ ନିଜର ଭିନ୍ନମତ ରଖି କେନ୍ଦ୍ରର ନଭେମ୍ବର ୮, ୨୦୧୬ର ବିଜ୍ଞପ୍ତି ବେଆଇନ ବୋଲି କହିଛନ୍ତି । ସେ ବିଜ୍ଞପ୍ତିକୁ ଚ୍ୟାଲେଞ୍ଜ କରୁଥିବା ଆବେଦନକାରୀଙ୍କ ସହ ସହମତ ହୋଇଥିଲେ ଯେ ଭାରତୀୟ ରିଜର୍ଭ ବ୍ୟାଙ୍କ ଅଧିନିୟମର ଧାରା ୨୬ ଅନୁଯାୟୀ, ଆରବିଆଇର କେନ୍ଦ୍ରୀୟ ବୋର୍ଡ ସ୍ୱାଧୀନ ଭାବରେ ବିମୁଦ୍ରୀକରଣ ପାଇଁ ସୁପାରିସ କରିବା ଉଚିତ୍ ଏବଂ ଏହା ସରକାରଙ୍କ ପରାମର୍ଶ ମାଧ୍ୟମରେ କରାଯିବା ଉଚିତ ନୁହେଁ।
‘ମୋର ବିବେଚିତ ଦୃଷ୍ଟିକୋଣରେ ନଭେମ୍ବର ୮ ବିଜ୍ଞପ୍ତି ଅନୁଯାୟୀ ହୋଇଥିବା ବିମୁଦ୍ରୀକରଣ କାର୍ଯ୍ୟ ବେଆଇନ ଥିଲା। କିନ୍ତୁ ଏହା ୨୦୧୬ରେ ଥିବାରୁ ବର୍ତ୍ତମାନ ସ୍ଥିତିର ପୂର୍ବପୁନରୁଦ୍ଧାର କରାଯାଇପାରିବ ନାହିଁ’ ବୋଲି ଦର୍ଶାଇ ସେ କହିଛନ୍ତି ଯେ ବିମୁଦ୍ରୀକରଣ ହେଉଛି ଆଇନର ବିପରୀତ କ୍ଷମତାର ପ୍ରୟୋଗ ଏବଂ ତେଣୁ ବେଆଇନ। ଏହାକୁ ଯେପରି ଢ଼ଙ୍ଗରେ କାର୍ଯ୍ୟକାରୀ କରାଯାଇଥିଲା ତାହା ଆଇନାନୁମୋଦିତ ନୁହେଁ, ବୋଲି କହିବା ସହ ସେ ସ୍ପଷ୍ଟ କରିଛନ୍ତି ଯେ ବିମୁଦ୍ରୀକରଣର ‘ମହାନ ଉଦ୍ଦେଶ୍ୟ’ ଉପରେ ମୁଁ ପ୍ରଶ୍ନ କରୁନାହିଁ ବରଂ ଏହାର ଆଇନଗତ ଦୃଷ୍ଟିକୋଣ ଉପରେ ପ୍ରଶ୍ନ ଉଠାଉଛି।
ବିମୁଦ୍ରୀକରଣ, ସନ୍ଦେହର ବଳୟ ବାହାରେ, ଏକ ଭଲ ଉଦ୍ଦେଶ୍ୟରେ ଥିଲା। ତେବେ, ଏହି ପଦକ୍ଷେପକୁ କେବଳ ଏକ ସମ୍ପୂର୍ଣ୍ଣ ଆଇନଗତ ବିଶ୍ଳେଷଣ ଉପରେ ବେଆଇନ ବୋଲି ବିବେଚନା କରାଯାଇଛି। ବିମୁଦ୍ରୀକରଣ ନିଷ୍ପତ୍ତିକୁ ସେ ଭଲ ଉଦ୍ଦେଶ୍ୟ ଏବଂ ଭଲ ଚିନ୍ତାଧାରା ବୋଲି କହିଛନ୍ତି। ଏହା କଳାଧନ, ଆତଙ୍କବାଦୀ ପାଣ୍ଠି ଏବଂ ନକଲି ନୋଟକୁ ଟାର୍ଗେଟ କରିଥିଲା ବୋଲି ସେ କହିଥିଲେ।
ଜଷ୍ଟିସ୍ ନାଗାରତ୍ନା ତାଙ୍କ ଭିନ୍ନମତ ରାୟରେ ଏହା ମଧ୍ୟ କହିଛନ୍ତି ଯେ ପୂର୍ବ ଉଦାହରଣ ପରି, ବିମୁଦ୍ରୀକରଣ ସଂସଦର ଏକ ଅଧିନିୟମ ମାଧ୍ୟମରେ ଆରମ୍ଭ ହୋଇଥାନ୍ତା,ଏକ କାର୍ଯ୍ୟନିର୍ବାହୀ ବିଜ୍ଞପ୍ତି ଦ୍ୱାରା ନୁହେଁ।