ଜିନିଭା: ‘ମଙ୍କିପକ୍ସ୍’କୁ ଜନସାଧାରଣ ‘ଟ୍ରମ୍ପ୍-୨୨’ ଭାବେ ପୁନଃନାମିତ କରିବା ପାଇଁ ପ୍ରସ୍ତାବ ଦେବା ଅବାନ୍ତର ନୁହେଁ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ମଙ୍ଗଳବାର ଦିନ କହିଛି।
ସବୁବେଳେ ‘ବୈଷୟିକ କମିଟି’ ସର୍ବସାଧାରଣଙ୍କ ଅଜ୍ଞାତରେ ରୋଗଗୁଡ଼ିକର ନାମକରଣ କରନ୍ତି, କିନ୍ତୁ ଏଥର ‘ମଙ୍କିପକ୍ସ୍’ର ପୁନଃନାମକରଣ ନିମନ୍ତେ ସର୍ବସାଧାରଣଙ୍କଠାରୁ ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ ନାମକରଣ ପ୍ରସ୍ତାବ ମାଗିଥିଲା। ପ୍ରଥମେ ଅତି ମନ୍ଥର ଭାବେ କିଛି ନାମ ପ୍ରସ୍ତାବ ଆସିବା ପରେ ପ୍ରଫେସର୍, ଡାକ୍ତର ଏବଂ ‘ଗେ କମ୍ୟୁନିଟି’ କର୍ମୀଙ୍କ ସମେତ ଅନେକ ବ୍ୟକ୍ତିଙ୍କଠାରୁ ‘ପକ୍ସି ମ୍ୟାକ୍ପକ୍ସ୍ଫକ୍ସ୍’, ‘ଟ୍ରମ୍ପ୍-୨୨’ ଏବଂ ‘ଏମ୍ପକ୍ସ୍’ ଭଳି ବହୁ ନାମ ପ୍ରସ୍ତାବ ଆସିଲା।
ସୂଚନାଯୋଗ୍ୟ, ‘ମଙ୍କିପକ୍ସ୍’ ରୋଗର ମୂଳ ବାହକ ମାଙ୍କଡ଼ ହୋଇ ନ ଥିବାରୁ ଏଭଳି ନାଁ (ମଙ୍କିପକ୍ସ୍) ବିଭ୍ରାନ୍ତ କରାଉଛି ବୋଲି ସମାଲୋଚକମାନେ ଜାତିସଂଘ ନିକଟରେ ଆପତ୍ତି କରିଆସୁଥିଲେ। ତେଣୁ, ‘ମଙ୍କିପକ୍ସ୍’ ପାଇଁ ଗୋଟାଏ ‘ନିରପେକ୍ଷ, ଅଣ-ବୈଷମ୍ୟବାଦ ଏବଂ ଅଣ-ଅପବାଦ’ ନାମ ଦେବା ପାଇଁ ଦଳେ ଅଗ୍ରଣୀ ବୈଜ୍ଞାନିକ ସର୍ବସାଧାରଣଙ୍କ ଠାରୁ ନାମ ପ୍ରସ୍ତାବ ଆଗତ କରିବାକୁ ଗତ ଜୁନ୍ ମାସରେ ଏକ ‘ପୋଜିସନ୍ ପେପର୍’ (ସର୍ବସାଧାରଣଙ୍କ ମନୋଭାବ ଜାଣିବାକୁ ଉଦ୍ଦିଷ୍ଟ ଆଲେଖ୍ୟ) ଲେଖିଥିଲେ।
ପୁନଃନାମକରଣ ପ୍ରସ୍ତାବ ସଂକ୍ରାନ୍ତରେ ମଙ୍ଗଳବାର ଦିନ ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ର ମୁଖପାତ୍ର ଫେଡିଲା ଚୈବ୍ କହିଛନ୍ତି, ‘ମଙ୍କିପକ୍ସ’ ପାଇଁ ନୂଆ ନାଁଟିଏ ଖୋଜିବା ଗୁରୁତ୍ବପୂର୍ଣ୍ଣ। କୌଣସି ଆଦିମ ସମ୍ପ୍ରଦାୟ, କୌଣସି ଅଞ୍ଚଳ, କୌଣସି ଦେଶ ଅଥବା କୌଣସି ପ୍ରାଣୀ ଆଦିକୁ ଅପମାନିତ କରିବା ଭଳି କୌଣସି ରୋଗର ନାମକରଣ ନ କରାଯିବା ଉଚିତ। କାହାକୁ ଅପବାଦ ଦେବା ଭଳି ନାଁ ପ୍ରତି ସତର୍କ ରହି ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ ନୂଆ ନାଁ’ର ସନ୍ଧାନରେ ବାହାରିଛି।
/sambad/media/post_attachments/wp-content/uploads/2022/08/MP1-1024x637.jpg)
ଏଯାବତ୍ ଆସିଥିବା ନାମ ପ୍ରସ୍ତାବଗୁଡ଼ିକ ମଧ୍ୟରୁ ଅଧିକ ଲୋକପ୍ରିୟ ହେଉଥିବା ନାଁ’ଟି ହେଉଛି ପୁରୁଷ ସ୍ବାସ୍ଥ୍ୟ ସଙ୍ଗଠନ ‘ରେଜୋ’ର ନିର୍ଦେଶକ ସାମୁଏଲ୍ ମିରିଏଲୋ ଦାଖଲ କରିଥିବା ‘ଏମ୍ପକ୍ସ୍’।
ଆଉ ଏକ ଲୋକପ୍ରିୟ ନାଁ ହେଉଛି ‘ଟ୍ରମ୍ପ୍-୨୨’ ଯାହାକୁ ସାଧାରଣରେ ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ଙ୍କ ନାମାନୁସାରେ ନାମିତ କରାଯାଇଛି ବୋଲି କୁହାଯାଉଛି। କିନ୍ତୁ, ଏହି ନାମ ପ୍ରସ୍ତାବ ଦେଇଥିବା ବ୍ୟକ୍ତିଜଣକ କହୁଛନ୍ତି ଏହାକୁ ବିସ୍ତାର କରି ଲେଖିଲେ ‘ଟକ୍ସିକ୍ ରାସ୍ ଅଫ୍ ଅନ୍ରେକଗ୍ନାଇଜ୍ଡ୍ ମିଷ୍ଟ୍ରିୟସ୍ ପ୍ରୋଭେନାନ୍ସ୍ ଅଫ୍ ୨୦୨୨’ ହେବ। ଏଥିରେ ଥିବା ଶବ୍ଦଗୁଡ଼ିକର ମୂଳ ଅକ୍ଷର ନେଇ ସଂକ୍ଷିପ୍ତ କରି ଲେଖିଲେ ‘ଟ୍ରମ୍ପ୍-୨୨’ ବୋଲି ପଢ଼ାଯିବ।
ଏହାଛଡ଼ା, ଚଳିତ ବର୍ଷ ଏଯାବତ୍ ‘ମଙ୍କିପକ୍ସ’ ମୁଖ୍ୟତଃ ପାଶ୍ଚାତ୍ୟ ଏବଂ କେନ୍ଦ୍ରୀୟ ଆଫ୍ରିକାର କେତେକ ରାଷ୍ଟ୍ରରେ ବ୍ୟାପିଛି।
ଚୈବ୍ କହିଛନ୍ତି, ବୈଜ୍ଞାନିକ ବୈଧ୍ୟତା, ଗ୍ରହଣୀୟତା, ବିଭିନ୍ନ ଭାଷାରେ ଉଚ୍ଚାରଣ ଆଦି ପ୍ରତି ଦୃଷ୍ଟି ଦେଇ ଆମେ ଆଗତ ନାମ ପ୍ରସ୍ତାବଗୁଡ଼ିକରୁ ନାମ ଚୟନ କରିବୁ। ତେଣୁ, ଆମେ ଚୟନ କରିଥିବା ନାମ ଅବାନ୍ତର ବା ହାସ୍ୟସ୍ପଦ ହେବ ନାହିଁ ବୋଲି ମୁଁ ସୁନିଶ୍ଚିତ।