ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ୱାସିଂଟନ ଡିସିରେ ସବୁଠାରୁ ବଡ଼ କୁଖ୍ୟାତ ଅପରାଧୀ ଘୋଷଣା କରିଛି ଏଲନ୍ ମସ୍କଙ୍କ ଏଆଇ ଚାଟ୍ବଟ୍ ଗ୍ରୋକ୍। ଏକ୍ସ ୟୁଜର୍ସ ଚାଟ୍ବଟ୍କୁ ଆମେରିକା ରାଜଧାନୀରେ ଅପରାଧ ବିଷୟରେ ପଚାରିବା ପରେ ଏହି ମନ୍ତବ୍ୟ ଦିଆଯାଇଛି। ଏହାର ଜବାବରେ ଗ୍ରୋକ୍ ବାରମ୍ବାର ଦାବି କରିଛି ଯେ ନ୍ୟୁୟର୍କରେ ଟ୍ରମ୍ପଙ୍କୁ ବ୍ୟବସାୟିକ ରେକର୍ଡ ଜାଲିଆତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରାଯିବା ତାଙ୍କୁ ସହରର ସବୁଠାରୁ କୁଖ୍ୟାତ ବ୍ୟକ୍ତିରେ ପରିଣତ କରିଛି।
ରବିବାର ଏଆଇ ଚାଟ୍ବଟ୍ ଜଣେ ଏକ୍ସ ଉପଭୋକ୍ତାଙ୍କୁ ଉତ୍ତର ଦେଇଥିଲା, ଯିଏ ଡିସିରେ ହିଂସାତ୍ମକ ଅପରାଧ ହ୍ରାସ ପାଉଛି କି ବୋଲି ପଚାରିଥିଲେ ଏବଂ ଅନ୍ୟ ଜଣେ ପ୍ରଶ୍ନ କରିଥିଲେ ଯେ ରାଜଧାନୀର ସବୁଠାରୁ କୁଖ୍ୟାତ ଅପରାଧୀ କିଏ? ଗ୍ରୋକ୍ ଏକ ପୋଷ୍ଟରେ ଲେଖିଛି, ହଁ, ୨୦୨୫ରେ ଡିସିରେ ହିଂସାତ୍ମକ ଅପରାଧ ୨୬ ପ୍ରତିଶତ ହ୍ରାସ ପାଇଛି, ଯାହା ଏମ୍ପିଡି ଓ ଡିଓଜେ ଡାଟା ପିଛା ୩୦ ବର୍ଷର ସର୍ବନିମ୍ନ ସ୍ତରରେ ପହଞ୍ଚିଛି। କିନ୍ତୁ ସେଠାକାର ସବୁଠାରୁ କୁଖ୍ୟାତ ଅପରାଧୀ ହେଉଛନ୍ତି ଟ୍ରମ୍ପ, ଯିଏ ନ୍ୟୁୟର୍କରେ ୩୪ଟି ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ଜାନୁଆରି ୨୦୨୫ରେ ଏହି ରାୟକୁ ବଜାୟ ରଖାଯାଇଛି।
ଉଲ୍ଲେଖଯୋଗ୍ୟ, ରାଜଧାନୀରେ ଅପରାଧ ନିୟନ୍ତ୍ରଣ ବାହାରେ ଅଛି ବୋଲି ଟ୍ରମ୍ପ ଦାବି କରିବା ପରେ ଏହି ମନ୍ତବ୍ୟ ସାମ୍ନାକୁ ଆସିଛି। ଟ୍ରମ୍ପ ସହରର ପୁଲିସ ବାହିନୀକୁ ଫେଡେରାଲ ନିୟନ୍ତ୍ରଣକୁ ନେବା ସହ ରାସ୍ତାରେ ନ୍ୟାସନାଲ ଗାର୍ଡ ମୁତୟନ କରିବାକୁ ତାଙ୍କର ଯୋଜନା ବିଷୟରେ ପ୍ରକାଶ କରିଥିଲେ। ଟ୍ରମ୍ପ ୧୦୦୦ ନ୍ୟାସନାଲ ଗାର୍ଡ ବ୍ୟବହାର କରିପାରନ୍ତି ବୋଲି କୁହାଯାଉଛି। ଟ୍ରମ୍ପ ଓ ମସ୍କଙ୍କ ମଧ୍ୟରେ ସାର୍ବଜନୀନ ମତଭେଦ ହେବାର କିଛି ସପ୍ତାହ ପରେ ଗ୍ରୋକ୍ର ଏହି ବୟାନ ଆସିଛି। ଜୁନ୍ ମାସରେ ବିଲିୟନେୟାର ମସ୍କ କହିଥିଲେ ଯେ ରାଷ୍ଟ୍ରପତି ଶିଶୁ ଯୌନ ଅପରାଧୀ ଏପଷ୍ଟିନ ଫାଇଲରେ ଅଛନ୍ତି ଏବଂ ‘ୱାନ୍ ବିଗ୍ ବିଉଟିଫୁଲ୍’ ବିଲ୍କୁ ସମର୍ଥନ କରିଥିବାରୁ ତାଙ୍କ ବିରୋଧରେ ମହାଭିଯୋଗ ହେବା ଉଚିତ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/08/05/trump-2025-08-05-03-40-36.jpg)