ରାଜ୍ୟସଭା ସଚିବାଳୟର ନୋ‌ଟିସ୍‌: ସଂସଦ ଭବନ ପରିସରରେ ଧାରଣା, ଅନଶନ ହୋଇପାରିବନି

ନୂଆଦିଲ୍ଲୀ: ଜୁଲାଇ ୧୮ ତାରିଖରେ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ସଂସଦ କାର୍ଯ୍ୟ ସୁରୁଖୁରୁରେ ଚାଲିବାପାଇଁ ଉଭୟ ରାଜ୍ୟସଭା ଏବଂ ଲୋକସଭା ସଚିବାଳୟ ପକ୍ଷରୁ ବିଭିନ୍ନ କାର୍ଯ୍ୟପନ୍ଥା ଗ୍ରହଣ ହୋଇଛି। ରାଜ୍ୟସଭା ସଚିବ‌ାଳୟ ପକ୍ଷରୁ ଆଜି ଏକ ଗୁରୁତ୍ବପୂର୍ଣ୍ଣ ନୋଟିସ୍‌ ଜାରି ହୋଇଛି। ରାଜ୍ୟସଭା ସଚିବାଳୟ ଦ୍ବାରା ଜାରି ହୋଇଥିବା ନୂଆ ବିଜ୍ଞପ୍ତି ଅନୁଯାୟୀ ସଂସଦ ଭବନ ପରିସରରେ ଧାରଣା‌, ଅନଶନ ଏବଂ କୌଣସି ପ୍ରକାର ଧାର୍ମିକ କାର୍ଯ୍ୟକ୍ରମ ହୋଇପାରିବ ନାହିଁ। ରାଜ୍ୟସଭା ମହାସଚିବ ପିସି ମୋଦୀ ଆଜି ଏକ ନୂଆ ବୁଲେଟିନ୍‌ ଜାରି କରି ଏହା ପାଳନ କରିବାପାଇଁ ସବୁ ସଦସ୍ୟଙ୍କ ସହଯୋଗ ଲୋଡ଼ିଛନ୍ତି।

ସଦସ୍ୟମାନେ ସଂସଦ ଭବନ ପରିସରକୁ ଧାରଣା, ଅନଶନ ଏବଂ କୌଣସି ପ୍ରକାର ଧାର୍ମିକ କାର୍ଯ୍ୟକ୍ରମ ପାଇଁ ବ୍ୟବହାର କରିପାରିବେନି ବୋଲି ବୁଲେଟିନ୍‌ରେ କୁହାଯାଇଛି। ତେବେ ଏହି ପ୍ରସଙ୍ଗରେ ମଧ୍ୟ ସରକାରଙ୍କ ଉପରେ ଆକ୍ରମଣ ଆରମ୍ଭ ହୋଇଯାଇଛି। ରାଜ୍ୟସଭାରେ କଂଗ୍ରେସର ମୁଖ୍ୟ ସଚେତକ ଜୟରାମ ରମେଶ କେନ୍ଦ୍ର ସରକାରକୁ ଟାର୍ଗେଟ୍‌ କରିଛନ୍ତି। ରମେଶ ଏକ ଟ୍ବିଟ୍‌ କରି କହିଛନ୍ତି, ‘ବିଶ୍ବଗୁରୁଙ୍କ ଲାଟେଷ୍ଟ୍‌ ସାଲ୍‌ଭୋ- ଧାରଣା ମନା ହୈ’। ବରିଷ୍ଠ ନେତା ମନୀଷ ତିୱାରୀ କହିଛନ୍ତି, ଏଭଳି ନିଷ୍ପତ୍ତି ଦୁର୍ଭାଗ୍ୟଜନକ। ତିୱାରୀ କହିଛନ୍ତି, ଆଗାମୀ ମୌସୁମୀ ଅଧିବେଶନ ପୂର୍ବରୁ ପ୍ରିଜାଇଡିଂ ଅଫିସରମାନେ କାହିଁକି ସଦସ୍ୟଙ୍କ ସହ ବିବାଦ ପାଇଁ ମଞ୍ଚ ପ୍ରସ୍ତୁତ କରୁଛନ୍ତି। ପ୍ରଥମେ ଶବ୍ଦ ଯୁଦ୍ଧ ଏବଂ ଏବେ ପୁଣି ଏମିତି ନୋଟିସ୍‌। ବାସ୍ତବରେ ଏସବୁ ଖୁବ୍‌ ଦୁର୍ଭାଗ୍ୟଜନକ ବୋଲି ତିୱାରୀ କହିଛନ୍ତି। ଇତିମଧ୍ୟରେ ଲୋକସଭା ସଚିବାଳୟ ପକ୍ଷରୁ ସ୍ପଷ୍ଟୀକରଣ ଦେଇ କୁହାଯାଇଛି ଯେ ଏହି ପ୍ରକ୍ରିୟା ହେଉଛି ଏକ ରୁଟିନ୍‌। ସଂସଦର ପ୍ରତି ଅଧିବେଶନ ପୂର୍ବରୁ ଏହି ନିର୍ଦ୍ଦେଶାବଳି ଜାରି ହୋଇଥାଏ। ଉଲ୍ଲେଖଯୋଗ୍ୟ, ଲୋକସଭା ସଚିବାଳୟ ଦ୍ବାରା ଗତକାଲି ଜାରି ହୋଇଥିବା ଏକ ପୁସ୍ତିକାରେ ଅନ୍ୟୂନ ୪୦ଟି ଶବ୍ଦକୁ ଅସଂସଦୀୟ କୁହାଯାଇଥିବାରୁ ଏହାର ମଧ୍ୟ ବିରୋଧ ହୋଇଥିଲା।

କୌଣସି ‌କଟକଣା ନାହିଁ: ଶରଦ ପାୱାର
ନୂଆଦିଲ୍ଲୀ: ସଂସଦ ଭବନରେ ଧାରଣା ଏବଂ ଅନଶନ ହୋଇପାରିବନି ବୋଲି ରାଜ୍ୟସଭା ସଚିବାଳୟ ଦ୍ବାରା ଯେଉଁ ନୋଟିସ୍‌ ଜାରି ହୋଇଛି ତାକୁ ନେଇ ମଧ୍ୟ ବିବାଦ ଆରମ୍ଭ ହୋଇଛି। ଇତିମଧ୍ୟରେ ଏନ୍‌ସିପି ସୁପ୍ରିମୋ ଶରଦ ପାୱାର କହିଛନ୍ତି, ବାଚସ୍ପତିଙ୍କ ନିକଟରୁ ସେ ଏ ବାବଦରେ ସବିଶେଷ ତଥ୍ୟ ପାଇଛନ୍ତି। ସଂସଦରେ ଏଭଳି କୌଣସି କଟକଣା ଜାରି ହୋଇନାହିଁ ଏବଂ ପୂର୍ବ ପ୍ରଚଳିତ ନିୟମ ଅନୁଯାୟୀ ନୋଟିସ୍‌ ଜାରି ହୋଇଛି ବୋଲି ସେ କହିଛନ୍ତି । ମୌସୁମୀ ଅଧିବେଶନ ପାଇଁ ରଣନୀତି ସ୍ଥିର କରିବାକୁ ବିରୋଧୀ ଦଳମାନେ ଆସନ୍ତାକାଲି ଦିଲ୍ଲୀରେ ଏକ ବୈଠକ କରିବେ ବୋଲି ପାୱାର କହିଛନ୍ତି।

ତଥ୍ୟ ଭିତରକୁ ନଯାଇ ଅଭିଯୋଗ କର ନାହିଁ: ଓମ୍‌ ବିର୍ଲା
ନୂଆଦିଲ୍ଲୀ : ସଂସଦ ଭବନ ପରିସରରେ ଧାରଣା ଏବଂ ଅନଶନ ହୋଇପାରିବନି ବୋଲି ଆଜି ‌ଯେଉଁ ନୋଟିସ୍‌ ଜାରି ହୋଇଛି ତାହାକୁ ନେଇ ପୁଣି ଥରେ ରାଜନୈତିକ ବିବାଦ ଆରମ୍ଭ ହୋଇଯାଇଛି। ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ଆଜି ରାଜନୈତିକ ଦଳମାନଙ୍କୁ ଅନୁରୋଧ କରି ଅଯଥା ବିବାଦ ଏବଂ ଅଭି‌ଯୋଗରୁ ବିରତ ରହିବାପାଇଁ ଅନୁରୋଧ କରିଛନ୍ତି। ବିର୍ଲା କହିଛନ୍ତି, ତଥ୍ୟ ଅନୁସନ୍ଧାନ ନକରି କୌଣସି ପ୍ରସଙ୍ଗରେ ଅଭିଯୋଗ କରିବା ଉଚିତ ନୁହେଁ। ଆଜି ଯେଉଁ ନୋଟିସ୍‌ ଜାରି ହୋଇଛି ତାହା ପ୍ରତି ବର୍ଷ ଜାରି ହେଉଥିବା ବାବଦରେ ସମସ୍ତେ ଜାଣନ୍ତି। ଏହା ଏକ ପ୍ରକ୍ରିୟା। ଏହି ପ୍ରକ୍ରିୟା ୨୦୦୯ରୁ ଜାରି ରହିଛି ବୋଲି ବିର୍ଲା ସଂସଦ ଭବନ ପରିସରରେ ସାମ୍ବାଦିକମାନଙ୍କୁ କହିଛନ୍ତି। ରୁଟିନ୍‌ କାର୍ଯ୍ୟକ୍ରମକୁ ବିବାଦୀୟ କରିବା ପାଇଁ ପ୍ରୟାସ ନ କରିବାକୁ ବିର୍ଲା ରାଜନୈତିକ ଦଳମାନଙ୍କୁ କହିଛନ୍ତି।

ସମ୍ବନ୍ଧିତ ଖବର