ମୋଟରଯାନ ଟ୍ରେଡ୍ ସାର୍ଟିଫିକେଟ୍ ପ୍ରଦାନ ନିୟମରେ ସଂଶୋଧନ ପାଇଁ ଚିଠା ବିଜ୍ଞପ୍ତି ପ୍ରକାଶିତ

ନୂଆଦିଲ୍ଲୀ : କେନ୍ଦ୍ରୀୟ ମୋଟର ଯାନ ଆଇନ ୧୯୮୯ ଅନ୍ତର୍ଗତ ଟ୍ରେଡ୍ ସାର୍ଟିଫିକେଟ୍ ନିୟମରେ କେତେକ ସଂଶୋଧନ ଆଣିବାକୁ ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ଏକ ଚିଠା ବିଜ୍ଞପ୍ତି ପ୍ରକାଶ ପାଇଛି। ମୋଟରଯାନ କ୍ଷେତ୍ରରେ ଟ୍ରେଡ୍ ସାର୍ଟିଫିକେଟ୍‌ର ନିର୍ଦ୍ଦିଷ୍ଟ ଆବଶ୍ୟକତା ରହିଛି। ଯେତେବେଳେ ଗୋଟିଏ ମୋଟରଯାନ ପଞ୍ଜୀକୃତ ହୋଇ ନ ଥିବ କିମ୍ବା ଅସ୍ଥାୟୀ ପଞ୍ଜୀକରଣ ପାଇ ନ ଥିବ, ସେତେବେଳେ ସମ୍ପୃକ୍ତ ଗାଡି ପାଇଁ ଟ୍ରେଡ୍‌ ସାର୍ଟିଫିକେଟ୍‌ ଦରକାର ହୋଇଥାଏ। ଏହି ସମୟରେ ସମ୍ପୃକ୍ତ ଯାନ ଏହାର ନିର୍ମାତା, ବିକ୍ରେତା, ଆମଦାନିକାରୀ କିମ୍ବା ଟେଷ୍ଟିଂକାରୀ ସଂସ୍ଥା ପାଖରେ ରହିଥାଏ। ଏଥିପାଇଁ ମୋଟରଯାନ ଆଇନର ୧୨୬ ଧାରାରେ ବ୍ୟବସ୍ଥା ରହିଛି।

ଏହି ଯାନର କାରବାର/ବ୍ୟବସାୟକୁ ସୁଗମ କରିବା ପାଇଁ କେନ୍ଦ୍ର ସରକାର ମୋଟରଯାନ ଆଇନରେ କେତେକ ସଂଶୋଧନ କରିବାକୁ ଚାହୁଛନ୍ତି। ପ୍ରସ୍ତାବ ଅନୁସାରେ ଏଣିକି ସମ୍ପୃକ୍ତ ସଂସ୍ଥା ବା ଏଜେନ୍ସି ବିଭିନ୍ନ ପ୍ରକାର ମୋଟର ଯାନ ପାଇଁ ଟ୍ରେଡ୍ ସାର୍ଟିଫିକେଟ୍ ଓ ଟ୍ରେଡ୍ ରେଜିଷ୍ଟ୍ରେସନ ମାର୍କ ପାଇବାକୁ ଇଲେକ୍‌ଟ୍ରୋନିକ୍ ବ୍ୟବସ୍ଥାରେ ଆବେଦନ କରିପାରିବେ। ଆର୍‌ଟିଓ ଅଫିସକୁ ନ ଯାଇ ଆବେଦନକାରୀ ‘ବାହନ ପୋର୍ଟାଲ’ରେ ଗୋଟିଏ ଆବେଦନପତ୍ର ମାଧ୍ୟମରେ ଏହି ଟ୍ରେଡ୍ ସାର୍ଟିଫିକେଟ୍ ଓ ଟ୍ରେଡ୍ ରେଜିଷ୍ଟ୍ରେସନ ମାର୍କ ପାଇବାକୁ ଆବେଦନ କରିପାରିବେ। ଟ୍ରେଡ୍ ରେଜିଷ୍ଟ୍ରେସନ ମାର୍କର ସଂଖ୍ୟା ଅନୁସାରେ ଆବେଦନକାରୀଙ୍କୁ ଫି ଭରିବାକୁ ପଡ଼ିବ। ଏହାପରେ ଉଭୟ ଟ୍ରେଡ୍ ସାର୍ଟିଫିକେଟ୍ ଓ ରେଜିଷ୍ଟ୍ରେସନ ମାର୍କ ଅନଲାଇନରେ ସମ୍ପୃକ୍ତ ପୋର୍ଟାଲ ମାଧ୍ୟମରେ ଇଲେକ୍‌ଟ୍ରୋନିକ ବ୍ୟବସ୍ଥାରେ ଯୋଗାଇ ଦିଆଯିବ। ଏହି ଇଲେକ୍‌ଟ୍ରୋନିକ ବ୍ୟବସ୍ଥା ଫଳରେ ଟ୍ରେଡ୍ ସାର୍ଟିଫିକେଟ୍ ହଜିଲେ କିମ୍ବା ନଷ୍ଟ ହୋଇଗଲେ ଏହାର ନକଲ ପାଇବାକୁ କର୍ତ୍ତୃପକ୍ଷଙ୍କ ନିକଟକୁ ଆଗଭଳି ଆଉ ଦୌଡ଼ିବାକୁ ପଡିବ ନାହିଁ। ଏହା ଫଳରେ ଗାଡ଼ି ବିକ୍ରେତା, ଉତ୍ପାଦକ ଓ ଆମଦାନିକାରୀ ବିଶେଷ ଉପକୃତ ହେବେ। ପରିବହନ କ୍ଷେତ୍ରରେ ଏହା ଏକ ନୂଆ ସୁବିଧା ପ୍ରଦାନକାରୀ ବ୍ୟବସ୍ଥା। ଆହୁରି ମଧ୍ୟ ଚିଠା ବିଜ୍ଞପ୍ତିରେ ଟ୍ରେଡ୍ ସାର୍ଟିଫିକେଟ୍‌ର ବୈଧତାକୁ ୧୨ମାସରୁ ପାଞ୍ଚବର୍ଷ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି।

ସମ୍ବନ୍ଧିତ ଖବର