ଟିକା ଯୋଗାଣରେ ବିଳମ୍ବ, ସେରମ ଇନଷ୍ଟିଚ୍ୟୁଟକୁ ନୋଟିସ ପଠାଇଲା ଆଷ୍ଟ୍ରାଜେନିକା

ପୁଣେ : ଟିକା ଯୋଗାଣରେ ବିଳମ୍ବ ପାଇଁ ଆଷ୍ଟ୍ରାଜେନିକା କମ୍ପାନି ଭାରତୀୟ ଟିକା ଉତ୍ପାଦନକାରୀ କମ୍ପାନି ସେରମ ଇନଷ୍ଟିଚ୍ୟୁଟକୁ ଆଇନଗତ ନୋଟିସ୍ ପଠାଇଛି । ଏ ସମ୍ପର୍କରେ ସେରମ ଇନଷ୍ଟିଚ୍ୟୁଟର ଅଧ୍ୟକ୍ଷ ଅଦର ପୁନାଓ୍ବାଲା ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ ଏ ସମ୍ପର୍କରେ କମ୍ପାନି ପକ୍ଷରୁ ଭାରତ ସରକାରଙ୍କୁ ଅବଗତ କରାଯାଇଛି  ଓ ସମସ୍ୟାର ସମାଧାନ ଲାଗି ଉଦ୍ୟମ ଜାରି ରହିଛି ।

ଆଷ୍ଟ୍ରାଜେନିକା-ଅକ୍ସଫୋର୍ଡ ଦ୍ବାରା ପ୍ରସ୍ତୁତ କରୋନା ଟିକାକୁ ସେରମ ଇନଷ୍ଟିଚ୍ୟୁଟ୍ କୋଭିସିଲ୍ଡ ନାମରେ ଉତ୍ପାଦନ କରୁଛି । ଭାରତରେ ଉତ୍ପାଦିତ ଏହି ଟିକାକୁ ବିଶ୍ବ ବିଭିନ୍ନ ଦେଶକୁ ରପ୍ତାନି କରାଯାଉଛି । କିନ୍ତୁ ଭାରତରେ ଦେଶରେ କରୋନା ସଂକ୍ରମଣ ବଢିଚାଲିଥିବାବେଳେ ଟିକା ଅଭାବ ଏକ ବଡ଼ ସମସ୍ୟାଭାବେ ଦେଖାଦେଇଛି । ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର  ବିଦେଶକୁ ଟିକା ରପ୍ତାନି ଉପରେ କଟକଣା ଜାରି କରିଛନ୍ତି । କିନ୍ତୁ ଏହା ଦ୍ବାରା ସେରମ ଇନଷ୍ଟିଚ୍ୟୁଟ୍ ନିଜର ପୂର୍ବ ଚୁକ୍ତି ମୁତାବକ ରପ୍ତାନି କରିପାରୁ ନାହିଁ । ଏଥିପାଇଁ ଆଷ୍ଟ୍ରାଜେନିକା ଲିଗାଲ ନୋଟିସ ପଠାଇଛି ।

ପୁନାଓ୍ବାଲା କହିଛନ୍ତି ଯେ ଦେଶରେ ଟିକା ଉତ୍ପାଦନ ବୃଦ୍ଧି କରିବାକୁ କମ୍ପାନି ଆଉ ଏକ ପ୍ଲାଣ୍ଟ ବସାଇବାକୁ ସରକାରଙ୍କୁ ପ୍ରସ୍ତାବ ଦେଇଛି । ନିଜର ପୁଣେ ପ୍ଲାଣ୍ଟର କ୍ଷମତା ବୃଦ୍ଧି ପାଇଁ ହଜାର ହଜାର କୋଟି ଟଙ୍କାର ନିବେଶ କରାଯାଇଛି ।

ସମ୍ବନ୍ଧିତ ଖବର