ହିନ୍ଦୁମାନଙ୍କ ବିରୋଧରେ ବିବାଦୀୟ ବୟାନ୍ ଦେଇଥିବା ବାରିସ୍ ପଠାନଙ୍କୁ ନୋଟିସ୍ ଜାରି କରିଲା ପୁଲିସ

ନୂଆଦିଲ୍ଲୀ: ହିନ୍ଦୁମାନଙ୍କ ବିରୋଧରେ ବିବାଦୀୟ ବୟାନ୍ ଦେବା ଏଆଇଏମ୍ଆଇଏମର ବରିଷ୍ଠ ନେତା ବାରିସ୍ ପଠାନଙ୍କ ପାଇଁ ଅଡ଼ୁଆ ବଢ଼ାଇଛି। ପୁଲିସ ପକ୍ଷରୁ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ନୋଟିସ୍ ଜାରି କରାଯାଇଛି। ଏଥିରେ ବାରିସ୍ ପଠାନଙ୍କୁ ତଦନ୍ତକାରୀ ଅଧିକାରୀଙ୍କ ସମ୍ମୁଖରେ ଉପସ୍ଥିତ ରହି ନିଜର ବୟାନ୍ ଦେବାକୁ କୁହାଯାଇଛି। ଏସଂପର୍କରେ କଲବୁର୍ଗୀ ପୁଲିସ କମିସନର୍ ଏସ୍ ଏନ୍ ନାଗରାଜ କହିଛନ୍ତି ଯେ ଏଆଇଏମ୍ଆଇଏମର ବରିଷ୍ଠ ନେତା ବାରିସ୍ ପଠାନଙ୍କୁ ଆସନ୍ତାକାଲି (ଫେବ୍ରୁଆରି ୨୯ ତାରିଖରେ) ତଦନ୍ତକାରୀ ଅଧିକାରୀଙ୍କ ସମ୍ମୁଖରେ ଉପସ୍ଥିତ ରହି ନିଜର ବୟାନ୍ ଦେବାକୁ ନିର୍ଦେଶ ଦିଆଯାଇଛି।

ସୂଚନାଯୋଗ୍ୟ,ଏକ ଜନସଭାକୁ ସମ୍ବୋଧନ କରି ପଠାନ୍ ହିନ୍ଦୁ ଧର୍ମର ଲୋକମାନଙ୍କ ପାଇଁ ସେ ନିଜର ଯେଉଁ ବୟାନ ଦେଇଛନ୍ତି, ତାହା ତାଙ୍କୁ ଏବେ ବିବାଦରେ ଛନ୍ଦିଛି। ଜନସଭାର ଏକ ଭିଡିଓ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଥିଲା, ଯେଉଁଥିରେ ସେ ୧୫କୋଟି ମୁସଲିମ୍ ୧୦୦କୋଟି ହିନ୍ଦୁମାନଙ୍କ ଉପରେ ଭାରି ପଡ଼ିବେ ବୋଲି କହୁଛନ୍ତି।
ଭିଡିଓରେ, ଇଟାର ଜବାବ ପଥରରେ ଦେବା ଏବେ ଆମେ ଶିଖି ଯାଇଛୁ। କିନ୍ତୁ ଆମ ସମସ୍ତଙ୍କୁ ଏକାଠି ହୋଇ ଚାଲିବାକୁ ପଡ଼ିବା ସହ ସ୍ବାଧୀନ ହେବାକୁ ପଡ଼ିବ। ଯେଉଁ ଜିନିଷ ମାଗିଲେ ମିଳୁ ନାହିଁ, ତାକୁ ଛଡ଼ାଇ ଆଣିବାକୁ ପଡ଼ିବ। ଆମକୁ କହୁଛନ୍ତି କି, ଆମେ ସାମ୍ନାକୁ ନ ଆସି ଆମ ମା’-ଭଉଣୀଙ୍କୁ ଆଗରେ ରଖି ଆନ୍ଦୋଳନ କରୁଛୁ। କେବଳ ମହିଳାମାନେ ବାହାରକୁ ବାହାରିବା ପରେ ତୁମ ଡ଼ରରେ ଥରିବାକୁ ଲାଗିଲଣି। ଯଦି ଆମେ ସବୁ ମିଶି ଆନ୍ଦୋଳନ କରିବୁ, ତେବେ ତୁମ ମାନଙ୍କର କ’ଣ ହେବ। ୧୫କୋଟି ହେଲେ ମଧ୍ୟ ଆମେ ୧୦୦କୋଟି ହିନ୍ଦୁମାନଙ୍କୁ ହରାଇବାର କ୍ଷମତା ରଖିଛୁ।
ତେବେ ଏହା ପ୍ରଥମ ନୁହେଁ, ଏହା ପୂର୍ବରୁ ଏଆଇଏମ୍ଆଇଏମର ଅନେକ ନେତା ଏଭଳି ବିବାଦୀୟ ବୟାନ ଦେଇସାରିଛନ୍ତି। ମିଳିଥିବା ସୂଚନା ମୁତାବକ, ବାରିସ୍ ପଠାନ ପୂର୍ବତନ ବିଧାୟକ ଥିବା ସହ ମହାରାଷ୍ଟ୍ରରେ ହୋଇଥିବା ବିଧାନସଭା ନିର୍ବାଚନରେ ସେ ଭାୟାଖାଲା ଆସନରୁ ଲଢ଼ିଥିଲେ। କିନ୍ତୁ ନିର୍ବାଚନରେ ତାଙ୍କୁ ହାରିବାକୁ ପଡ଼ିଥିଲା।

ସମ୍ବନ୍ଧିତ ଖବର