ସତ ୟୁନିଫର୍ମ, ମିଛ ଲାଞ୍ଚ

ପ୍ରିୱେଡିଙ୍ଗ୍ ଫଟୋସୁଟ୍ କରି ଅଡୁଆରେ ପୁଲିସ ବାବୁ

ଜୟପୁର: ପୋଲିସ୍ ବାବୁଙ୍କୁ ଫସାଇଦେଲା ପ୍ରିୱେଡିଙ୍ଗ୍ ଫଟୋସୁଟ୍ | ଖାକି ପୋଷାକରେ ପ୍ରିୱେଡିଙ୍ଗ୍ ଫଟୋସୁଟ୍ ସାଙ୍ଗକୁ ଭାବିପତ୍ନୀଙ୍କ ଲାଞ୍ଚ ନେବାର ଅଭିନୟ କରିଥିବାରୁ ପୁଲିସ ବିଭାଗ ପକ୍ଷରୁ ପଠାଗଲା ନୋଟିସ୍ । କିଛି ଏଭଳି ଘଟଣା ରାଜସ୍ଥାନର ଜଣେ ପୁଲିସ କର୍ମଚାରୀ ଧନପତ ସିଂହଙ୍କ କ୍ଷେତ୍ରରେ ଘଟିଛି | ମିଳିଥିବା ସୂଚନା ମୁତାବକ, ନିଜର ପ୍ରିୱେଡିଙ୍ଗ୍ ଫଟୋସୁଟ୍ କରାଇବା ପରେ ବିଭାଗ ପକ୍ଷରୁ ତାଙ୍କ ପାଖକୁ ନୋଟିସ୍ ଜାରି କରାଯାଇଛି । ତାଙ୍କ ଏହି ଭିଡିଓଟି ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ପୁଲିସ ବିଭାଗରେ ଏନେଇ ଚର୍ଚ୍ଚା ହେବା ସାଙ୍ଗକୁ ନୋଟିସ୍ ଜାରି କରାଗଲା ।

ଏହି ପୁଲିସ କର୍ମଚାରୀଙ୍କ ଭାବିପତ୍ନୀ ଫଟୋସୁଟ୍ ସମୟରେ ସ୍ୱାମୀଙ୍କୁ ୟୁନିଫର୍ମରେ ଦେଖିବାକୁ ଚାହୁଁଥିଲେ । ଉଦୟପୁରର କୋଟଡା ଥାନାରେ କାର୍ଯ୍ୟରତ ଥିବା ଧନପତ୍ ସିଂହଙ୍କ ଏହି ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ଆଇଜି ତାଙ୍କୁ ନୋଟିସ୍ ପଠାଇବାକୁ ବାଧ୍ୟ ହୋଇଛନ୍ତି । ୨ ମାସ ପୂର୍ବରୁ ସୁଟ୍ ହୋଇଥିବା ଏହି ଭିଡିଓରେ ଦେଖାଯାଉଛି , ପୁଲିସ ବାବୁ ଜଣକ ପ୍ରଥମେ ଟ୍ରାଫିକ୍ ପୋଲିସ୍ ଭାବେ କାର୍ଯ୍ୟରତ ଥିବାବେଳେ ବିନା ହେଲମେଟ୍ ପିନ୍ଧି ତାଙ୍କ ଭାବିପତ୍ନୀ ଟ୍ରାଫିକ୍ ନିୟମ ଭାଙ୍ଗୁଛନ୍ତି ।

ଚାଲାଣ କାଟିବା ସମୟରେ ସେ ପୁଲିସବାବୁଙ୍କ ପକେଟ୍ ରେ ୫୦୦ ଟଙ୍କିଆ ନୋଟଟିଏ ରୋମାଣ୍ଟିକ୍ ଅନ୍ଦାଜରେ ରଖୁଛନ୍ତି । ତେବେ ଏନେଇ ଆଇଜି ହୱା ସିଂହ ଘୁମାରିୟା ରାଜ୍ୟ ଏସପି ଏବଂ ନବନିଯୁକ୍ତ ପୁଲିସକର୍ମୀଙ୍କୁ ୟୁନିଫର୍ମ ପିନ୍ଧି ଏଭଳି କୌଣସି କାମ ନ କରିବା ପାଇଁ ତାଗିଦ୍ କରିବା ସହ ଭିଡିଓଟିକୁ ଦୁର୍ଭାଗ୍ୟପୂର୍ଣ୍ଣ କହିଛନ୍ତି । ଏହି ମାମଲାରେ ଜିଲ୍ଲା ପୁଲିସ ଅଧିକାରୀ କ୍ୟାପଟେନ୍ କୈଲାସ୍ ବିଷ୍ଣୋଇ ମଧ୍ୟ ଘଟଣା ଉପରେ ବିଭାଗୀୟ ଯାଞ୍ଚ କରିବାକୁ ଆଦେଶ ଦେଇଛନ୍ତି ।

ସମ୍ବନ୍ଧିତ ଖବର