କୃଷି ବିଲ୍‌ ମାମଲାରେ ସରକାରଙ୍କୁ ସୁପ୍ରିମ୍‌ କୋର୍ଟଙ୍କ ନୋଟିସ୍‌

ନୂଆଦିଲ୍ଲୀ: ଗତ ମାସରେ ସଂସଦରେ ପାରିତ ହୋଇ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅନୁମୋଦନ ପରେ ଆଇନରେ ପରିଣତ ହୋଇଥିବା କୃଷି ବିଲ୍‌ ବିରୋଧରେ ଆଗତ ଏକ ମାମଲାରେ ସୁପ୍ରିମ୍‌ କୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ଛତିଶଗଡ଼ କିଷାନ କଂଗ୍ରେସର ପ୍ରତିନିଧିତ୍ବ କରୁଥିବା ରାକେଶ ବୈଷ୍ଣବଙ୍କ ଆବେଦନକୁ ଭିତ୍ତି କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏସ୍‌ ଏ ବୋବଡ଼େଙ୍କ ନେତୃତ୍ବରେ ପରିଚାଳିତ ତିନିଜଣିଆ ଖଣ୍ଡପୀଠ ଏହି ମାମଲାରେ ମତ ରଖିବା ପାଇଁ ଆଟର୍ଣ୍ଣି ଜେନେରାଲ କେ କେ ବେଣୁଗୋପାଳଙ୍କୁ ନୋଟିସ କରିଛନ୍ତି। ଅଦାଲତଙ୍କ ଅନୁଧ୍ୟାନ ଅନୁଯାୟୀ, ଏ ଯାବତ୍‌ ଏହି ପ୍ରସଙ୍ଗରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲେ ହେଁ ଆବେଦନକାରୀ ଆଗରୁ ଉକ୍ତ ଅଧ୍ୟାଦେଶ ବିରୋଧରେ ଛତିଶଗଡ଼ ହାଇକୋର୍ଟର ଦୃଷ୍ଟି ଆକର୍ଷଣ କରିଥିଲେ ବୋଲି ତାଙ୍କ ଓକିଲ ପି ରାମେଶ୍ବରନ୍‌ ଯୁକ୍ତି ବାଢ଼ିଛନ୍ତି। ସୁତରାଂ ଛତିଶଗଡ଼ର ଆଞ୍ଚଳିକ ଆଇନକୁ ଗୋପନ ଭାବରେ ରଦ୍ଦ କରିଥିବା ଏହି ନୂତନ କୃଷି ଆଇନକୁ ମାନ୍ୟବର ସୁପ୍ରିମକୋର୍ଟ ହଟାଇନେବା ଲାଗି ଆବେଦନକାରୀ ନିବେଦନ କରିଛନ୍ତି। ତେବେ ଏ ପ୍ରକାର ପ୍ରସଙ୍ଗ କେଉଁଠି ନା କେଉଁଠି ନିଶ୍ଚିତ ଭାବରେ ଉତ୍ଥାପନ ହେବାକୁ ଥିବାରୁ ଖଣ୍ଡପୀଠ ସରକାରଙ୍କୁ ଜବାବ ରଖିବା ଲାଗି ନୋଟିସ ଜାରି କରିଛନ୍ତି ବୋଲି କହିଛନ୍ତି। ଏ ପ୍ରସଙ୍ଗରେ ମୋଟ ୪ଟି ଆବେଦନ ଅଦାଲତଙ୍କ ହସ୍ତଗତ ହୋଇଥିବା ବେଳେ ଖଣ୍ଡପୀଠ ଆଟର୍ଣ୍ଣି ଜେନେରାଲଙ୍କ ସମେତ ସଲିସିଟର ଜେନେରାଲ ତୁଷାର ମେହେଟା ଓ ଆଡିସିନାଲ ସଲିସିଟର ଜେନେରାଲ ଏକ ଏମ୍‌ ନଟରାଜଙ୍କୁ ମଧ୍ୟ ନୋଟିସ୍‌ ଜାରି କରିଛନ୍ତି।

ସମ୍ବନ୍ଧିତ ଖବର